fbpx

(Video) ଶିଶୁ ପିଠିର ଟ୍ୟୁମର ହେଲା ଅପରେସନ: ନୂଆ ଜୀବନ ପାଇଲା ଉଦିତ୍

ଓଡ଼ିଶା ଭାସ୍କରର ମହାପ୍ରଭାବ । ଖବର ପ୍ରସାରଣ ପରେ ସହାୟତା ସହ ନୂଆ ଜୀବନ ପାଇଲା କୁନି ଶିଶୁ । ଗୁଲୁ ଗୁଲିଆ କୁନି ଶିଶୁ ମୁହଁରେ ଫୁଟିଲା ହସ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଂଚାୟତ ଅନ୍ତର୍ଗତ ଦଧିବାମନ ପୁର ଗ୍ରାମର ଦିନ ମଜୁରୁଆ ଅଜୟ ଜେନାଙ୍କ ୬ ମାସର ଶିଶୁପୁତ୍ର ଉଦିତ୍ ଚିକିତ୍ସା ଅଭାବରୁ ଖୁବ କଷ୍ଟରେ ରହିଥିଲା । ଶିଶୁ ଯେତିକି ବଡ଼ ହେଉଥିଲା ଟ୍ୟୁମର ଟି ମଧ୍ୟ ସେତିକି ବଢି ଚାଲିଥିଲା ଫଳରେ ପିଲାଟି ଠିକରେ ଶୋଇ ମଧ୍ୟ ପାରୁ ନଥିଲା । ଏନେଇ ଗତକିଛି ଦିନ ତଳେ ଓଡ଼ିଶା ଭାସ୍କରରେ ପ୍ରଥମ କରି ଖବର ପ୍ରସାରଣ ହୋଇଥିଲା ।

ଅର୍ଥ ଅଭାବରୁ ଚିକିତ୍ସା ହେଇ ପାରୁନଥିବାରୁ ସହାୟତା ପାଇଁ ଅନୁରୋଧ କରିଥିଲେ ପରିବାର ବର୍ଗ । ଏନେଇ ଖବର ପରିବେଷଣ ପରେ ସେହି ଅସହାୟ ପରିବାର ପାଖରେ ପହଞ୍ଚିଥିଲେ ସିମୁଳିଆ ଓ ଖଇରାର ଯୁବ ନେତା ନୀଳମାଧବ ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା  । ପିଲାଟିକୁ ଭଲ କରିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେବା ସହ ଡାକ୍ତରଙ୍କ ସହ ପରାମର୍ଶ କରି ଶିଶୁ ପିଠିରେ ଥିବା ୫ କିଲୋ ଓଜନର ଟ୍ୟୁମର ଅପରେସନ କରିଛନ୍ତି । ଏନେଇ ପରିବାର ଲୋକେ ସାହାଯ୍ୟକାରୀଙ୍କୁ ଧନ୍ୟବାଦ ଦେବା ସହ ନିଜ ଖୁସି ଜାହିର କରିଛନ୍ତି । ଯାହାପରେ ଏବେ ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ ।

ଏହି ଅପରେସନ ପାଇଁ ଡାକ୍ତରଙ୍କୁ ୩ ଘଣ୍ଟା ସମୟ ଲାଗିଥିଲା ଏବଂ ଡାକ୍ତରଖାନାରେ ୧୫ ଦିନ ରହିବା ପରେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି  । ପିଲାଟି ମୁହଁରେ ହସ ଦେଖି ଶିଶୁକୁ ସାହାଯ୍ୟର ହାତ ବଢ଼ାଇଥିବା ନୀଳମାଧବ ପଣ୍ଡା ଓଡ଼ିଶା ଓ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓଡିଶା ଭାସ୍କରକୁ ଧନ୍ୟବାଦ ଜଣାଇଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.