ରେସ୍‌ରେ ଜିତିବା ପାଇଁ ନେଲେ ଘୋଡ଼ା ଇଞ୍ଜେକ୍ସନ! ଦୌଡ଼ ଶେଷରେ ହସ୍ପିଟାଲରେ ଭର୍ତ୍ତି

ସାଙ୍ଗମାନେ ତୁରନ୍ତ ଦୁହିଁଙ୍କୁ ଖେରାଗଡ଼ ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଡାକ୍ତରୀ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା

ଆଗ୍ରା: ଦୌଡ଼ରେ ଜିତିବା ପାଇଁ ଥିଲା ଜୋଶ୍। ତେଣୁ ନିଜ ଶରୀରକୁ ‘ମେସିନ୍’ ଭଳି ଚଲାଇବାକୁ ଯାଇ ଦୁଇ ଯୁବକ ଏମିତି ଏକ ବିପଦପୂର୍ଣ୍ଣ ପଦକ୍ଷେପ ନେଲେ, ଯାହା ଶେଷରେ ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଇ ଦେଇଛି। ୬ କିଲୋମିଟର ଦୌଡ଼ରେ ଭଲ ପ୍ରଦର୍ଶନ କରିବା ପାଇଁ ଘୋଡ଼ାଙ୍କ ପାଇଁ ବ୍ୟବହୃତ ଷ୍ଟେରଏଡ ଇଞ୍ଜେକ୍ସନ ନେଇଥିବା ଅଭିଯୋଗ ହୋଇଛି।

ଘଟଣାଟି ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲା ଅନ୍ତର୍ଗତ ଖେରାଗଡ଼ ଥାନା ଅଞ୍ଚଳର। ଗୁରୁବାର ସକାଳ ପ୍ରାୟ ୭ଟାରେ ଗାଁରେ ମାରାଥନ କମିଟି ପକ୍ଷରୁ ୬ କିଲୋମିଟର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜେତାଙ୍କ ପାଇଁ ୨,୧୦୦ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୧,୧୦୦ ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୫୫୧ ଟଙ୍କା ପୁରସ୍କାର ରଖାଯାଇଥିଲା। ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ପଦକ ଦେବାର ମଧ୍ୟ ବ୍ୟବସ୍ଥା ହୋଇଥିଲା।

ଏହି ପ୍ରତିଯୋଗିତାରେ ଆଇଲା ଗାଁର ୧୬ ବର୍ଷୀୟ ଶ୍ୟାମବୀର ସିକରୱାର ଓ ୨୨ ବର୍ଷୀୟ ଗୌରବ ମଧ୍ୟ ଭାଗ ନେଇଥିଲେ। ଗାଁ ଲୋକଙ୍କ କହିବା ଅନୁସାରେ, ଶ୍ୟାମବୀର ଦ୍ୱିତୀୟ ଓ ଗୌରବ ଚତୁର୍ଥ ସ୍ଥାନରେ ରହିଥିଲେ। ଦୁହେଁ ସେନାରେ ନିଯୁକ୍ତି ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଦୌଡ଼ ପୂର୍ବରୁ ସେମାନେ ଯେଉଁ ପଦକ୍ଷେପ ନେଇଥିଲେ, ତାହା ଏବେ ଚିନ୍ତା ବଢ଼ାଇଛି। ଦୁହେଁଙ୍କ କହିବା ଅନୁସାରେ, ପ୍ରଦର୍ଶନ ଭଲ କରିବା ଓ ଶାରୀରିକ କ୍ଳାନ୍ତ ଦୂର କରିବା ପାଇଁ ଉଦ୍ଦେଶ୍ୟରେ ଘୋଡ଼ାଙ୍କ ପାଇଁ ବ୍ୟବହୃତ ୩ ମିଲିଲିଟରର ଏକ ଇଞ୍ଜେକ୍ସନ ନେଇଥିଲେ। ତେବେ ଦୌଡ଼ ଶେଷ ହେବା ପରେ ହଠାତ୍ ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା।

ସାଙ୍ଗମାନେ ତୁରନ୍ତ ଦୁହିଁଙ୍କୁ ଖେରାଗଡ଼ ସିଏଚ୍‌ସିରେ ଭର୍ତ୍ତି କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଡାକ୍ତରୀ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା। ସେମାନଙ୍କ ପାଖରୁ ଇଞ୍ଜେକ୍ସନର ଏକ ଖାଲି କାଚ ଶିଶି ମଧ୍ୟ ମିଳିଥିବା ଜଣାପଡ଼ିଛି।

ସିଏଚ୍‌ସି ଅଧୀକ୍ଷକ ଡାକ୍ତର ଆର୍.କେ. ସିଂହଙ୍କ ଅନୁସାରେ, ଯୁବକ ଦୁହେଁ ଦୌଡ଼ରେ ପ୍ରଦର୍ଶନ କରିବା ଓ ଥକାଣ କମାଇବା ପାଇଁ ଷ୍ଟେରଏଡ ଇଞ୍ଜେକ୍ସନ୍ ନେଇଥିଲେ। ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଚିକିତ୍ସା ପରେ ଦୁହେଁଙ୍କ ଅବସ୍ଥାରେ ସୁଧାର ହୋଇଥିଲା।

ଡାକ୍ତର ସ୍ପଷ୍ଟ ଭାବେ କହିଛନ୍ତି; ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଷ୍ଟେରଏଡ୍ କିମ୍ବା ଇଞ୍ଜେକ୍ସନ ନେବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ସେନା ନିଯୁକ୍ତି କିମ୍ବା ଶାରୀରିକ ପରୀକ୍ଷା ପାଇଁ ପ୍ରସ୍ତୁତ ଯୁବକମାନେ ଶୀଘ୍ର ଭଲ ପ୍ରଦର୍ଶନ କରିବାର ଲୋଭରେ ଏଭଳି ପଦକ୍ଷେପ ନେଲେ ବିପଦକୁ ଡାକି ଆଣିବେ।