ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଟ୍ୱିଷ୍ଟ; ଲୁଟ୍ ପାଇଁ ପଶିଥିଲା, ହାତରେ ଧରିଥିଲା ପିସ୍ତଲ ଭଳି ଲାଇଟର
ଘଟଣାକୁ ନେଇ ଶନିବାର ପୋଲିସ କମିଶନର ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମୂଳତଃ ଘରେ ଲୁଟ୍ କରିବା ଉଦ୍ଦେଶ୍ୟରେ ପଶିଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଘରେ କେହି ନଥିବା ଦେଖି ସେ ଯୁବତୀଙ୍କୁ ଭୟ ଦେଖାଇଥିଲା
ଭୁବନେଶ୍ୱର: ଲୁଟ୍ ପାଇଁ ଘରେ ପଶିଥିଲା। ହାତରେ ଥିଲା ପିସ୍ତଲ ଭଳି ଦେଖାଯାଉଥିବା ଲାଇଟର। ଘରେ ଆଉ କେହି ନଥିବା ଦେଖି ଯୁବତୀଙ୍କୁ ଭୟଭୀତ କରିଥିଲା। ଆଉ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀର ବହୁଚର୍ଚ୍ଚିତ ଘଟଣାରେ ଏବେ ସାମ୍ନାକୁ ଆସିଛି ଏଭଳି ତଥ୍ୟ।
ଘଟଣାକୁ ନେଇ ଶନିବାର ପୋଲିସ କମିଶନର ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମୂଳତଃ ଘରେ ଲୁଟ୍ କରିବା ଉଦ୍ଦେଶ୍ୟରେ ପଶିଥିବା ତଦନ୍ତରୁ ଜଣାପଡ଼ିଛି। ତେବେ ଘରେ କେହି ନଥିବା ଦେଖି ସେ ଯୁବତୀଙ୍କୁ ଭୟ ଦେଖାଇଥିଲା। ଅଭିଯୁକ୍ତ ଯେଉଁ ଜିନିଷଟି ଧରିଥିଲା, ତାହା ପ୍ରକୃତ ପିସ୍ତଲ ନୁହେଁ। ତାହା ପିସ୍ତଲ ଭଳି ଦେଖାଯାଉଥିବା ଏକ ଲାଇଟର ବୋଲି ପୋଲିସ କହିଛି। ହେଲେ ଅନ୍ଧାର ପରିସ୍ଥିତିରେ ଏହାକୁ ପିସ୍ତଲ ବୋଲି ଭାବି ଯୁବତୀ ଭୟଭୀତ ହୋଇଯାଇଥିବା ପୋଲିସ କହିଛି। ଏହି ଘଟଣାରେ ଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ଏବେ ମଧ୍ୟ ତଦନ୍ତ ଚାଲିଥିବା ସିପି ସ୍ପଷ୍ଟ କରିଛନ୍ତି। ତେଣୁ ଏହାକୁ ନେଇ ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିନାହିଁ ପୋଲିସ।
ଘଟଣା ପରେ ଅଭିଯୁକ୍ତ କିପରି ଫେରାର ହେଲା, ତାହା ମଧ୍ୟ ତଦନ୍ତରୁ ସାମ୍ନାକୁ ଆସିଛି। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ଲୁଟ୍ ପରେ ଅଭିଯୁକ୍ତ ନୟାପଲ୍ଲୀରୁ ପ୍ରଥମେ ସିଟି ବସ୍ରେ ସିଆରପି ଛକ ଅଞ୍ଚଳକୁ ଯାଇଥିଲା। ସେଠାରୁ ଅଟୋରେ ଭରତପୁର ଯାଇଥିଲା। ସେ ସେଠାରୁ ଏକ ନୂଆ ବାଇକ ଚୋରି କରି ଫେରାର ହୋଇଥିବା ପୋଲିସ କହିଛି।
ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍କୁ ମୁଖ୍ୟ ଆଧାର କରିଥିଲା। କ୍ରୁଟ୍ ପକ୍ଷରୁ ମିଳିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ସିପି କହିଛନ୍ତି।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଚକେଇସିହାଣୀ ଅଞ୍ଚଳରେ ରହୁଥିବା ବେଳେ ତାର ପୈତୃକ ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ। ତା’ ନାଁରେ ପୂର୍ବରୁ ମୋବାଇଲ୍ ଚୋରି ସମ୍ପର୍କିତ ମାମଲା ଥିବା ମଧ୍ୟ ପୋଲିସ କହିଛି।
ସୂଚନାରୁ ପ୍ରକାଶ, ଗତ ୩୦ ତାରିଖରେ ଅଭିଯୁକ୍ତ ଘରେ ପଶି ବନ୍ଧୁକ ମନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ୩ଟି ଟିମ୍ ଗଠନ କରିଥିଲା। ନୟାପଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ସେହି ସମୟରେ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା ପୋଲିସ। ଏହା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିଲା। ହେଲେ ଅଭିଯୁକ୍ତ ପୋଲିସ ଉପରକୁ ଫାୟାରିଂ କରିଥିଲା। ଜବାବରେ ପୋଲିସ ଗୁଳି ଚଳାଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲା। ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

