fbpx

Professor of Practice ପଦବୀ ପାଇଁ ଆରମ୍ଭ ହେବ ନିଯୁକ୍ତି: ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଲା UGC

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ଖୁବଶୀଘ୍ର ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ପଦବୀରେ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି । ୟୁନିଭରସିଟି ଓ କଲେଜଗୁଡ଼ିକରେ ଏହି ପଦବୀରେ ନିଯୁକ୍ତି ନେଇ ପୂର୍ବରୁ ୟୁଜିସି ପକ୍ଷରୁ ମଞ୍ଜୁରୀ ମିଳିଥିଲା । ଜାତୀୟ ଶିକ୍ଷା ନୀତି-୨୦୨୦ର ସୁପାରିଶ ଆଧାରରେ ୟୁଜିସି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ । ଏନେଇ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସହିତ କୁଳପତି, ନିର୍ଦ୍ଦେଶକ ଓ ପ୍ରିନ୍ସପାଲଙ୍କୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏ ବାବଦରେ ଶିକ୍ଷକ ସଂଘ ଓ ୟୁଜିସି ମଧ୍ୟରେ ଆଲୋଚନା ହୋଇଥିଲା । ଦେଶରେ ଏବେ ହଜାର ହଜାର ପିଏଚଡି ଧାରୀ ଓ ନେଟ ପାସ୍ ଧାରୀ ବେକାର ହୋଇ ବୁଲୁଥିବା ବେଳେ ଏଭଳି ସ୍ଥିତିରେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ପଦବୀରେ ନିଯୁକ୍ତି ଦେବା ଠିକ୍ ହେବ ନାହିଁ ବୋଲି ବିରୋଧ କରାଯାଇଥିଲା । ପ୍ରଫେସର ଅଫ୍ ପ୍ରାକ୍ଟିସ ହେଉଛି ଏପରି ଏକ ଫ୍ୟାକଲଟି ପଦବୀ, ଯେଉଁଥିରେ କି କୌଣସି ଫର୍ମାଲ ଆକାଡେମିକ ଯୋଗ୍ୟତାର ଆବଶ୍ୟକତା ପଡ଼ିବନି । ଇଣ୍ଡଷ୍ଟ୍ରି ଓ ପ୍ରଫେସନାଲ ଏକ୍ସପର୍ଟସଙ୍କୁ କଲେଜରେ ପଢ଼ାଇବା ପାଇଁ ଏହି ଭର୍ତ୍ତି କରାଯିବ ।

ଏକ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ପଦବୀରେ ପ୍ରଫେସର ଅଫ୍ ପ୍ରାକ୍ଟିସ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦବୀର ସର୍ବାଧିକ କାର୍ଯ୍ୟକାଳ ୩ ବର୍ଷ ରହିବ । ଏଥିପାଇଁ ପ୍ରାର୍ଥୀଙ୍କର ୧୫ ବର୍ଷର ସର୍ଭିସ ଅଭିଜ୍ଞତା ରହିବା ସହ ମେଡିକାଲ, ଇଞ୍ଜିନିୟରିଂ, ଆଇନ ଓ ମିଡ଼ିଆ ସେକ୍ଟରରେ ଉଲ୍ଲେଖନୀୟ ଅବଦାନ ରହିଥିବା ଆବଶ୍ୟକ । ଏହିସବୁ ଯୋଗ୍ୟତା ଥିଲେ ଜଣଙ୍କୁ ପ୍ରଫେସର ଅଫ୍ ପ୍ରାକ୍ଟିସ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.