fbpx

ବିଧାୟକ-ସାଂସଦ ହାତରୁ ଖସିଲେ, ମୁଖ୍ୟମନ୍ତ୍ରୀ ପଦ ଚାଲିଗଲା, ୫ ମାସରେ ଉଦ୍ଧବ କଣ କଣ ହରାଇଲେ

ମୁମ୍ବାଇ: ଚଳିତ ବର୍ଷ ଜୁନ ମାସରେ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ସହ ବିଦ୍ରୋହ କରି ଶିବସେନାର ବିଧାୟକଙ୍କୁ ନେଇ ପ୍ରଥମେ ଗୁଜରାଟ ଏବଂ ପୁଣି ଆସାମ ରିସର୍ଟରେ ଡେରା ପକାଇଥିଲେ। ଆଉ ଏହା ହେଉଛି ସେହି ସମୟ ଯାହା ପରଠୁ ଉଦ୍ଧବ ଠାକରେଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା। ଘଟଣାକୁ ଏବେ ପାଞ୍ଚ ମାସ ପୂରିଛି। ଏହି ସମୟ ମଧ୍ୟରେ ଉଦ୍ଧବଙ୍କ ପ୍ରତି ବିମୁଖ ହୋଇ ତାଙ୍କଠୁ ସମର୍ଥନ ପ୍ରତ୍ୟାହାର କରି ସାରିଛନ୍ତି ତାଙ୍କର ବିଧାୟକ ଏବଂ ସାଂସଦ। ମହାବିକାଶ ଅଘାଡି ସରକାରର ପତନ ଘଟି ସାରିଛି ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ଠାକରେ। ସଂପ୍ରତି ବାଜିରେ ଲାଗିଛି ଶିବସେନାର ରାଜନୈତିକ ଚିହ୍ନ। ମୋଟାମୋଟି ଉଦ୍ଧବ ଠାକରେ କେବଳ ଦଶହରା ରାଲି ସମୟରେ ଶିବାଜୀ ପାର୍କକୁ ହିଁ ବଞ୍ଚାଇ ପାରିଥିଲେ। ତଥାପି ସେହି ଦିନ ମୁମ୍ବାଇରେ ଅନ୍ୟ ଏକ ସ୍ଥାନରେ ଏକନାଥ ସିନ୍ଦେ ରାଲି କରି ଉଦ୍ଧବଙ୍କୁ ଆହ୍ଵାନ ଦେଇଛନ୍ତି।
ଶନିବାର ଏକ ବଡ ନିଷ୍ପତ୍ତିକ୍ରମେ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଗୋଷ୍ଠୀଙ୍କ ପାଇଁ ଶିବସେନାର ଚିହ୍ନର ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ନିଷ୍ପତ୍ତିରେ ସବୁଠୁ ଅଧିକ ଆଘାତ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଲାଗିଛି। ସିନ୍ଦେ ବି ନିଜକୁ ଅସଲି ଶିବସେନା ଦାବି କରୁଥିଲେ। କିନ୍ତୁ ସିମ୍ବଲ ତ ବାଲାସାହେବଙ୍କ ପୁଅ ଉଦ୍ଧବ ଠାକରେ ଉପଯୋଗ କରୁଥିଲେ। ତେବେ ନିର୍ବାଚନ ଆୟୋଗ କିଛିଟା ଆଶ୍ଵସ୍ତି ଦେଇ ଦୁଇ ଗୋଷ୍ଠୀକୁ ନୂତନ ଚିହ୍ନରେ ଶିବସେନାର ନାମ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।

କଣ ହରାଇ ସାରିଛନ୍ତି ଉଦ୍ଧବ
ବାଲାସାହେବ ଠାକରେଙ୍କ ରାଜନୈତିକ ପତିଆରାକୁ ଆଗକୁ ବଢାଉଥିବା ତାଙ୍କ ପୁଅ ଉଦ୍ଧବ ଠାକରେ ସଂପ୍ରତି ନିଜର ରାଜନୈତିକ କ୍ୟାରିୟରରେ ସବୁଠୁ ମୁସ୍କିଲ ସମୟ ଦେଇ ଗତି କରୁଛନ୍ତି। ପାର୍ଟିରେ ଜଣେ ନେତାଙ୍କ ବିଦ୍ରୋହକୁ ହାଲୁକା ଭାବେ ନେବା ତାଙ୍କୁ ଏମିତି ଭାରି ପଡିବ, ବୋଧହୁଏ ସେ କଳ୍ପନା କରି ପାରିନଥିଲେ। ଏକନାଥ ସିନ୍ଦେ ଜୁନ ମାସରେ ବିଦ୍ରୋହ କରି ଶିବସେନାର ବିଧାୟକଙ୍କ ଭରସା ଜିଣି ପାରିଥିଲେ। ପ୍ରଥମେ ଗୁଜରାଟ ଏବଂ ପୁଣି ଗୋଆ ରିସର୍ଟରେ ଡେରା ପକାଇଥିଲେ। ଉଦ୍ଧବ ଯେବେ ସର୍ତ୍ତ ମାନିବାକୁ ଅରାଜି ହେଲେ ସିନ୍ଦେ ନିଜର ଗୋଷ୍ଠୀ ବଡ କରିବା ଆରମ୍ଭ କରି ଦେଲେ। ଆଉ ତାଙ୍କ ସହିତ ବିଧାୟକ ସାମିଲ୍ ହେବାରେ ଲାଗିଲେ। ପୁଣି ସାଂସଦ ଏବଂ କର୍ପୋରେଟର ଉଦ୍ଧବଙ୍କୁ ଅଣଦେଖା କରିବା ଆରମ୍ଭ କଲେ। ଧିରେ ଧିରେ ଉଦ୍ଧବଙ୍କ ହାତରୁ ଅଧିକ ପ୍ରତିନିଧିଙ୍କ ସମର୍ଥନ ଖସିବାରେ ଲାଗିଲା ଏବଂ ଶେଷରେ ସେ କ୍ଷମତା ହରାଇଲେ। ଅନ୍ୟପକ୍ଷେ ବିଜେପି ସହ ମିଶି ସରକାର ଗଠନ କଲେ ଏକନାଥ ସିନ୍ଦେ। ନିଜକୁ ପ୍ରକୃତ ଶିବସୈନିକ ଦର୍ଶାଇ ନିର୍ବାଚନ ଆୟୋଗରେ ଦାବି କଲେ। ଆଉ ଏବେ ନିର୍ବାଚନ ଆୟୋଗ ଶିବସେନାର ଚିହ୍ନ ଉପରେ ବି ଉଦ୍ଧବଙ୍କୁ ଝଟକା ଦେଇ ଦେଲେ।

ଏବେ କଣ କରିବେ ଉଦ୍ଧବ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଅପରାହ୍ନରେ ଉଦ୍ଧବ ଠାକରେ ନିଜ ଗୋଷ୍ଠୀର ବରିଷ୍ଠ ପଦାଧିକାରୀ, ବିଧାୟକ ଏବଂ ସାଂସଦଙ୍କ ସହିତ ବୈଠକ କରି ପାରନ୍ତି। ଏଥିରେ ଗୋଷ୍ଠୀ ପାଇଁ ନୂତନ ଚିହ୍ନ ଏବଂ ନାମ ଉପରେ ନିଷ୍ପତ୍ତି ହୋଇପାରେ। ଏହା ମଧ୍ୟ ଶୁଣାଯାଉଛି ଉଦ୍ଧବ ଗୋଷ୍ଠୀ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇ ପାରନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ ଏମିତି କଲେ ଉଦ୍ଧବ ଗୋଷ୍ଠୀକୁ ଫାଇଦା ମିଳିବାର ସମ୍ଭାବନା ବହୁତ କମ। କାରଣ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହି ସାରିଛନ୍ତି ଯେ, ଶିବସେନାର ଚିହ୍ନ ଉପରେ ନିର୍ବାଚନ ଆୟୋଗଙ୍କୁ ନିଷ୍ପତ୍ତି କରିବା ଉଚିତ୍।

ସେପଟେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ବି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ଚଳଚଞ୍ଚଳ ହୋଇ ଉଠିଛି। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ବୈଠକ କରି ନୂତନ ଚିହ୍ନ ଏବଂ ନାମ ଉପରେ ବଡ ନିଷ୍ପତ୍ତି ହୋଇପାରେ। ଉଲ୍ଲେଖନୀୟ ଆଗାମୀ ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ଉପ ନିର୍ବାଚନ ହେବାକୁ ଯାଉଛି।

Get real time updates directly on you device, subscribe now.