fbpx

Old Pension Schemeକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କ ପେନସନ୍ ପାଇଁ ଗଠନ ହେବ କମିଟି

ନୂଆଦିଲ୍ଲୀ: ପୁରୁଣା ପେନସନ ସ୍କିମ (ଓପିଏସ)କୁ ପୁଣି ଥରେ ଲାଗୁ କରିବା ପାଇଁ କର୍ମଚାରୀମାନେ ବାରମ୍ବାର ଦାବି କରି ଆସୁଛନ୍ତି । ଦେଶର ପ୍ରତି ଅଣବିଜେପି ଶାସିତ ରାଜ୍ୟରେ ବିରୋଧୀମାନେ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ଆସୁଛନ୍ତି । ଗତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓପିଏସକୁ ଏକ ବଡ଼ ମୁଦ୍ଦା ଭାବେ ଉପସ୍ଥାପନ କରିଥିବା ବେଳେ ରାଜ୍ୟରେ ସରକାର ଗଠନ ହେବା ପରେ ଏହାକୁ ଲାଗୁ କରିବା ନେଇ ଘୋଷଣା କରିଛି ।

ତେବେ ଆଜି ସଂସଦରେ କେନ୍ଦ୍ର ସରକାର ଓପିଏସକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପେନସନ ପ୍ରସଙ୍ଗରେ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଅର୍ଥ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ । ଏହି କମିଟି ପେନସନ ସ୍କିମର ରିଭ୍ୟୁ କରିବ । ଏହି ଅବସରରେ ଅର୍ଥମନ୍ତ୍ରୀ ଲୋକସଭାରେ ଫାଇନାନ୍ସ ବିଲ ଆଗତ କରିବା ସହ ହଙ୍ଗାମା ମଧ୍ୟରେ ଭୋଗିଂ ହୋଇଥିଲା ଓ ତାହା ପାସ ହୋଇଥିଲା ।

ଗତ ୨୦୦୪ ପରଠାରୁ ଦେଶରେ ନୂଆ ବା ଜାତୀୟ ପେନସନ ସ୍କିମ (ଏନପିଏସ) ଲାଗୁ ହୋଇଥିଲା । ଦୁଇ ସ୍କିମରେ କିଛି ଫାଇଦା ଓ କିଛି କ୍ଷତି ରହିଛି । ଓପିଏସରେ ଅବସର ସମୟରେ କର୍ମଚାରୀଙ୍କୁ ଦରମାର ଅଧା ରାଶି ପେନସନ ଆକାରରେ ମିଳିଥାଏ । ଏଥିସହିତ ଏଥିରେ କର୍ମଚାରୀଙ୍କ ବେତନରୁ କିଛି ପଇସା କଟିବାର ନିୟମ ନାହିଁ । ଏଥିରେ କର୍ମଚାରୀଙ୍କୁ ସରକାରଙ୍କ ଟ୍ରେଜେରୀ ମାଧ୍ୟମରେ ଅର୍ଥ ଦିଆଯାଏ । ଏଥିରେ ପ୍ରତି ୬ ମାସ ପରେ ମହଙ୍ଗା ଭତ୍ତା (ଡିଏ) ମିଳିବାର ନିୟମ ରହିଛି । ସରକାର ନୂଆ ବେତନ ଆୟୋଗ (ପେ କମିଶନ) ଲାଗୁ କରିବା ସମୟରେ ପେନସନ ରାଶି ବଢ଼ିଥାଏ ।

ମୋଟ ଜମା ରାଶି ଓ ନିବେଶର ରିଟର୍ଣ୍ଣ ଆଧାରରେ ଏନପିଏସ ନିର୍ଦ୍ଧାରିତ ହୋଇଥାଏ । ଏଥିରେ କର୍ମଚାରୀଙ୍କ ଯୋଗଦାନ ସେମାନଙ୍କର ବେସିକ ସାଲାରୀ ଓ ଡିଏର ୧୦ ପ୍ରତିଶତ କର୍ମଚାରୀଙ୍କୁ ମିଳିଥାଏ । ଏହି ଯୋଗଦାନ ରାଜ୍ୟ ସରକାର ଦେଇଥାନ୍ତି । ୨୦୦୯ ମସିହା ମେ ମାସ ୧ ତାରିଖରେ ଏନପିଏସ ସମସ୍ତଙ୍କ ପାଇଁ ଲାଗୁ ହୋଇଥିଲା । ଓପିଏସରେ କର୍ମଚାରୀଙ୍କର ବେତନରୁ କିଛି କଟୁ ନଥିଲା । ଏନପିଏସରେ କର୍ମଚାରୀଙ୍କ ଦରମାରୁ ୧୦ ପ୍ରତିଶତ କଟିଥାଏ । ଓପିଏସରେ ଜିପିଏଫ ସୁବିଧା ରହିଥିବା ବେଳେ ଏନପିଏସରେ ଏହି ସୁବିଧା ନାହିଁ । ଓପିଏସରେ ଅବସର ବେଳେ ଅଧା ଦରମା ପେନସନ ଆକାରରେ ମିଳୁଥିବା ବେଳେ ଏନପିଏସରେ ପେନସନର କିଛି ଗ୍ୟାରେଣ୍ଟି ନାହିଁ । ଓପିଏସ ଏକ ସୁରକ୍ଷା ଯୋଜନା, କାରଣ ଏହାର ଭରଣା ସରକାରୀ ରାଜକୋଷରୁ ହୋଇଥାଏ । ମାତ୍ର ଏନପିଏସ ଶେୟାର ବଜାର ଆଧାରରେ ହୋଇଥାଏ । ବଜାରର ସ୍ଥିତି ଅନୁସାରେ ଭରଣା କରାଯାଇଥାଏ ।

Get real time updates directly on you device, subscribe now.