ଉର୍ଫି ଜାଭେଦଙ୍କ ଫଟୋ ଦେଖି ପ୍ରଶଂସକ ନିରାଶ
ଗତ କିଛି ଦିନ ହେବ ଉର୍ଫି ଜାଭେଦ ଚର୍ଚ୍ଚାରେ ରହିଥିଲେ। କାରଣ ସୋସିଆଲ ମିଡିଆରେ ତାଙ୍କର ଧର୍ମ ପରିବର୍ତ୍ତନ ଓ ନାମ ବଦଳାଇବା ନେଇ ଗୁଜବ ଦ୍ରୁତ ଗତିରେ ବ୍ୟାପୁଥିଲା
ନୂଆଦିଲ୍ଲୀ: ଉର୍ଫି ଜାଭେଦ ନିଜର ବୋଲ୍ଡ ପୋଷାକ, ସେନ୍ସ ଓ ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏଥର କିନ୍ତୁ ସେ ନିଜର ନୂଆ ଅବତାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଯାହା ତାଙ୍କୁ ନିଆରା କରିଛି। ସବୁବେଳେ ବୋଲ୍ଡ ପୋଷାକରେ ରହୁଥିବା ଉର୍ଫିଙ୍କୁ ମାଆ କାମାକ୍ଷା ଦେବୀଙ୍କ ମନ୍ଦିରରେ ଦେଖିବାକୁ ମିଳିଥିଲା। ସବୁବେଳେ ନିଜକୁ ନାସ୍ତିକ କହୁଥିବା ଉର୍ଫି ହଠାତ୍ ମାଆ କାମାକ୍ଷାଙ୍କ ଶରଣ ପଶିବାକୁ ଗ୍ରହଣ କରୁନାହାନ୍ତି ତାଙ୍କ ପ୍ରଶଂସକ। ଆଉ ଥଟାରେ କହୁଛନ୍ତି, ନାସ୍ତିକ ଉର୍ଫି କଣ ପାପ ଧୋଇବାକୁ କାମାକ୍ଷା ମନ୍ଦିର ଯାଇଛନ୍ତି?
ନିକଟରେ ଉର୍ଫି ଆସାମର ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିରରେ ପହଞ୍ଚିଥିଲେ। ଯେଉଁଠାରେ ସେ ବିଧି-ବିଧାନ ସହ ଦର୍ଶନ କରିଥିଲେ। ଉର୍ଫି ଜାଭେଦ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କାମାକ୍ଷା ଦେବୀ ମନ୍ଦିରର ଅନେକ ଫଟୋ ସେୟାର କରିଥିଲେ।
ଏହି ଫଟୋଗୁଡ଼ିକରେ ସେ ଈଷତ୍ ସବୁଜ ରଙ୍ଗର ସୁଟ, ମୁଣ୍ଡରେ ଗୋଲାପି ଦୋପଟ୍ଟା ଓ କାନ୍ଧରେ ନାଲି ଚୁନରୀ ପକାଇଥିବାର ନଜର ଆସିଛନ୍ତି। କପାଳରେ ତିଲକ ଲଗାଇଥିବା ଉର୍ଫିଙ୍କ ଏହି ରୂପ ତାଙ୍କ ପ୍ରଶଂସକଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଥିଲା।
ଫଟୋ ଗୁଡ଼ିକ ସହ ସେ ଲେଖିଛନ୍ତି, ‘ଗୁଆହାଟୀରେ କାମାକ୍ଷା ଦେବୀ ମନ୍ଦିର ଦର୍ଶନ କଲି’। ଏହା ପରେ କମେଣ୍ଟ ସେକ୍ସନରେ ଲୋକମାନେ ନିଜ ନିଜର ମତ ଦେବା ଆରମ୍ଭ କରିଦେଇଥିଲେ।
ଧର୍ମ ପରିବର୍ତ୍ତନ ଖବରକୁ ନେଇ କହିଥିଲେ ଉର୍ଫି
ଗତ କିଛି ଦିନ ହେବ ଉର୍ଫି ଜାଭେଦ ଚର୍ଚ୍ଚାରେ ରହିଥିଲେ। କାରଣ ସୋସିଆଲ ମିଡିଆରେ ତାଙ୍କର ଧର୍ମ ପରିବର୍ତ୍ତନ ଓ ନାମ ବଦଳାଇବା ନେଇ ଗୁଜବ ଦ୍ରୁତ ଗତିରେ ବ୍ୟାପୁଥିଲା। ଦାବି କରାଯାଉଥିଲା ଯେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ନିଜ ନାମ ବଦଳାଇ ‘ଗୀତା’ ରଖିଛନ୍ତି। ତେବେ ଉର୍ଫି ଏହି ସବୁ ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।
ସେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି; ଧର୍ମ ବଦଳାଇ ନାହାନ୍ତି କି ନିଜ ନାମ ମଧ୍ୟ ବଦଳାଇ ନାହାନ୍ତି। କୌଣସି ଧର୍ମକୁ ମାନନ୍ତି ନାହିଁ। ନିଜକୁ ଜଣେ ନାସ୍ତିକ ବୋଲି ଭାବେ। ମିଥ୍ୟା ଖବର ପ୍ରସାରଣ କରୁଥିବା ଲୋକଙ୍କ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ; ବିନା ସତ୍ୟାସତ୍ୟ ଯାଞ୍ଚ କରି ଏଭଳି କଥା ପ୍ରଚାର କରିବା ଦାୟିତ୍ୱହୀନତା ଅଟେ।
ତାଙ୍କ କହିବା ଅନୁଯାୟୀ, କେବେ ବି ନିଜ ନାମ ବଦଳାଇ ନାହାନ୍ତି କିମ୍ବା କୌଣସି ଧର୍ମ ଆପଣେଇ ନାହାନ୍ତି। ଏହି କାରଣରୁ କାମାକ୍ଷା ମନ୍ଦିରର ଫଟୋ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ ତାଙ୍କର ପୁରୁଣା ବୟାନ ଏବଂ ସାମ୍ପ୍ରତିକ ପୋଷ୍ଟକୁ ଯୋଡ଼ି ଭିନ୍ନ ଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି।


