୧୬୩ କିଲୋମିଟର କୋଷ୍ଟାଲ ହାଇୱେ ପାଇଁ ଖର୍ଚ୍ଚ ହେବ ୮,୩ ୦୦ କୋଟି

ସରକାର ରାମେଶ୍ୱରରୁ ପାରାଦୀପ ପର‌୍ୟ୍ୟନ୍ତ ନୂଆ କୋଷ୍ଟାଲ ହାଇୱେ ନିର୍ମାଣ କରିବେ। ପ୍ରାୟ ୧୬୩ କିଲୋମିଟର ଲମ୍ବ ଏହି ରାସ୍ତା ପାଇଁ ୮,୩ ୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆଜି ଏକ ଭଲ ଖବର ଆସିଛି। କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସରକାର ରାମେଶ୍ୱରରୁ ପାରାଦୀପ ପର‌୍ୟ୍ୟନ୍ତ ନୂଆ କୋଷ୍ଟାଲ ହାଇୱେ ନିର୍ମାଣ କରିବେ। ପ୍ରାୟ ୧୬୩ କିଲୋମିଟର ଲମ୍ବ ଏହି ରାସ୍ତା ପାଇଁ ୮,୩ ୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ହାଇବ୍ରିଡ୍ ମୋଡେଲ୍‌ରେ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରାଯିବ। ପ୍ରଥମଟି ରାମେଶ୍ୱରରୁ କୋଣାର୍କ ପର‌୍ୟ୍ୟନ୍ତ ଏକ ୪-ଲେନ ବିଶିଷ୍ଟ ରାସ୍ତା। ଦ୍ୱିତୀୟଟି କୋଣାର୍କରୁ ପାରାଦୀପ ପର‌୍ୟ୍ୟନ୍ତ ପେଭ୍‌ଡ ସୋଲ୍ଡର ସହିତ ଏକ ୨-ଲେନ୍ ବିଶିଷ୍ଟ ରାସ୍ତା।

ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗ ପାଇଁ ଡିଜାଇନ କରାଯାଇଥିବା ଏହି ହାଇୱେ ଯାତ୍ରା ସମୟକୁ ୨ ଘଣ୍ଟା ୩୦ ମିନିଟ୍ କମାଇବ ବୋଲି ଆଶା କରାଯାଉଛି। ଏହାସହ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ଯାତ୍ରୀ ଓ ମାଲ୍ ପରିବହନ ସହଜ ହୋଇପାରିବ।
ଅଧିକାରୀଙ୍କ କହିବାନୁଯାୟୀ, ଏହି ପ୍ରକଳ୍ପ ସାମାଜିକ-ଅର୍ଥନୈତିକ ବିକାଶକୁ ମଧ୍ୟ ସ୍ପିଡ୍ ଦେବ। ସ୍ୱର୍ଣ୍ଣ ଚତୁର୍ଭୁଜର ଅଂଶବିଶେଷ ଏହି କରିଡର, ପୁରୀ-ସାତପଡ଼ା ଓ ପୁରୀ-କୋଣାର୍କ ଭଳି ଜନଗହଳିପୂର୍ଣ୍ଣ ରାସ୍ତାଗୁଡ଼ିକୁ ଟ୍ରାଫିକ ଜାମ୍‌ରୁ ମୁକ୍ତି ପାଇବ।

ଆଜି ବସିଥିଲା କେନ୍ଦ୍ର କ୍ୟାବିନେଟ୍ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଡ଼ିଶା ବ୍ୟତୀତ ତେଲେଙ୍ଗା ଓ ମଧ୍ୟପ୍ରଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ଶ୍ରୀ ବୈଷ୍ଣବ କହିଛନ୍ତି, ତେଲେଙ୍ଗାନାରେ ଜାତୀୟ ରାଜପଥ ଗୁଡ଼ିକର ସମ୍ପ୍ରସାରଣ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହା ଅଧୀନରେ ଆର୍ମୁରରୁ ଜଗତିୟାଲ ହୋଇ ମଞ୍ଚେରିଆଲ୍ ପର‌୍ୟ୍ୟନ୍ତ ଜାତୀୟ ରାଜପଥ-୬୩ ଓ ଜଗତିୟାଲରୁ କରିମନଗର ପର‌୍ୟ୍ୟନ୍ତ ଜାତୀୟ ରାଜପଥ-୫୬୩କୁ ଚାରି ଲେନ ବିଶିଷ୍ଟ କରାଯିବ। ଉଭୟ ମାର୍ଗର ମୋଟ ଲମ୍ବ ପ୍ରାୟ ୧୯୧ କିଲୋମିଟର ହେବ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ବାବଦରେ ୭,୫୯୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତା ପ୍ରଶସ୍ତ ହେବା ଦ୍ୱାରା ଯାନବାହନ ଚଳାଚଳ ସହଜ ହେବ। ଯାତ୍ରା ସମୟ କମିବ ଓ ସଡ଼କ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସେ ଆହୁରି କହିଛନ୍ତି, ମଧ୍ୟପ୍ରଦେଶରେ ସଡ଼କ ସୁଧାର ଓ ସମ୍ପ୍ରସାରଣ ପାଇଁ ଦୁଇଟି ପ୍ରମୁଖ କାର‌୍ୟ୍ୟ କରାଯିବ। ଏନ୍‌ଏଚ୍-୩୪୭-ବି’ର ହିଭରଖେଡି, ରୋଶନୀ, ଆଶାପୁର ଓ ରୁଧି ସେକ୍ସନକୁ ଅଧିକ ଉନ୍ନତ କରାଯିବ। ସେହିପରି ଦେଶଗାଁରୁ ଜୁଲୱାନିଆ ପର‌୍ୟ୍ୟନ୍ତ ରାସ୍ତାକୁ ଦୁଇ ଲେନରୁ ଚାରି ଲେନକୁ ବୃଦ୍ଧି କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଯୋଗାଯୋଗ ମଜଭୁତ ହେବ। ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ସଡ଼କ ନେଟୱର୍କ ଶକ୍ତିଶାଳୀ ହେବ ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ।