UGCର କଡ଼ା ଚେତାବନୀ: କଲେଜର ମନମାନି ଆଉ ଚଳିବନି, ଫିସ୍ ରିଫଣ୍ଡ ନେଇ ଆସିଲା ବଡ଼ ନିଷ୍ପତ୍ତି! ଜାଣନ୍ତୁ….
ଫିସ୍ ଫେରସ୍ତ ନେଇ ଦେଶର ବିଭିନ୍ନ ରାଜ୍ୟରେ ଅଭିଯୋଗ, ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାକୁ UGCର କଡ଼ା ଚେତାବନୀ।
ନୂଆଦିଲ୍ଲୀ: ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଆଉ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିପାରିବେ ନାହିଁ! ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପଦରେ ପକାଇଥିବା ଏବଂ ପ୍ରବେଶ ବାତିଲ ପରେ ଫି ଫେରସ୍ତ କରିବାକୁ ମନା କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ଦୃଢ଼ ଦୃଷ୍ଟି ରଖିଛି। ଛାତ୍ରଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଏହି ପ୍ରତିଷ୍ଠାନଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ UGC ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳମାନଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡିଛି।
ଅନ୍ୟାୟ ବିରୋଧରେ ପ୍ରତିବାଦ ଏବଂ UGCର ଆଭିମୁଖ୍ୟ: ପ୍ରାୟତଃ ଦେଖାଯାଏ ଯେ, ବିଭିନ୍ନ କାରଣରୁ ଛାତ୍ରଛାତ୍ରୀମାନେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଜର ନାମଲେଖା ରଦ୍ଦ କରିଦିଅନ୍ତି। କିନ୍ତୁ, ବିଶ୍ୱବିଦ୍ୟାଳୟଗୁଡ଼ିକ ଅନେକ ସମୟରେ ନିୟମାବଳୀକୁ ଅଣଦେଖା କରନ୍ତି ଏବଂ ଫି’ ଫେରସ୍ତ କରିବାକୁ ସିଧାସଳଖ ମନା କରିଦିଅନ୍ତି, ଯେଉଁ ଅର୍ଥ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ପରିବାରବର୍ଗଙ୍କ କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ହୋଇଥାଏ। ୟୁଜିସି ସଚିବ ପ୍ରଫେସର ଶ୍ୟାମା ରଥ ସ୍ପଷ୍ଟ କରିଦେଇଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଏଭଳି ବେଆଇନ କାର୍ଯ୍ୟକଳାପ ତଥା ମନମୁଖୀ ଓ କେବଳ ଲାଭ ଉଦ୍ଦେଶ୍ୟରେ କରାଯାଉଥିବା ଆଚରଣକୁ ଆଉ ବରଦାସ୍ତ କରାଯିବ ନାହିଁ।
ଅକ୍ଟୋବର ୭ ତାରିଖରେ ସମସ୍ତ ୨୮ଟି ରାଜ୍ୟର ରାଜ୍ୟପାଳଙ୍କ ସଚିବମାନଙ୍କ ନିକଟକୁ ପଠାଯାଇଥିବା ଏକ ଜରୁରୀ ଚିଠିରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କେବଳ ତାମିଲନାଡୁ ରାଜ୍ୟରୁ ୨୦୨୧-୨୦୨୨ ରୁ ୨୦୨୫-୨୦୨୬ ଶିକ୍ଷାବର୍ଷ ମଧ୍ୟରେ ୧୫୦ଟି ଅଭିଯୋଗ ମିଳିଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ୨,୫୩୫ ଟଙ୍କାରୁ ଆରମ୍ଭ କରି ପ୍ରାୟ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଦେଇଥିଲେ ମଧ୍ୟ ସେମାନଙ୍କୁ ଅର୍ଥ ଫେରସ୍ତ ମିଳିନାହିଁ। ଏହି ତାଲିକାରେ ୧୧ଟି ‘ଡିମ୍ଡ’ ବିଶ୍ୱବିଦ୍ୟାଳୟ, ୩ଟି ଘରୋଇ ବିଶ୍ୱବିଦ୍ୟାଳୟ, ୧୬ଟି ସରକାରୀ ଅନୁଷ୍ଠାନ ଏବଂ ୫୪ଟି ଘରୋଇ କଲେଜ ଅନ୍ତର୍ଭୁକ୍ତ ରହିଛି।
ସମଗ୍ର ଦେଶରେ ଆଲୋଡ଼ନ: ଏଭଳି ଅମାନବୀୟ ଠକେଇର ଖବର କେବଳ ଗୋଟିଏ ରାଜ୍ୟରୁ ନୁହେଁ, ବରଂ ସାରା ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସାମ୍ନାକୁ ଆସିଛି। UGCର ଏକ ରିପୋର୍ଟ ଅନୁଯାୟୀ:
- ଉତ୍ତରପ୍ରଦେଶ: ସର୍ବାଧିକ ୫୭୨ଟି ମାମଲା।
- ଦିଲ୍ଲୀ: ୩୦୯ଟି ମାମଲା।
- ପଶ୍ଚିମବଙ୍ଗ: ୧୪୮ଟି ମାମଲା।
- କର୍ଣ୍ଣାଟକ: ୧୩୨ଟି ମାମଲା।
- ବିହାର: ୩୩ଟି ମାମଲା।
ଏହି ଘଟଣାଗୁଡ଼ିକ ଦର୍ଶାଏ ଯେ ଶିକ୍ଷାନୁଷ୍ଠାନଗୁଡ଼ିକ କିପରି ଛାତ୍ରଛାତ୍ରୀମାନଙ୍କୁ ଶୋଷଣ କରିଚାଲିଛନ୍ତି।
UGCର ନିୟମ ଅନୁଯାୟୀ କାହାକୁ ମିଳିବ ଟଙ୍କା ଫେରସ୍ତ?
ଛାତ୍ରଛାତ୍ରୀମାନଙ୍କ ଅଧିକାର ସୁରକ୍ଷା ପାଇଁ UGC ସ୍ପଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି:
- ଯଦି ନାମଲେଖା ପାଇଁ ନିର୍ଦ୍ଧାରିତ ଶେଷ ତାରିଖର ୧୫ ଦିନ କିମ୍ବା ତଦୁର୍ଦ୍ଧ୍ୱ ସମୟ ପୂର୍ବରୁ ନାମଲେଖା ବାତିଲ କରାଯାଏ, ତେବେ ଫି’ର ୧୦୦% ଅର୍ଥ ଫେରସ୍ତ କରାଯିବ।
- ଯଦି ଶେଷ ତାରିଖର ୧୫ ଦିନରୁ କମ୍ ସମୟ ପୂର୍ବରୁ ନାମଲେଖା ବାତିଲ କରାଯାଏ, ତେବେ ଫି’ର ୯୦% ଅର୍ଥ ଫେରସ୍ତ କରାଯିବ।
- ଶେଷ ତାରିଖର ୧୫ ଦିନ ପରେ, ଫି’ର ୮୦% ଅର୍ଥ ଫେରସ୍ତ କରାଯିବ।
- ଯଦି ଶେଷ ତାରିଖର ୩୦ ଦିନ ମଧ୍ୟରେ କିମ୍ବା ୧୫ ଦିନରୁ ଅଧିକ ସମୟ ମଧ୍ୟରେ ନାମଲେଖା ବାତିଲ କରାଯାଏ, ତେବେ ଫି’ର ୫୦% ଅର୍ଥ ଫେରସ୍ତ କରାଯିବ।
- ଯଦି ୩୦ ଦିନ ପରେ ନାମଲେଖା ବାତିଲ କରାଯାଏ, ତେବେ କୌଣସି ଅର୍ଥ ଫେରସ୍ତ କରାଯିବ ନାହିଁ।
ନିୟମ ପାଳନ ନ କରିବା ଦ୍ୱାରା କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ?
UGC ଚେତାବନୀ ଦେଇଛି ଯେ ଏହି ନିୟମ ଉଲ୍ଲଂଘନ କରୁଥିବା ଯେକୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ, ଯେମିତି କି:
- ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ସମସ୍ତ ଅନୁଦାନ ଏବଂ ଆର୍ଥିକ ସହାୟତା ବନ୍ଦ କରିଦିଆଯିବ।
- କମିଶନ ଦ୍ୱାରା ପ୍ରଦାନ କରାଯାଇଥିବା ଯେକୌଣସି ସହାୟତା ଯୋଜନା ପାଇଁ ଅନୁଷ୍ଠାନଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ।
- ଏପରି ପ୍ରତିଷ୍ଠାନଗୁଡ଼ିକର ନାମ ସରକାରୀ UGC ୱେବସାଇଟରେ ସାର୍ବଜନୀନ ଭାବରେ ପ୍ରକାଶ କରାଯିବ, ଯାହା ସେମାନଙ୍କୁ ପର୍ଦ୍ଦାଫାସ କରିବ।
- କଲେଜଗୁଡ଼ିକର ସମ୍ପୃକ୍ତି ପ୍ରତ୍ୟାହାର କରିବା ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ସୁପାରିଶ କରାଯିବ।
- ଆବଶ୍ୟକ ହେଲେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଆଇନଗତ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ।
ଶିକ୍ଷା କୌଣସି ବ୍ୟବସାୟିକ ଉଦ୍ୟମ ନୁହେଁ, ଏହା ଛାତ୍ରଛାତ୍ରୀମାନଙ୍କର ଏକ ମୌଳିକ ଅଧିକାର। UGCର ଏହି ପଦକ୍ଷେପ ‘ଶିକ୍ଷା ମାଫିଆ’ ଏବଂ ମନମୁଖୀ ଢଙ୍ଗରେ ପରିଚାଳିତ ହେଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ହଇଚଇ ସୃଷ୍ଟି କରିଛି।


