ମନ୍ଦିରରେ ବାବାଜୀ ଓ ତାଙ୍କ ଚେଲାଙ୍କୁ ହତ୍ୟା ପରେ ଜାଲିଦେଲେ!

ଖୁଦାଗଞ୍ଜ ଥାନା ଅଞ୍ଚଳର ଏକ ଶିବ ମନ୍ଦିରରେ ଘଟିଛି। ସକାଳ ପ୍ରାୟ ୭ଟାରେ ମନ୍ଦିରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ତା’ପରେ ଲୋକମାନେ ମନ୍ଦିର ପାଖକୁ ଦୌଡ଼ି ଯାଇଥିଲେ।

ଶାହଜାହାନପୁର: ଯେଉଁ ଶିବ ମନ୍ଦିରରେ ଦୀର୍ଘ ବର୍ଷ ଧରି ପୂଜା, ପ୍ରାର୍ଥନା ଓ ଭଜନ କିର୍ତ୍ତନରେ ଦିନ କାଟୁଥିଲେ। ଆଜି ସେହି ମନ୍ଦିରରେ ଗୁରୁବାର ସକାଳେ ଉଠିଲା ଧୂଆଁ। ମନ୍ଦିର ଭିତରକୁ ଯାଇ ଗାଁ ଲୋକେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଦୁଇ ସାଧୁଙ୍କ ମୃତଦେହ ନିଆଁରେ ଜଳୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ଉଭୟଙ୍କୁ ହତ୍ୟା ପରେ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାର ସୁଥା ଗାଁରେ ଏଭଳି ବୀଭତ୍ସ ଘଟଣା ଘଟିଛି।

ଘଟଣାଟି ଖୁଦାଗଞ୍ଜ ଥାନା ଅଞ୍ଚଳର ଏକ ଶିବ ମନ୍ଦିରରେ ଘଟିଛି। ସକାଳ ପ୍ରାୟ ୭ଟାରେ ମନ୍ଦିରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ତା’ପରେ ଲୋକମାନେ ମନ୍ଦିର ପାଖକୁ ଦୌଡ଼ି ଯାଇଥିଲେ। ସେତେବେଳେ ଦୁଇ ସାଧୁଙ୍କ ମୃତଦେହ ଜଳୁଥିବା ଦେଖିବାକୁ ପାଇଥିଲେ।

ମୃତକ ହେଉଛନ୍ତି ୭୦ ବର୍ଷୀୟ ବାବା ଗୋପାଳ ଦାସ ଓ ୬୦ ବର୍ଷୀୟ ବାବା ବିହାରୀ ଦାସ ବୋଲି ଚିହ୍ନଟ କରାଯାଇଛି। ଗୋପାଳ ଦାସ ଜଗଞ୍ଜ ଅଞ୍ଚଳର ବାସିନ୍ଦା। ସେ ଜଣେ ପ୍ରବଚକ ଭାବେ ପରିଚିତ ଥିଲେ। ପ୍ରାୟ ୨୦ ବର୍ଷ ଧରି ସେ ଏହି ମନ୍ଦିରରେ ରହୁଥିଲେ। ପୂଜା କରୁଥିଲେ ଓ ପ୍ରବଚନ ଦେଉଥିଲେ।

ଅନ୍ୟପଟେ ବିହାରୀ ଦାସ ସୁଥା ଗାଁର ବାସିନ୍ଦା। ପୂର୍ବରୁ ସେ ଗାଁର ଠାକୁରଜୀ ମନ୍ଦିରରେ ରହୁଥିଲେ। ପ୍ରାୟ ମାସକ ତଳେ ସେ ଗୋପାଳ ଦାସଙ୍କ ଶିଷ୍ୟ ହୋଇଥିଲେ। ଏହାପରେ ଦୁହେଁ ଶିବ ମନ୍ଦିରରେ ଏକାଠି ରହୁଥିବା ଗାଁ ଲୋକେ କହିଛନ୍ତି।

ଘଟଣାକୁ ନେଇ ବିହାରୀ ଦାସଙ୍କ ପୁତୁରା ପ୍ରଦୀପ ସିଂହ ଅଭିଯୋଗ କରିଛନ୍ତି; ନିକଟରେ ରହୁଥିବା ସୁମିତ ନାମକ ଜଣେ ଯୁବକ ଏହି ଘଟଣା ପଛରେ ଥାଇପାରନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଯୁବକ ପୂର୍ବରୁ ସାଧୁମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ହେପାଜତରେ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ମନ୍ଦିରରେ ଦୁଇ ସାଧୁଙ୍କୁ ହତ୍ୟା ପରେ ଦେହ ଜଳିଦେବାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ ଚଳାଇଛି।

ଦୁଇ ସାଧୁଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ରହିଛି, ତାହା ଜଣାପଡ଼ିନି। ମନ୍ଦିର ଜମିବାଡ଼ିକୁ ନେଇ ବିବାଦ ଯୋଗୁଁ ବାବାଜୀ ଓ ତାଙ୍କ ଚେଲାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସୁରକ୍ଷା ଦୃଷ୍ଟିରୁ ଗାଁ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।