ଶ୍ରୀରାମ ମନ୍ଦିର ଦାନ ଅର୍ଥ ଚୋରି: ରାସ୍ତାକୁ ଓହ୍ଲାଇବା ପାଇଁ ଶିବ ସୈନିକଙ୍କୁ ଠାକରେଙ୍କ ଆହ୍ୱାନ

ଉଦ୍ଧବ ଠାକରେ କହିଛନ୍ତି; ବିଜେପିର କ୍ଷମତାର ମୂଳ ହେଉଛି ରାମ ମନ୍ଦିର। ରାମମନ୍ଦିରକୁ ନେଇ ଯେଉଁ ଆନ୍ଦୋଳନ ହୋଇଥିଲା, ସେଥିରେ ଅନେକ ଶିବସୈନିକ ସାମିଲ ଥିଲେ

ମୁମ୍ବାଇ: ଆଜିି ରଣହୁଙ୍କାର ଦେଇଛନ୍ତି ଉଦ୍ଧବ ଠାକରେ। ବିଜେପି ଓ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ମନଇଚ୍ଛା ବର୍ଷିଛନ୍ତି। ରାମ ମନ୍ଦିର ଦାନ ଅର୍ଥ ଚୋରି ପ୍ରସଙ୍ଗ ଉଠାଇ କହିଛନ୍ତି, ହିନ୍ଦୁମାନେ କେବେ କ୍ଷମା ଦେବେ ନାହିଁ। ଏହି ଚୋରି ବିରୋଧରେ ପ୍ରତିବାଦ ଜଣାଇବା ଜୁଲାଇ ୫ ତାରିଖରେ ରାସ୍ତାକୁ ଉହ୍ଲାଇବାକୁ ଶିବ ସୈନିକଙ୍କୁ ଆହ୍ୱାନ ଦେଇଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି; ବିଜେପିର କ୍ଷମତାର ମୂଳ ହେଉଛି ରାମ ମନ୍ଦିର। ରାମମନ୍ଦିରକୁ ନେଇ ଯେଉଁ ଆନ୍ଦୋଳନ ହୋଇଥିଲା, ସେଥିରେ ଅନେକ ଶିବସୈନିକ ସାମିଲ ଥିଲେ। କିନ୍ତୁ ଆଜି ଯାହା ହେଉଛି ତାହା ଚିନ୍ତାଜନକ। ରାମମନ୍ଦିର ଲଢେଇକୁ ନେଇ ମୁମ୍ବାଇ ବହୁତ କିଛି ସହିଛି। ଯେଉଁଥିରେ ବୋମା ବିସ୍ଫୋରଣ ଓ ଦଙ୍ଗା ହୋଇଛି।

ସେ କହିଛନ୍ତି; ଆଜି ଯେଉଁ ବିଧାୟକ-ସାଂସଦମାନଙ୍କୁ ଭଙ୍ଗାଯାଉଛି, ତାକୁ ଅପରେସନ କୁହାଯାଉଛି। କିନ୍ତୁ ରାମ ମନ୍ଦିର ଉପରେ ଯେଉଁ ଡକାୟତି ହେଉଛି, ତା’ର ପ୍ରମାଣ ସାମ୍ନାକୁ ଆସିଛି। ଅଭିଯୋଗ ହେଉଛି ଯେ ଏହି ଚୋରି ଟଙ୍କା ନିର୍ବାଚନରେ ବ୍ୟବହାର ହେଉଛି।

ଠାକରେ ଆହୁରି କହିଛନ୍ତି; ଦାନ ଅର୍ଥ ଲୁଟ୍ ପ୍ରତିବାଦରେ ଆମେ ସମସ୍ତେ ୫ ଜୁଲାଇରେ ଦାଦର ରାମ ମନ୍ଦିରରେ ଏକାଠି ହେବୁ ଓ ନିଜ ବିରୋଧ ଜଣାଇବୁ। ଯେଉଁମାନେ ବାଲାସାହେବଙ୍କ ବିଚାର ଛାଡି ନାହାଁନ୍ତି, ଯେଉଁମାନେ ହିନ୍ଦୁ ଅଟନ୍ତି, ସେମାନେ ଏହି ଆନ୍ଦୋଳନରେ ସାମିଲ ହୁଅନ୍ତୁ। ଆମେ ରାମ ରକ୍ଷା ଆନ୍ଦୋଳନ କରିବୁ। ଯେଉଁଠି ଯେଉଁଠି ରାମ ମନ୍ଦିର ଓ ହନୁମାନ ମନ୍ଦିର ଅଛି, ସେଠାରେ ଏହି

ରାମ ରକ୍ଷା ଆନ୍ଦୋଳନ ବିଜେପି ବିରୋଧରେ କରିବୁ ବୋଲି ଠାକରେ କହିଛନ୍ତି।
ସେ କହିଛନ୍ତି; ହିନ୍ଦୁତ୍ୱ ନାମରେ ଏହି ଲୁଟ ଆମେ ସହିବୁ ନାହିଁ। ହିନ୍ଦୁମାନଙ୍କ ଭାବନା ଓ ହିନ୍ଦୁତ୍ୱ ସହ କେହି ଖେଳ ନକରନ୍ତୁ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୁଁ ରାମ ମନ୍ଦିର ଯାଇଥିଲି। ତା’ପରେ ମଧ୍ୟ ଯାଇଛି। ବିଜେପି ନିଜ ସ୍ୱାର୍ଥ ପାଇଁ ରାମ ମନ୍ଦିରର ପ୍ରସଙ୍ଗ କରିଥିଲା। ଆଜି ବହୁତ ଲୋକ ଅଛନ୍ତି ଯେଉଁମାନେ ସେତେବେଳେ ଜେଲ୍ ଯାଇଥିଲେ। କରସେବକ ମାଡ଼ ଖାଇଥିଲେ। ଏବେ ବିଜେପି ତା’ର ଫାଇଦା ଉଠାଉଛି। ଯେଉଁମାନେ ମନ୍ଦିର ଲୁଟୁଛନ୍ତି, ସେମାନଙ୍କୁ ହିନ୍ଦୁ କ୍ଷମା କରିବ ନାହିଁ।

ଉଦ୍ଧବ ଠାକରେ କହିଛନ୍ତି; ଉତ୍ତର ଭାରତୀୟ ଯେଉଁମାନେ ମୁମ୍ବାଇରେ ରହୁଛନ୍ତି, ଯେଉଁମାନେ ଜୟ ଶ୍ରୀରାମ କୁହନ୍ତି, ସେମାନେ ମଧ୍ୟ ଏହି ଆନ୍ଦୋଳନକୁ ଆସନ୍ତୁ। ଯେଉଁ ହିନ୍ଦୁମାନଙ୍କୁ ରାମ ମନ୍ଦିରରେ ଚୋରି ପସନ୍ଦ ନୁହେଁ, ସେମାନେ ଆମ ସହ ଯୋଡ଼ି ହୁଅନ୍ତୁ। ଦାଦର ହନୁମାନ ମନ୍ଦିରରେ ରାମ ରକ୍ଷା ସ୍ତୋତ୍ର, ହନୁମାନ ଚାଳିଶା ପାଠ କରାଯିବ। ଅଯୋଧ୍ୟା ମଧ୍ୟ ଯିବୁ। ମହାରାଷ୍ଟ୍ରରେ ପ୍ରଥମେ ଏହି ଆନ୍ଦୋଳନ ଆରମ୍ଭ କରାଯିବ।