fbpx

ଟୁଇଟର୍ ଏମଡିଙ୍କ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ୟୁପି ସରକାର

ନୂଆଦିଲ୍ଲୀ: ଗାଜିଆବାଦ୍ ରେ ଏକ ମୁସଲମାନ ବୃଦ୍ଧଙ୍କୁ ମାଡ ମାରିବା ଭିଡିଓ ଟୁଇଟର୍ ରେ ଭାଇରାଲ୍ ହେବା ଘଟଣା ସାମ୍ପ୍ରଦାୟିକ ବିବାଦର ମୋଡ ନେବା ପରେ ଏବେ ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଗାଜିଆବାଦ୍ ପୁଲିସ୍ ଏହି ମାମଲାରେ ଟୁଇଟର୍ ବିରୋଧରେ ମାମଲା ରୁଜୁ କରିଛି । ଏହା ପୂର୍ବରୁ ଟୁଇଟର୍ ଇଣ୍ଡିଆର ଏମଡି ମନୀଷ ମହେଶ୍ୱରୀଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଡକାଯାଇଥିଲା । ହେଲେ ଏହି ପରିପ୍ରେକ୍ଷୀରେ ଟୁଇଟର୍ ଏମଡି ଭିଡିଓ କନଫରେନ୍ସ ମାଧ୍ୟମରେ ପଚରାଉଚରା ପାଇଁ ରାଜି ହୋଇଥିଲେ । କିନ୍ତୁ ପୁଲିସ୍ ଏହାକୁ ସମର୍ଥନ କରିନଥିଲା । ଏହା ଉପରେ ଟୁଇଟର୍ ଏମଡିଙ୍କ ବିରୋଧରେ କୌଣସି ବି ଆକ୍ସନ୍ ନେବା ଉପରେ କର୍ଣ୍ଣାଟକ ହାଇକୋର୍ଟ ରୋକ୍ ଲଗାଇଥିଲେ । ହେଲେ ଏବେ ହାଇକୋର୍ଟର ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ସରକାର ଏହି ମାମଲାକୁ ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ।

କେବଳ ସେତିକି ନୁହେଁ ଏବେ ମନୀଷ ମହେଶ୍ୱରୀ ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଯେ, ୟୁପି ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବା ପୂର୍ବରୁ ପ୍ରଥମେ ତାଙ୍କ ପକ୍ଷର ଶୁଣାଣି କରାଯାଉ । ସୂଚନାଯୋଗ୍ୟ, କିଛି ଦିନ ତଳେ ଗାଜିଆବାଦ୍ ର ଲୋନି ଅଞ୍ଚଳର ଏକ ମୁସଲମାନ ବୃଦ୍ଧଙ୍କ ଭିଡିଓ ଜୋରସୋରରେ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଉକ୍ତ ବୃଦ୍ଧଙ୍କୁ ଦୁଇ ଜଣ ଯୁବକ ମାଡ ମାରିବା ସହିତ ଦାଢ଼ିକୁ କାଟିଦେଇଥିଲେ ଏବଂ ଜୋରଜବରଦସ୍ତି ଶ୍ରୀ ରାମ ସ୍ଲୋଗାନ୍ ଦେବାକୁ ବାଧ୍ୟ କରାଯାଇଥିଲା । ଏହି ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ମାଡ ମାରୁଥିବା ଯୁବକ ମାନେ ।

ତେବେ ଏହି ମାମଲାର ସାମ୍ପ୍ରଦାୟିକ ରୂପ ଦେଉଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଆଉ ଏଥି ମଧ୍ୟରେ ଟୁଇଟର୍ ର ନାମ ମଧ୍ୟ ସାମିଲ ଥିଲା । ଉଲ୍ଳେଖନୀୟ ଯେ, କେନ୍ଦ୍ର ସରକାର ଏବଂ ଟୁଇଟର୍ ବିରୋଧରେ ନୁତନ ଆଇଟି ନିୟମକୁ ନେଇ ବିବାଦ ଜାରି ରହିଛି ।

Get real time updates directly on you device, subscribe now.