ସମ୍ପତ୍ତି ଦେଖି କାବା ଭିଜିଲାନ୍ସ; ଦୁଇ ଦିନ ହେଲା ଯେତେ ଖୋଜୁଛନ୍ତି, ସେତେ ବାହାରୁଛି
ଭିଜିଲାନ୍ସ ଅଧିକାରୀଙ୍କୁ ଲକ୍ଷ୍ନୌ, ନୋଏଡା, ବରାବଙ୍କି ଓ ରାୟବରେଲି ସମେତ ବିଭିନ୍ନ ସ୍ଥାନରେ ଥିବା ଆବାସିକ ଘର, ପ୍ଲଟ, କୃଷି ଜମି ଏବଂ ଫ୍ଲାଟ ବୁକିଂ ସହ ଜଡିତ କାଗଜପତ୍ର ମିଳିଛି
ଲକ୍ଷ୍ନୌ: କୁବେର ପୂର୍ବତନ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ(ଏଆର୍ଟିଓ)। ତାଙ୍କ ଘରୁ ୧.୬୨ କୋଟି ଟଙ୍କା, ପ୍ରାୟ ୧୩ କିଲୋଗ୍ରାମ ସୁନା, ହୀରା ଗହଣା ଆଦି ମିଳିଛି। ଗତ ଦୁଇ ଦିନ ହେଲା ଉତ୍ତରପ୍ରଦେଶ ଭିଜିଲାନ୍ସ ଚଢ଼ାଉ କରି ଅମାପ ସମ୍ପତ୍ତି ଠାବ କରିଛି। କଣ ନାହିଁ ବାବୁଙ୍କ ପାଖରେ। ଟଙ୍କା, ହୀରା, ସୁନା, ରୁପା, ପ୍ଲଟ, ଫ୍ଲାଟ୍, ବ୍ୟାଙ୍କ ବେଲେନ୍ସ, ଫିକ୍ସଡ୍ ଡିପୋଜିଟି, ଦାମୀ କାର, ବାଇକ ଆଦିି ସବୁ ଅଛି। ଏବେ ଭିଜିଲାନ୍ସ ଅଧିକାରୀମାନେ ଏ ସବୁ ସମ୍ପତ୍ତିକୁ ଜବତ କରିଛି।
ଭିଜିଲାନ୍ସ ଅଧିକାରୀଙ୍କ କହିବା ଅନୁସାରେ, ପୂର୍ବତନ ଏଆର୍ଟିଓ ଲଲିତ କୁମାରଙ୍କ ବିରୋଧରେ ୨୦୨୪ ମସିହାରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ ଅଧୀନରେ ଆୟଠାରୁ ଅଧିକ ସମ୍ପତ୍ତି ଅର୍ଜନ କରିବାର ମାମଲା ରୁଜୁ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମାମଲାର ତଦନ୍ତ ଜାରି ରହିଥିଲା। ତେବେ କୋର୍ଟରୁ ତଲାସି ୱାରେଣ୍ଟ ମିଳିବା ପରେ ଏଆର୍ଟିଓଙ୍କ ଲକ୍ଷ୍ନୌର ଆଲିଗଞ୍ଜ ସ୍ଥିତ ତାଙ୍କ ବାସଭବନରେ ଗତ ୨ ଦିନ ହେଲା ତଲାସି ଅଭିଯାନ ଚାଲିଥିଲା।
ଭିଜିଲାନ୍ସ ଟିମ୍ ତଲାସି ସମୟରେ ଘରୁ ପ୍ରାୟ ୧.୬୨ କୋଟି ଟଙ୍କା ନଗଦ ଜବତ କରିଥିଲା। ଏହା ସହ ପ୍ରାୟ ୧୩ କିଲୋଗ୍ରାମ ସୁନା, ୯ କିଲୋଗ୍ରାମ ରୁପା ଓ ହୀରାର ମୂଲ୍ୟବାନ ଅଳଙ୍କାର ମିଳିଥିଲା। ଜବତ ଅଳଙ୍କାର ଓ ମୂଲ୍ୟବାନ ଧାତୁର ଆନୁମାନିକ ମୂଲ୍ୟା ୨୦ କୋଟିରୁ ଅଧିକ ହେବ।
ତଦନ୍ତ ସମୟରେ ଭିଜିଲାନ୍ସ ଅଧିକାରୀଙ୍କୁ ଲକ୍ଷ୍ନୌ, ନୋଏଡା, ବରାବଙ୍କି ଓ ରାୟବରେଲି ସମେତ ବିଭିନ୍ନ ସ୍ଥାନରେ ଥିବା ଆବାସିକ ଘର, ପ୍ଲଟ, କୃଷି ଜମି ଏବଂ ଫ୍ଲାଟ ବୁକିଂ ସହ ଜଡିତ କାଗଜପତ୍ର ମିଳିଛି। ପ୍ରାଥମିକ ତଦନ୍ତରେ ଏହି ସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କାରୁ ଅଧିକ ଆକଳନ କରାଯାଇଛି।
ଅଧିକାରୀଙ୍କ ମତରେ ତଦନ୍ତ ଆଗକୁ ବଢିଲେ ସମ୍ପତ୍ତିର ସଂଖ୍ୟା ଓ ମୂଲ୍ୟ ଆହୁରି ବୃଦ୍ଧି ହୋଇପାରେ। ଚଢାଉ ସମୟରେ ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟ ଅଫିସ, ମ୍ୟୁଚୁଆଲ ଫଣ୍ଡ ଓ ଫିକ୍ସଡ ଡିପୋଜିଟରେ ଥିବା ୧ କୋଟି ଟଙ୍କାରୁ ଅଧିକ ନିବେଶ ସହ ଜଡିତ କାଗଜପତ୍ର ମିଳିଛି। ଏହା ସହ ଟୟୋଟା ଇନୋଭା ଓ ହୁଣ୍ଡାଇ କାର ମଧ୍ୟ ଜବତ କରାଯାଇଛି। ତଲାସି ସମୟରେ ଗୋଟିଏ ଲାଇସେନ୍ସପ୍ରାପ୍ତ ରିଭଲଭର ମଧ୍ୟ ମିଳିଛି।
ତଦନ୍ତରୁ ଜଣାପଡିଛି; ଘର ଇଣ୍ଟେରିୟର, ସାଜସଜ୍ଜା ଓ ଆଧୁନିକ ଘରୋଇ ଉପକରଣ ଉପରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ଆକଳନ କରାଯାଇଛି। ଏବେ ମଧ୍ୟ ଆହୁରି ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି।


