ସମର୍ଥନ ଦେଇ ଫସିଗଲେ ବିଦ୍ରୋହୀ AIADMK ବିଧାୟକ, ମିଳିବନି ମନ୍ତ୍ରୀ ପଦ!
ଭିସିକେ ମୁଖ୍ୟ ଥୋଲ୍ ଥିରୁମାଭାଲାଭାନ୍ ଏହା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଆମେ ପୂର୍ବରୁ ଟିଭିକେକୁ ଆମର ଆଭିମୁଖ୍ୟ ଜଣାଇ ସାରିଛି
ଚେନ୍ନାଇ: ବାଗୀ ଏଆଇଏଡିଏମ୍କେ ବିଧାୟକଙ୍କୁ ଚକମା ଦେଲେ ଅଭିନେତାରୁ ନେତା ହୋଇଥିବା ମୁଖ୍ୟମନ୍ତ୍ରୀ ବିଜୟ। ଭିସିକେ ଓ କମ୍ୟୁନିଷ୍ଟ ଦଳର ଅସନ୍ତୋଷ ପରେ ନିଜର ମତ ବଦଳାଇଛି ଟିଭିକେ। ଆଉ ସ୍ପଷ୍ଟ କରିଛି, ବାଗୀ ଏଆଇଡିଏମ୍କେ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ନାହିଁ। ଏହା ପରେ ଟିଭିକେ ସରକାର ଉପରେ ମାଡ଼ିଥିବା କଳା ବାଦଲ ହଟିଛି।
ସରକାର ଗଠନ ପାଇଁ ବିଜୟଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲା। ତେଣୁ ବିଜୟୀ ହୋଇଥିବା ଛୋଟ ଦଳମାନଙ୍କୁ ସମର୍ଥନ ଦେବା ପାଇଁ ଟିଭିକେ ଅପିଲ୍ କରିଥିଲା। ସେହି ସମୟରେ ଏଆଇଏଡିଏମ୍କେରେ ବିଦ୍ରୋହ କରି କିଛି ବିଧାୟକ ଟିଭିକେକୁ ସମର୍ଥନ ଦେଇଥିଲେ। ସେମାନଙ୍କୁ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ସେତେବେଳେ କୁଆଡେ କଥା ଦିଆଯାଇଥିଲା। ଯାହାକୁ ବିରୋଧ କରିଛନ୍ତି ଭିସିକେ ଓ ବାମପନ୍ଥି ଦଳ।
ଭିସିକେ ମୁଖ୍ୟ ଥୋଲ୍ ଥିରୁମାଭାଲାଭାନ୍ ଏହା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଆମେ ପୂର୍ବରୁ ଟିଭିକେକୁ ଆମର ଆଭିମୁଖ୍ୟ ଜଣାଇ ସାରିଛି। ଯଦି ବିଦ୍ରୋହୀ ଏଆଇଏଡିଏମକେ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଏ, ତେବେ ଆମ ଦଳ ଦେଇଥିବା ସମର୍ଥନ ଉପରେ ଆଉଥରେ ବିଚାର କରିବ। ହେଲେ ଜଣାଇ ଦେବାକୁ ଚାହୁଁଛି, ଏଆଇଏଡିଏମ୍କେର କୌଣସି ବାଗୀ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ନାହିଁ ବୋଲି ଟିଭିକେ କଥା ଦେଇଛି।
ଅନ୍ୟପକ୍ଷରେ ଭିସିକେ ପରି ସିପିଆଇ(ଏମ୍) ମଧ୍ୟ ବିଦ୍ରୋହ ଆରମ୍ଭ କରିଛି। ଯଦି ବାଗୀ ଏଆଇଏଡିଏମ୍କେ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଏ, ତାହାହେଲେ ସିପିଆଇ(ଏମ) ସମର୍ଥନ ପ୍ରତ୍ୟାର କରିପାରେ ବୋଲି କହିଛି।
ସେପଟେ ଟିଭିକେ ମହାସଚିବ ଆଦବ ଅର୍ଜୁନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟ ସେହି ଦଳଗୁଡ଼ିକୁ ସରକାରରେ ସାମିଲ କରିବାକୁ ଚାହୁଁଛନ୍ତି, ଯେଉଁମାନେ ସାମାଜିକ ନ୍ୟାୟ ପ୍ରସଙ୍ଗରେ ତାଙ୍କ ସହ ଛିଡ଼ା ହୋଇ ସମର୍ଥନ କରିଛନ୍ତି। ବିଶେଷ କରି କଂଗ୍ରେସକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଉପରେ ଜୋର ଦିଆଯାଇଛି। ତାଙ୍କୁ ଦୁଇଟି ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ବାମପନ୍ଥୀ ଦଳଗୁଡ଼ିକ ସରକାରଙ୍କୁ ବାହାରୁ ସମର୍ଥନ ଦେବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ଟିଭିକେ ସମ୍ମାନ କରେ। ଏହା ସତ୍ତ୍ୱେ ଭିସିକେ ଓ ଆଇୟୁଏମଏଲକୁ ମଧ୍ୟ ସରକାରରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ଅର୍ଜୁନ କହିଛନ୍ତି।

