fbpx

UGCର ନୂଆ ଗାଇଡଲାଇନ୍: ଏଣିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏକସଙ୍ଗେ କରିପାରିବେ ଏକାଧିକ କୋର୍ସ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଦିବ୍ୟାଙ୍ଗ ପିଲାମାନେ ଏଣିକି ଏକାଧିକ କୋର୍ସ କରିପାରିବେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଏକସଙ୍ଗେ ଏକ ବା ଅଧିକ ଅପ୍ସନାଲ କୋର୍ସର ଉପଯୋଗ କରି କ୍ରେଡିଟ ହାସଲ କରିପାରିବେ । ଏନେଇ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି । ସମସ୍ତ ପକ୍ଷଙ୍କ ତରଫରୁ ଅକ୍ଟୋବର ୨୫ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ଆୟୋଗ ପକ୍ଷରୁ କୁହାଯାଇଛି ।

ୟୁଜିସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି, ଚଏସ୍ ବେସଡ୍ କ୍ରେଡିଟ ସିଷ୍ଟମ (ସିବିସିଏସ) ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦ ମୁତାବକ ଏକାଧିକ କୋର୍ସ କରିପାରିବେ । ସିବିସିଏସ ଏକ ଶୈକ୍ଷିକ ମଡେଲ ହୋଇଥିବା ବେଳେ ପିଲାମାନେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମ ଓ ବିଷୟକୁ ବାଛି ପାରିବେ ।

ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ରେ ଆକାଡେମିକ୍ କ୍ରେଡିଟ ବ୍ୟାଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଛାତ୍ରଛାତ୍ରୀମାନେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ସହଜରେ ଯାଇ ଅଧ୍ୟୟନ କରିପାରିବେ । ଏଥିସହିତ ଉପଯୁକ୍ତ କ୍ରେଡିଟ ଟ୍ରାନ୍ସଫର ସିଷ୍ଟମ ଜରିଆରେ ଗୋଟିଏ କାର୍ଯ୍ୟକ୍ରମରୁ ଅନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇପାରିବେ ବୋଲି ସେଥିରେ କୁହାଯାଇଛି ।

ନୂଆ ଗାଇଡଲାଇନ୍ ଅନୁଯାୟୀ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆକାଡେମିକ୍ କ୍ରେଡିଟ ବ୍ୟାଙ୍କ ସୁବିଧା ପ୍ରଦାନ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନମାନେ କିଛି ପଦକ୍ଷେପ ନେଇପାରିବେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏକସଙ୍ଗେ ଏକ ବା ଏକାଧିକ ବୈକଳ୍ପିକ କୋର୍ସର ଉପଯୋଗ କରି କ୍ରେଡିଟ ହାସଲ କରିବାକୁ ଅନୁମତି ଦିଆଯାଇ ପାରିବ ।

Get real time updates directly on you device, subscribe now.