ରୁଷ ଉପରେ ୟୁକ୍ରେନ୍‌ର ବଡ଼ ଏୟାରଷ୍ଟ୍ରାଇକ୍, ଧୂଆଁ ଧୂଆଁ ହୋଇଗଲା ମିସାଇଲ୍‌ ଫ୍ୟାକ୍ଟ୍ରି

ରୁଷ ରାତିସାରା ୟୁକ୍ରେନ୍‌ ଉପରେ କଲା ଅନେକ ବାୟୁ ଆକ୍ରମଣ, ଷ୍ଟିଲ୍‌ ପ୍ଲାଣ୍ଟରେ ୨ ମୃତ

ଓଡିଶାଭାସ୍କର: ରୁଷ୍ ଉପରେ ଡ୍ରୋନ୍ ବର୍ଷା କଲା ୟୁକ୍ରେନ୍। ରବିବାର ଅର୍ଥାତ୍ ଆଜି ୟୁକ୍ରେନ ରୁଷ ଉପରୋ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବାୟୁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଶହ ଶହ ଡ୍ରୋନ୍‌ ବ୍ୟବହାର କରାଯାଇଛି।

ଆକ୍ରମଣରେ ଅତି କମ୍‌ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିଭ୍‌ ପକ୍ଷରୁ ରୁଷ ଉପରେ ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଓ ଘାତକ ପାଲଟା ଆକ୍ରମଣ ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ ଆସିଥିବା ଫଟୋ ଓ ଭିଡିଓ ଅନୁସାରେ, ପୋଡୋଲସ୍କରେ ଥିବା ୱାଇଲ୍ଡବେରିଜ୍‌ର ଏକ ଗୋଦାମକୁ ୟୁକ୍ରେନ୍‌ ଟାର୍ଗେଟ୍‌ କରିଥିଲା। ଆକ୍ରମଣ ପରେ ଆକାଶରେ କଳା ଧୂଆଁର ବଡ଼ ବଡ଼ ଗୁଚ୍ଛ ଦେଖିବାକୁ ମିଳିଥିଲା।

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରାତିସାରା ୮୨୨ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଧ୍ୱଂସ କରାଯାଇଛି। ଅନ୍ୟପଟେ, ରୁଷ ମଧ୍ୟ ୧୫ରୁ ୧୬ ଅଗଷ୍ଟ ରାତିରେ ୟୁକ୍ରେନ୍‌ ଉପରେ ଅନେକ ବାୟୁ ଆକ୍ରମଣ କରିଛି। ଏଥିରେ ଏକ ଷ୍ଟିଲ୍‌ ପ୍ଲାଣ୍ଟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

ରୁଷ ମାରି ଖସାଇଲା ୟୁକ୍ରେନ୍‌ର ୮୨୨ ଡ୍ରୋନ୍‌: ରିପୋର୍ଟ ଅନୁସାରେ, ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସାମ୍ପ୍ରତିକ ଆକ୍ରମଣ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ୮୨୨ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦିଆଯାଇଛି।

ମସ୍କୋ ଅଞ୍ଚଳର ଗଭର୍ଣ୍ଣର ଆନ୍ଦ୍ରେ ଭୋରୋବ୍ୟୋଭ କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଅଞ୍ଚଳ ଉପରେ ହୋଇଥିବା ସବୁଠାରୁ ବଡ଼ ୟୁକ୍ରେନୀୟ ଡ୍ରୋନ୍‌ ଆକ୍ରମଣ ମଧ୍ୟରୁ ଏହା ଅନ୍ୟତମ।

ଏଥିରେ ୮୩ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ପୋଡୋଲସ୍କ ଅଞ୍ଚଳରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି। ରୁଷର ସବୁଠାରୁ ବଡ଼ ଅନଲାଇନ୍‌ ରିଟେଲର୍‌ ୱାଇଲ୍ଡବେରିଜ୍‌ର ଏକ ଗୋଦାମ ଉପରେ ମଧ୍ୟ ଆକ୍ରମଣ ହୋଇଛି।

ରଏଟର୍ସ ଦାବି କରିଛି ଯେ, ୟୁକ୍ରେନ୍‌ ଗତ କିଛି ସପ୍ତାହ ଧରି ୱାଇଲ୍ଡବେରିଜ୍‌କୁ ଟାର୍ଗେଟ୍‌ କରୁଛି। ରୁଷର ଆର୍ଥିକ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବା ଏହାର ଏକ ବଡ଼ ପ୍ରୟାସର ଅଂଶ ବୋଲି କୁହାଯାଉଛି।

ଅନ୍ୟପଟେ, ଦକ୍ଷିଣ ରୁଷର ବେଲଗୋରୋଦ ନିକଟରେ ଏକ ବସ୍‌ ଉପରେ ଡ୍ରୋନ୍‌ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆଞ୍ଚଳିକ ଗଭର୍ଣ୍ଣର ନିଶ୍ଚିତ କରିଛନ୍ତି। ୟୁକ୍ରେନ୍‌ କହିଛି ଯେ, ରାତିସାରା ରୁଷର ରୋଷ୍ଟୋଭ ଅଞ୍ଚଳରେ ମିସାଇଲ୍‌ ଇନ୍ଧନ ତିଆରି କରୁଥିବା ଏକ କାରଖାନାକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି।

ୟୁକ୍ରେନ୍‌ ଓ ରୁଷ ପରସ୍ପର ଉପରେ ବଢ଼ାଇଲେ ଆକ୍ରମଣ: ଗତ କିଛି ସପ୍ତାହ ଧରି ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ ଜୋରଦାର କରିଛି। ଗତ ସପ୍ତାହରେ ରୁଷ ରୋମାନିଆ ସୀମା ନିକଟରେ ଡାନ୍ୟୁବ୍‌ ନଦୀ କୂଳରେ ଥିବା ୟୁକ୍ରେନ୍‌ର ସବୁଠାରୁ ବଡ଼ ଶସ୍ୟ ରପ୍ତାନି ବନ୍ଦର ଉପରେ ଆକ୍ରମଣ କରିଥିଲା।

ଏହାର ଜବାବରେ ୟୁକ୍ରେନ୍‌ ମଧ୍ୟ ରୁଷର ତେଲ ରିଫାଇନାରୀ ସମେତ ବିଭିନ୍ନ ସାମରିକ ଓ ରଣନୈତିକ ସ୍ଥାନ ଉପରେ ଆକ୍ରମଣ ବଢ଼ାଇଛି। ଏହା ସହ କଳା ସାଗରରେ ଉଭୟ ପକ୍ଷ ବାଣିଜ୍ୟିକ ଜାହାଜକୁ ମଧ୍ୟ ଟାର୍ଗେଟ୍‌ କରିଥିବା ଖବର ମିଳିଛି।

ୟୁକ୍ରେନୀୟ ଅଧିକାରୀଙ୍କ ଅନୁସାରେ, ରୁଷର ଆକ୍ରମଣରେ ଅତି କମ୍‌ରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ୧୪ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ବିଦ୍ୟୁତ୍‌ ଉତ୍ପାଦନ ଏବଂ ବ୍ଲାଷ୍ଟ ଫର୍ନେସ୍‌ ବିଭାଗରେ କ୍ଷୟକ୍ଷତି ହୋଇଛି। ଫଳରେ ପ୍ଲାଣ୍ଟର ଉତ୍ପାଦନ ପ୍ରକ୍ରିୟା ଆଂଶିକ ଭାବେ ବନ୍ଦ ହୋଇଯାଇଛି।

କିଭ୍‌ରେ ରୁଷ ଆକ୍ରମଣ, ଦୁଇ ଅଞ୍ଚଳରେ ଲାଗିଲା ନିଆଁ: କିଭ୍‌ର ମେୟର ଭିଟାଲି କ୍ଲିଚ୍କୋ କହିଛନ୍ତି ଯେ, ରବିବାର ସକାଳେ ରୁଷର ମିସାଇଲ୍‌ ଆକ୍ରମଣ ପରେ ରାଜଧାନୀର ଅତି କମ୍‌ରେ ଦୁଇଟି ଅଞ୍ଚଳରେ ନିଆଁ ଲାଗିଥିଲା।

ସହରର ସାମରିକ ପ୍ରଶାସନ ଅନୁସାରେ, ଏହି ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି। କିଭ୍‌ ଅଞ୍ଚଳର ଗଭର୍ଣ୍ଣର ଟିମୁର ତ୍କାଚେଙ୍କୋ କହିଛନ୍ତି ଯେ, ସମଗ୍ର ଅଞ୍ଚଳରେ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ଜଣେ ଶିଶୁଙ୍କ ସମେତ ଆଉ ତିନି ଜଣ ଆହତ ହୋଇଛନ୍ତି। ଏହା ସହ ରୋମାନିଆ ଉପରେ ମଧ୍ୟ ଏକ ଡ୍ରୋନ୍‌ ଖସାଇ ଦିଆଯାଇଥିବା ଖବର ମିଳିଛି।