ଏଣିକି UPIରେ ଅଧିକ ଟ୍ରାଞ୍ଜାକ୍ସନ୍ କଲେ ଦେବାକୁ ପଡିବ ଚାର୍ଜ !

ମର୍ଚଣ୍ଡ ଡିସକାଉଣ୍ଟ ରେଟ୍ (ଏମ୍.ଡି.ଆର୍.) ହେଉଛି ବ୍ୟବସାୟୀଙ୍କ ପାଇଁ। ଅର୍ଥାତ୍, ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଯଦି ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ କୌଣସି ଶୁଳ୍କ ଧାର୍ଯ୍ୟ କରାଯାଏ, ତେବେ ଏହାକୁ ବ୍ୟବସାୟୀମାନଙ୍କୁ ଦେବାକୁ ପଡ଼ିବ।

ନୂଆଦିଲ୍ଲୀ: ୟୁପିଆଇ (UPI) ସମେତ ଅନ୍ୟ ଡିଜିଟାଲ ପେମେଣ୍ଟରେ ଭବିଷ୍ୟତରେ ଚାର୍ଜ ଲାଗିବା ନିଷ୍ପତି ହୋଇସାରିଛି । ଏଥିପାଇଁ ଜରୁରୀ ସଂଶୋଧନ ବିଲ୍‌କୁ ଗୁରୁବାର ଲୋକସଭା ପାରିତ କରିଛି। ଏହି ସଂଶୋଧନ ପରେ କେନ୍ଦ୍ର ସରକାର ଚାହିଁଲେ ବ୍ୟାଙ୍କ ଓ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ୟୁପିଆଇ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ପେମେଣ୍ଟ ଉପରେ ଚାର୍ଜ ଲାଗୁ କରିବାକୁ ଅନୁମତି ଦେଇପାରିବେ।

ଲୋକସଭାରେ ଭଏସ୍ ଭୋଟ୍ ମାଧ୍ୟମରେ ପାସ୍ ହେଲା ‘ଟାକ୍ସେସନ୍ ଆଣ୍ଡ ଅଦର୍ ଲଜ୍ (ଆମେଣ୍ଡମେଣ୍ଟ) ବିଲ୍, ୨୦୨୬’। ଗୃହରେ ହଙ୍ଗାମା ମଧ୍ୟରେ କୌଣସି ଆଲୋଚନା ବିନା ବିଲ୍‌ଟିକୁ ପାରିତ କରାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଉପସ୍ଥାପନ କରିଥିଲେ।

ନୂଆ ସଂଶୋଧନ ଅନୁସାରେ, କେଉଁ ଡିଜିଟାଲ ପେମେଣ୍ଟରେ ଚାର୍ଜ ଲାଗିବ, ତାହା କେନ୍ଦ୍ର ସରକାର ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ସ୍ଥିର କରିବେ। ସେପର୍ଯ୍ୟନ୍ତ ୟୁପିଆଇ କାରବାର ପୂର୍ବଭଳି ମାଗଣା ରହିବ।

ବର୍ତ୍ତମାନର ନିୟମ ଅନୁସାରେ ବ୍ୟାଙ୍କ ଓ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାମାନେ ୟୁପିଆଇ ଭଳି ଡିଜିଟାଲ ପେମେଣ୍ଟ ଉପରେ କୌଣସି ଚାର୍ଜ ନେଇପାରୁନଥିଲେ। ଏହି ସଂଶୋଧନ ପରେ ସରକାରଙ୍କ ପାଖରେ ଏଭଳି ଚାର୍ଜ ଲାଗୁ କରିବାର ସୁଯୋଗ ରହିବ।

Uttarakhand Govt.

ସରକାରଙ୍କ କହିବା ଅନୁସାରେ, ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ଏବଂ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟାଙ୍କ ଓ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ସ୍ଥାୟୀ ଆୟର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ଏମ୍‌ଡିଆର୍ ହେଉଛି ଡିଜିଟାଲ ପେମେଣ୍ଟ ପ୍ରକ୍ରିୟାକରଣ ପାଇଁ ବ୍ୟବସାୟୀମାନେ ବ୍ୟାଙ୍କ କିମ୍ବା ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ ଦେଉଥିବା ସେବା ଶୁଳ୍କ। ବର୍ତ୍ତମାନ କ୍ରେଡିଟ୍ କାର୍ଡ ଭଳି କିଛି ପେମେଣ୍ଟରେ ଏହି ଶୁଳ୍କ ଲାଗୁଛି। କିନ୍ତୁ ୟୁପିଆଇ କାରବାରରେ ଏପର୍ଯ୍ୟନ୍ତ ଏହି ଶୁଳ୍କ ଲାଗୁ ହୋଇନାହିଁ। ସେଥିପାଇଁ ୟୁପିଆଇ ଦେଶର ସବୁଠାରୁ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ମାଧ୍ୟମ ପାଲଟିଛି।

ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ୟୁପିଆଇରେ ଏମ୍‌ଡିଆର୍ ଲାଗିବ କି ନାହିଁ, ତାହା କହିବା ଏବେ ଠିକ୍ ହେବ ନାହିଁ। ସେ କହିଛନ୍ତି, ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୁଏ ଏବଂ ସେହି ଖର୍ଚ୍ଚ କେହି ନା କେହି ବହନ କରିବାକୁ ପଡ଼ିବ।

ଗତ କିଛି ବର୍ଷ ମଧ୍ୟରେ ଦେଶରେ ୟୁପିଆଇର ବ୍ୟବହାର ବହୁଗୁଣ ବଢ଼ିଛି। ଶିଳ୍ପ ମହଳର ମତ ଅନୁସାରେ, ଭବିଷ୍ୟତରେ ଯଦି ଏମ୍‌ଡିଆର୍ ଲାଗୁ ହୁଏ, ତେବେ ଏହା କେବଳ ବଡ଼ ବ୍ୟବସାୟିକ କାରବାରରେ ଲାଗିପାରେ। ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ୟୁପିଆଇ ଟଙ୍କା ପଠାଇବା (P2P) କାରବାର ପୂର୍ବଭଳି ମାଗଣା ରହିପାରେ। ତେବେ ଏନେଇ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି କିମ୍ବା ବିଜ୍ଞପ୍ତି ଜାରି କରିନାହାନ୍ତି।