ଅନୁପ୍ରବେଶ ଉଦ୍ୟମ ପଣ୍ଡ! ସୁରକ୍ଷାବାହିନୀ ଗୁଳିରେ ୨ ଆତଙ୍କବାଦୀ ନିପାତ

କୁପୱାଡ଼ା ଜିଲ୍ଲାର କେରନ୍ ସେକ୍ଟର ଅନ୍ତର୍ଗତ ଜୁମାଗୁଣ୍ଡ ଅଞ୍ଚଳରେ ଭୋର୍ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ସୁରକ୍ଷାକର୍ମୀ କିଛି ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ସୂଚନା ପାଇଥିଲେ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଶନିବାର ଭୋର ସମୟରେ ଦୁଇ ଆତଙ୍କୀଙ୍କୁ ଶିକାର କରିଛନ୍ତି ସୁରକ୍ଷାକର୍ମୀ। ଏବେ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।

କୁପୱାଡ଼ା ଜିଲ୍ଲାର କେରନ୍ ସେକ୍ଟର ଅନ୍ତର୍ଗତ ଜୁମାଗୁଣ୍ଡ ଅଞ୍ଚଳରେ ଭୋର୍ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ସୁରକ୍ଷାକର୍ମୀ କିଛି ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ସୂଚନା ପାଇଥିଲେ। ଏହାପରେ ଯବାନମାନେ ସତର୍କ ଅପରେସନ୍ କରିଥିଲେ। ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି କରିଥିଲେ। ପାଲଟା ଆକ୍ରମଣ କରିଥିଲେ ଯବାନ। ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା ଗୁଳି ବିନିମୟ। ଜବାବୀ କାର‌୍ୟ୍ୟାନୁଷ୍ଠାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ତେବେ ନିହତ ଆତଙ୍କବାଦୀମାନେ ପ୍ରକୃତରେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଞ୍ଚଳରେ ଅନ୍ୟ କେହି ଲୁଚି ରହିଛନ୍ତି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି।

ଏହି ଘଟଣା ପରେ ଏଲ୍‌ଓସି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତ ଅକ୍ଟୋବର ୧୨ ତାରିଖରେ ପୁଞ୍ଚ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର ନିକଟରେ ଏକ ବିସ୍ଫୋରଣରେ ଚାରି ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଲସ୍କର-ଏ-ତୋଇବାର ଜଣେ କମାଣ୍ଡର ଥିବା ସୂଚନା ମିଳିଥିଲା।