CBIର ବଡ଼ କାର୍ଯ୍ୟାନୁଷ୍ଠାନ, ବୋହୁକୁ ନିର୍ଯ୍ୟାତନା ଦେଉଥିବା ଶାଶୁ ତଥା ପୂର୍ବତନ ବିଚାରପତି ଗିରଫ
ବୋହୁକୁ ନିର୍ଯ୍ୟାତନା ଦେଉଥିବା ଶାଶୁ ତଥା ପୂର୍ବତନ ବିଚାରପତି ଗିରଫ
Giribala Singh Arrest: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବହୁ ଚର୍ଚ୍ଚିତ ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ତାଙ୍କ ଶାଶୁ ଗିରିବାଲା ସିଂଙ୍କୁ ଗିରଫ କରାଯାଇଛି। ପ୍ରାୟ ସାଢ଼େ ୬ ଘଣ୍ଟାର ଘନଘନ ଜେରା ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗିରିବାଲା ସିଂଙ୍କୁ ଗିରଫ କରିଛି। ସିବିଆଇ ଖୁବ୍ଶୀଘ୍ର ତାଙ୍କୁ କୋର୍ଟରେ ହାଜର କରିବ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ ସିବିଆଇ ଟିମ୍ ଗିରିବାଲାଙ୍କ ଭୋପାଳର କଟାରା ହିଲସ୍ଥିତ ବାସଭବନରେ ନୋଟିସ୍ ଦେବା ପାଇଁ ପହଞ୍ଚିଥିଲା। ଏହାପୂର୍ବରୁ ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ଜବଲପୁର ହାଇକୋର୍ଟ ଗିରିବାଲା ସିଂଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ, ଯାହା ପରେ ତାଙ୍କ ଗିରଫଦାରୀ ସୁନିଶ୍ଚିତ ମାନାଯାଉଥିଲା।
ହାଇକୋର୍ଟଙ୍କ ଦ୍ୱାରା ପୂର୍ବତନ ବିଚାରପତି ଗିରିବାଲା ସିଂଙ୍କ ଅଗ୍ରୀମ ଜାମିନ ରଦ୍ଦ ହେବାର କିଛି ଘଣ୍ଟା ମଧ୍ୟରେ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲା। ସିବିଆଇ ଅଧିକାରୀମାନଙ୍କୁ ଭୋପାଳର ବାଗ୍ ମୁଗାଲିଆ ଏକ୍ସଟେନସନର HIG ୩୧୧ ସ୍ଥିତ ବାସଭବନରେ ପ୍ରବେଶ କରୁଥିବାର ଦେଖାଯାଇଥିଲା।
ପୂର୍ବରୁ ମେ ୧୫ ତାରିଖରେ ଏକ ସେସନ୍ସ କୋର୍ଟ ଗିରିବାଲା ସିଂଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ, ଯାହାକୁ ମଧ୍ୟପ୍ରଦେଶ ସରକାର କୋର୍ଟରେ ଜୋରଦାର ବିରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅପିଲ୍ କ୍ରମେ ହିଁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ତ୍ୱିଷାଙ୍କ ଶାଶୁ ଗିରିବାଲା ସିଂ ଏବଂ ସ୍ୱାମୀ ସମର୍ଥ ଉଭୟ ଗିରଫ ହୋଇସାରିଛନ୍ତି।
ପୂର୍ବରୁ କୋର୍ଟରୁ ମିଳିଥିଲା ଅଗ୍ରୀମ ଜାମିନ
ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ଶାଶୁ ଗିରିବାଲା ସିଂଙ୍କୁ ମେ ୧୫ରେ ତଳ କୋର୍ଟରୁ ଅଗ୍ରୀମ ଜାମିନ ମିଳିଥିଲା। ଏହା ବିରୋଧରେ ତ୍ୱିଷାଙ୍କ ପରିବାର ଲୋକେ ଜାମିନ ରଦ୍ଦ କରିବା ପାଇଁ ଜବଲପୁର ହାଇକୋର୍ଟରେ ଏକ ଆବେଦନ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ହାଇକୋର୍ଟ ଏହି ଜାମିନକୁ ରଦ୍ଦ କରିଦେବା ପରେ ସିବିଆଇ ଅଧିକାରୀମାନେ ତ୍ୱିଷାଙ୍କ ଶ୍ୱଶୁର ଘରେ ପହଞ୍ଚି ଗିରିବାଲାଙ୍କୁ ନୋଟିସ୍ ଜାରି କରିଥିଲେ।
କୋର୍ଟ କ’ଣ କହିଲେ?
ତ୍ୱିଷା ଶର୍ମା ମାମଲାରେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇ ଅଭିଯୁକ୍ତ ଗିରିବାଲା ସିଂଙ୍କୁ ନିମ୍ନ ଅଦାଲତ ଦ୍ୱାରା ଦିଆଯାଇଥିବା ଅଗ୍ରୀମ ଜାମିନକୁ ରଦ୍ଦ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ମାମଲାର ତଥ୍ୟ ଏବଂ ଗିରିବାଲା ସିଂଙ୍କ ଉପରେ ଲାଗିଥିବା ଗୁରୁତର ଅଭିଯୋଗକୁ ଦେଖିଲେ ତାଙ୍କୁ ମିଳିଥିବା ଆଶ୍ୱସ୍ତି ଆଦୌ ଯୋଗ୍ୟ ନଥିଲା। ଏହି କାରଣରୁ ଅଦାଲତ ପୂର୍ବ ଜାମିନ ଆଦେଶକୁ ଖାରଜ କରିଛନ୍ତି।
ସିବିଆଇ କଲା ସିନ୍ ରି-କ୍ରିଏଟ୍
ଏହାପୂର୍ବରୁ ବୁଧବାର ସନ୍ଧ୍ୟାରେ ସିବିଆଇ ତ୍ୱିଷା ମାମଲାରେ ସିନ୍ ରି-କ୍ରିଏଟ୍ କରିଥିଲା। ସିବିଆଇ ଅଧିକାରୀମାନେ ସେହି ଛାତ ଉପରକୁ ଯାଇଥିଲେ ଯେଉଁଠାରେ ତ୍ୱିଷା କଥିତ ଭାବେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କେବଳ ସେତିକି ନୁହେଁ, ଗିରିବାଲାଙ୍କ ଘରେ ତ୍ୱିଷାଙ୍କ ସ୍ୱାମୀ ସମର୍ଥ ଏବଂ ଶାଶୁ ଗିରିବାଲାଙ୍କୁ ମୁହାଁମୁହିଁ ବସାଇ ପଚରାଉଚରା କରାଯାଇଥିଲା। ସମର୍ଥ ପୂର୍ବରୁ ହିଁ ପୁଲିସ ରିମାଣ୍ଡରେ ଅଛନ୍ତି। ଆଗକୁ ମଧ୍ୟ ଉଭୟଙ୍କୁ ଏକାଠି ଜେରା କରିବା ପାଇଁ ସିବିଆଇ ପ୍ରସ୍ତୁତି ଚଳାଇଛି।

