ବ୍ରହ୍ମଗିରି ବିକାଶରେ ବାଧକ ବର୍ମା! ଉପାସନା ଖୋଲିଦେଲେ ବିଜେଡ଼ି ନେତାଙ୍କ ପୋଲ; ଖୁଲମଖୁଲା ଖୁବ ବର୍ଷିଲେ

ବିଜେଡି ବିଜେପି ମୁହାଁମୁହିଁ। ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମାଙ୍କ ଉପରେ ଖୁବ ବର୍ଷିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର।

ଭୁବନେଶ୍ୱର: ବିଜେଡି ବିଜେପି ମୁହାଁମୁହିଁ। ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମାଙ୍କ ଉପରେ ଖୁବ ବର୍ଷିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର। ଖୋଲିଦେଲେ ସଞ୍ଜୟ ଦାସ୍ ବର୍ମାଙ୍କ କଳାକାର୍ନାମା ।

ଉପାସନା ଆଜି ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟଙ୍କ ପୋଲ ଖୋଲିଛନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଆଗଧାଡିର ନେତା ସଞ୍ଜୟ ଦାସ୍ ବର୍ମା କିଭଳି ବିକାଶକୁ ବିରୋଧ କରି ଆସୁଛନ୍ତି ତାହା କହିଛନ୍ତି।

ଯେତେବେଳେ ସଞ୍ଜୟ ଦାସ ବର୍ମା ସେଠାରେ ବିଧାୟକ ଥିଲେ, ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁରଠାରେ ନିର୍ମିତ ସେଚ ପ୍ରକଳ୍ପ ଦ୍ବାରା ଅଧାଘାଇ ମୌଜା ପାର୍ଶ୍ୱ ଦେଇ କେନାଲର ପୁନରୁଦ୍ଧାର ପ୍ରକଳ୍ପ ପାଇଁ ଚିଠି ଲେଖି ଫେଲ୍ ମାରିଥିଲେ । ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୨୦୧୩ ରେ ୭ କୋଟି ଟଙ୍କା ପିୟକେହ ଘୋଷଣା ହୋଇଥିଲା । ଏବେ ୨୦୨୫ରେ ସେହି କାର୍ଯ୍ୟ ଆରମ୍ଭ ହେବା ବେଳକୁ ସେ ଏହାକୁ ବିରୋଧ କରୁଛନ୍ତି । ଗରିବ ଅଧିବାସୀଙ୍କୁ ଉସୁକେଇକି ଏହି ପରିସ୍ଥିତି ସେ ସୃଷ୍ଟି କରୁଛନ୍ତି ।

ସୂଚନାମୁତାବକ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପ୍ରଶାସନର କେନାଲ ଖୋଳାକୁ ନେଇ ନିକଟରେ ତୁମୁଳକାଣ୍ଡ ହେଇଥିଲା। ପ୍ରଶାସନ ପକ୍ଷରୁ କେନାଲ ଖୋଳାବେଳେ ଏହାକୁ ଜୋରଦାର ବିରୋଧ କରିଥିଲେ ବ୍ରହ୍ମଗିରି ହରିଦାସ ଗାଁର ଲୋକ । କେନାଲ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା । ଫଳରେ ୫୦ରୁ ଅଧିକ ଗାଁ ଲୋକଙ୍କୁ ଉଠାଇ ନେଇଥିଲା ପୋଲିସ । ଆଉ ପ୍ରଛଦ ପଟରେ ରହି ଏହି ସବୁ କାଣ୍ଡ ଭିଆଇ ଥିଲେ ସଞ୍ଜୟ ଦାସ ବର୍ମା। ସେଠାକାର ମାଆ ମାନଙ୍କୁ ଉସୁକେଇ ପୋଲିସ ଉପରକୁ ପଥର ମାଡ଼ କରାଉଛନ୍ତି।

ଉପାସନାଙ୍କ କହିବା ଅନୁସାରେ ବ୍ରହ୍ମଗିରିରେ ଜାଣିଶୁଣି ଅଶାନ୍ତକର ପରିବେଶ ସୃଷ୍ଟି କରୁଛନ୍ତି ସଞ୍ଜୟ ଦାସ ବର୍ମା। ହଜାର ହଜାର ଚାଷୀ ସେ ବନ୍ଧ ଯୋଗୁଁ ହଇରାଣ ହେଉଛନ୍ତି । ସେଠାରେ ଉନ୍ନତି ନହେବା ଯୋଗୁଁ କୂତ୍ରିମ ବନ୍ୟା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ବ୍ରହ୍ମଗିରି ଉନ୍ନତି ମୂଳକ କାର୍ଯ୍ୟକୁ ସହ୍ୟ କରିପାରୁ ନାହାଁନ୍ତି ସଞ୍ଜୟ। ନିଜ ବିଫଳତାକୁ ଘଣ୍ଟ ଘୋଡାଇବାକୁ ସେ ଏସବୁ କାର୍ଯ୍ୟ କରୁଛନ୍ତି ବୋଲି ନା ନନେଇ ଖୁବ ସମାଲୋଚନା କରିଛନ୍ତି ବ୍ରହ୍ମଗିରି ବିଧାୟିକା।

ପୂର୍ବ ସରକାର ଶାସନ ସମୟରେ ଗରିବ ଲୋକଙ୍କୁ ଯେଉଁଭଳି ବ୍ୟବହାର କରୁଥିଲେ ଆଜି ହାରିବା ପରେ ମଧ୍ୟ ସେହି ଅଭ୍ୟାସ ଯାଇନି। ଗରିବ ଖଟିଖିଆଙ୍କୁ ମୋହରା ବନେଇ ନିଜ ସ୍ୱାର୍ଥ ହାସଲ କରିବାରେ ଆପ୍ରାଣ ଉଦ୍ୟମ ଚଳେଇଚନ୍ତି ବିଜେଡିର ବରିଷ୍ଠ ନେତା। ଚାଷୀ ମାନଙ୍କୁ ଏହି ପ୍ରକଳ୍ପ ଆବଶ୍ୟକ ରହିଛି। ବର୍ଷ ୧୯୯୨ ରେ ଏହି ପ୍ରସ୍ତାବ ଦିଆଯାଇଥିଲା, ପରେ ଏହାକୁ ଦୁଇଥର ଉନ୍ନତି ପାଇଁ ବିଜେଡିର ସେହି ବରିଷ୍ଠ ନେତା ଚେଷ୍ଟା କରିଛନ୍ତି ଆଉ ବିଫଳ ବି ହୋଇଛନ୍ତି ।

ଆଉ ବିଫଳତାକୁ ଲୁଚେଇବାକୁ ଏବଂ ମୋହନ ମାଝୀଙ୍କ ସରକାରକୁ ବଦନାମ କରିବା ଉଦେଶ୍ୟରେ ନିରୀହ ଜୀବନକୁ ବାଜି ଲଗାଉଛନ୍ତି। ଚାଷୀ ମାନଙ୍କୁ ଦୋଷୀ ସଜେଇ କାମ ଉନ୍ନତମୂଳକ କାର୍ଯ୍ୟ ରୋକିବାକୁ ପ୍ଲାନ ଚଳେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅସଲ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ମୋହନ ମାଝୀଙ୍କ ସରକାର ଚାଷ ଓ ଚାଷୀଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ବିନା ସ୍ଥାନୀୟ ଲୋକଙ୍କ ଆଲୋଚନାରେ ଆମେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବୁ ନାହିଁ କିମ୍ବା ଆଗକୁ ବଢ଼ିବୁ ନାହିଁ । ବ୍ରହ୍ମଗିରି ମୋର ପରିବାର ଏହାର ପ୍ରତିଟି ଜନସାଧାରଣ କିଭଳି ତାଙ୍କର ହକ ପାଇବେ ଏହା ହେଉଛି ମୋର ଏବଂ ବିଜେପି ସରକାରଙ୍କ ପ୍ରଥମ ପ୍ରାଥମିକତା ।