କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ କରାଯାଉଛି ବଦନାମ, ନିନ୍ଦା କଲେ ଆଇନ୍ ମନ୍ତ୍ରୀ
ଡକ୍ଟର ଆର୍. ଜୟରାମନ କହିଛନ୍ତି, ‘ଏକ୍ସ' ପ୍ଲାଟଫର୍ମରେ ମୋ ବିଷୟରେ ଏକ ପୋଷ୍ଟ କରାଯାଇଛି। ଯେଉଁଥିରେ ମୋତେ ରାଧାକ୍ରିଷ୍ଣନ୍ ଜୟରାମନ ଭାବେ ଦର୍ଶାଯାଇଛି। ପ୍ରକୃତରେ ମୁଁ ହେଉଛି ଡକ୍ଟର ଆର୍. ଜୟରାମନ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଦନାମ କରାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କ ନାଁ ଯୋଡ଼ି ମିଥ୍ୟା ପ୍ରଚାର କରାଯାଉଛି। ଆମେରିକାର ମେଲରୋଜ୍ ଅଞ୍ଚଳରେ ଥିବା ଏକ ଘର ତାଙ୍କ ସହ ଜଡ଼ିତ ବୋଲି ପ୍ରଚାର କରାଯାଉଛି। ହେଲେ ଏଥିରେ କୌଣସି ସତ୍ୟାସତ୍ୟ ନଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ସୋସିଆଲ ମିଡ଼ିଆରେ କରାଯାଉଥିବା ଅପ ପ୍ରଚାରକୁ ନିନ୍ଦା କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସୋସିଆଲ୍ ମିଡିଆରେ କୁହାଯାଉଛି; ଆମେରିକା ମେଲରୋଜ୍ରେ ଥିବା ଘରଟି ରାଜେନ୍ଦ୍ର ମହାପାତ୍ର ଓ ତାଙ୍କ ପତ୍ନୀ କୋମଳ ମହାପାତ୍ରଙ୍କ ନାମରେ ଥିବା କଥା କୁହାଯାଉଛି। ଏହି ଦମ୍ପତି ଆମେରିକାରେ ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି। ସେମାନେ ସେଠାରେ ବ୍ୟବସାୟ କରୁଥିବା ଦାବି କରାଯାଇଛି। କିନ୍ତୁ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି, ଏହି ଦାବି ସମ୍ପୂର୍ଣ୍ଣ ଭୁଲ୍ ଓ ଭ୍ରମାତ୍ମକ। ଉପଲବ୍ଧ ରେକର୍ଡ ଓ ତଥ୍ୟ ଅନୁସାରେ, ରାଜେନ୍ଦ୍ର ମହାପାତ୍ର ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କୌଣସି ପାରିବାରିକ, ବ୍ୟକ୍ତିଗତ କିମ୍ବା ଆର୍ଥିକ ସମ୍ପର୍କ ନାହିଁ।
ଓଡ଼ିଶାର ତାଳଚେର ଅଞ୍ଚଳର ମାଣିକମରା ଗାଁର ରାଜେନ୍ଦ୍ର କୁମାର ମହାପାତ୍ର, ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଚିତ ହୋଇପାରନ୍ତି। କିନ୍ତୁ ସେ ଏକ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି। ତାଙ୍କ ପତ୍ନୀଙ୍କ ନାମ ଆରତୀ ମହାପାତ୍ର। ସେ କେବେ ଆମେରିକା ଯାଇନାହାନ୍ତି। ମେଲରୋଜ୍ ଘର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। କେବଳ ସମାନ ନାମ ଓ ଉପନାମ ଥିବାରୁ ଏକ ବଡ଼ ଷଡ଼ଯନ୍ତ୍ର ରଚନା କରାଯାଇଛି। ବିଭିନ୍ନ ତଥ୍ୟ ଓ ଅଫିସିଆଲ୍ ରେକର୍ଡର ଯାଞ୍ଚ ପରେ ପ୍ରମାଣିତ ହୋଇଛି ଯେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ।
ଏହି ପ୍ରଚାର ପଛରେ କିଛି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ସକ୍ରିୟ ଥିବା ଅଭିଯୋଗ ହୋଇଛି। ବିଶେଷ କରି ‘McLeanToQuantico’ ଆକାଉଣ୍ଟ୍ ବିରୋଧରେ ଭ୍ରାନ୍ତ ତଥ୍ୟ ପ୍ରସାରଣର ଅଭିଯୋଗ ଉଠିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାରର ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇପାରିବ।
ରାଜନୈତିକ ଜୀବନରେ ଏପରି ଭ୍ରାନ୍ତି ପ୍ରସାରଣ ନୂଆ ନୁହେଁ। କିନ୍ତୁ ସତ୍ୟ ସବୁବେଳେ ବିଜୟୀ ହୁଏ। ତଥ୍ୟ, ରେକର୍ଡ ଓ ପ୍ରମାଣ ଆଧାରରେ ଆଲୋଚନା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ସଚେତନ ରୁହନ୍ତୁ। ଭ୍ରାନ୍ତ ଖବର ସେୟାର କରିବା ପୂର୍ବରୁ ଯାଞ୍ଚ କରନ୍ତୁ।
ସ୍ପଷ୍ଟୀକରଣ ଦେଲେ ଡକ୍ଟର ଆର୍. ଜୟରାମନ
ଡକ୍ଟର ଆର୍. ଜୟରାମନ କହିଛନ୍ତି, ‘ଏକ୍ସ’ ପ୍ଲାଟଫର୍ମରେ ମୋ ବିଷୟରେ ଏକ ପୋଷ୍ଟ କରାଯାଇଛି। ଯେଉଁଥିରେ ମୋତେ ରାଧାକ୍ରିଷ୍ଣନ୍ ଜୟରାମନ ଭାବେ ଦର୍ଶାଯାଇଛି। ପ୍ରକୃତରେ ମୁଁ ହେଉଛି ଡକ୍ଟର ଆର୍. ଜୟରାମନ। ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ବିଜନେସ୍ ଷ୍ଟଡିଜ୍ରେ ଜଣେ ସିନିୟର ପ୍ରଫେସର ଭାବେ କାର୍ୟ୍ୟ କରି ୧୪ ବର୍ଷ ହେବ ଅବସର ଗ୍ରହଣ କରିସାରିଛି। ମୁଁ କେବେ ମଧ୍ୟ ଆମେରିକାର ମେରଲୋଜ୍ ଯାଇନାହିଁ। ମୁଁ ସେଠାରେ କାହାକୁ ମଧ୍ୟ ଜାଣିନାହିଁ। ଏହା ସହିତ, ମୁଁ ଆଜି ପର୍ୟ୍ୟନ୍ତ ମାନ୍ୟବର ମନ୍ତ୍ରୀ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଭେଟିନାହିଁ। କିନ୍ତୁ ଅଯଥାରେ ମୋ ନାଁକୁ ଏଥି ମଧ୍ୟକୁ ଟଣାଯାଇଛି। କାରଣ ମୁଁ ଉଙଋଗଚଞ ଋଊଟଞଋଉଐ ର ଜଣେ ନିର୍ଦ୍ଦେଶକ ଅଛି। ଏହା ଏକ ସମ୍ପୂର୍ଣ୍ଣ ଭିତ୍ତିହୀନ ଅଭିଯୋଗ।
ସେ ଆହୁରି କହିଛନ୍ତି, ଯେଉଁ ବ୍ୟକ୍ତି ଏଭଳି ଏକ ଦାୟିତ୍ୱହୀନ ପୋଷ୍ଟ କରିଛନ୍ତି, ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି। ମୁଁ ସରକାରଙ୍କୁ ମଧ୍ୟ ଅନୁରୋଧ କରୁଛି, ଯେଉଁମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସୋସିଆଲ ମିଡିଆର ଅପବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
କେନ୍ଦ୍ରମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ କରାଯାଉଥିବା ବଦନାମକୁ ନିନ୍ଦା କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କେନ୍ଦ୍ରମନ୍ତ୍ରୀଙ୍କ ରାଜନୈତିକ ସଫଳତା ପ୍ରତି ଈର୍ଷାନ୍ବିତ ହୋଇ ତାଙ୍କ ଛବି ମଳିନ କରିବାକୁ ଏଭଳି ଅପପ୍ରୟାସ କରାଯାଉଥିବା ଆଇନ ମନ୍ତ୍ରୀ କହିଛନ୍ତି।

