fbpx

BJPର ନୂଆ ଟିମ୍ ଘୋଷଣା: ୧୮ ଜଣ ଉପାଧ୍ୟକ୍ଷ, ୭ ଜଣ ସାଧାରଣ ସମ୍ପାଦକ, ୫୧ ଜଣଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ବର୍ଷ ଛଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ତେଣୁ ଏହା ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ତୃଣମୂଳ ସ୍ତରରୁ ତା’ର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ଗତ ୨୩ ତାରିଖରେ ବିଜେପି ୪ଟି ରାଜ୍ୟରେ ନୂଆ ପ୍ରଦେଶ ସଭାପତିଙ୍କ ନାମ ଘୋଷଣା କରିଥିଲା ।

ତେବେ ଆଜି ବିଜେପି ତା’ର ନୂଆ ଟିମ୍ ଘୋଷଣା କରିଛି । ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୪ ଜଣ ମନ୍ତ୍ରୀଙ୍କୁ ସଂଗଠନରୁ ଅଲଗା ରଖାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅନୁମତି କ୍ରମେ ରାଜ୍ୟ ବିଜେପି ସଭାପତି ଭୂପେନ୍ଦ୍ର ସିଂହ ଚୌଧୁରୀ ନୂଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ଭାଜପାରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ରାଜ୍ୟରେ ୬ ଜଣ କ୍ଷେତ୍ରୀୟ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି । କାନପୁର, ବାରାଣାସୀ, ଆଜମଗଡ଼, ଲକ୍ଷୀମପୁର ଖେରୀ, ବରେଲୀ ଓ ଗୌତବୁଦ୍ଧ ନଗର ପାଇଁ ଏହି ନିଯୁକ୍ତି ଘୋଷଣା କରାଯାଇଛି ।

ନୂଆ କାର୍ଯ୍ୟକାରିଣୀରେ ୧୮ ଉପାଧ୍ୟକ୍ଷ, ୭ ପ୍ରଦେଶ ଜେନେରାଲ ସେକ୍ରେଟାରୀ ଓ ୧୬ ଜଣ ପ୍ରଦେଶ ସେକ୍ରେଟାରୀଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ଦାୟିତ୍ୱ ଦିଆଯାଇଛି । ଏଥିସହିତ ବିଭିନ୍ନ କ୍ଷେତ୍ର ପାଇଁ ଜଣେ ପ୍ରଦେଶ କୋଷାଧ୍ୟକ୍ଷ, ଜଣେ ପ୍ରଦେଶ ସହ କୋଷାଧ୍ୟକ୍ଷ, ଜଣେ ମୁଖ୍ୟାଳୟ ପ୍ରଭାରୀ ଓ ଜଣେ ପ୍ରଭାରୀ (ପ୍ରକୋଷ୍ଠ ଓ ବିଭାଗ)ଙ୍କୁ ନିଯୁକ୍ତି ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ନିକଟରେ ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀ ପ୍ରଦେଶ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ଓଡ଼ିଶାର ପ୍ରଦେଶ ସଭାପତି ଭାବେ ମନମୋହନ ସାମଲ, ରାଜସ୍ଥାନର ସଭାପତି ଭାବେ ସି.ପି ଯେଶୀ, ବିହାରର ସଭାପତି ଭାବେ ସମ୍ରାଟ ଚୌଧରୀ ଓ ଦିଲ୍ଲୀର ସଭାପତି ଭାବେ ବୀରେନ୍ଦ୍ର ସଚଦେବାଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.