ମମତାଙ୍କ ରାଲିରେ ପ୍ରବଳ ହଙ୍ଗାମା! ନିଜ ଦଳର କର୍ମୀଙ୍କୁ ମାରିଲେ ଚାପୁଡ଼ା, କହିଲେ, “ମୋତେ ନଜରବନ୍ଦୀ କରି ରଖାଯାଇଛି”

ମମତାଙ୍କ ରାଲିରେ ପ୍ରବଳ ହଙ୍ଗାମା! ନିଜ ଦଳର କର୍ମୀଙ୍କୁ ମାରିଲେ ଚାପୁଡ଼ା

WB Politics: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଏକ ରାଲି ସମୟରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିରୋଧ ପ୍ରଦର୍ଶନ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଅତ୍ୟନ୍ତ କ୍ରୋଧିତ ଥିବା ନଜର ଆସୁଛନ୍ତି । ଭାଇରାଲ୍ ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଥିବା ଦେଖାଯାଇଛି, ଯିଏ କି ତୃଣମୂଳ କଂଗ୍ରେସର ଜଣେ ସକ୍ରିୟ କର୍ମୀ ବୋଲି କୁହାଯାଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ସେହି ବ୍ୟକ୍ତି ଜଣକ ଭିଡ଼କୁ ନିୟନ୍ତ୍ରଣ କରି ମମତା ବାନାର୍ଜୀଙ୍କ ଯିବା ପାଇଁ ରାସ୍ତା ପ୍ରସ୍ତୁତ କରୁଥିଲେ, ମାତ୍ର ସେହି ସମୟରେ ମମତା ନିଜର ଆପା ହରାଇ ବସିଥିଲେ ଏବଂ ନିଜ ଦଳର କର୍ମୀଙ୍କୁ ଚାପୁଡ଼ା ମାରିଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି କାଳୀଘାଟସ୍ଥିତ ମମତା ବାନାର୍ଜୀଙ୍କ ବାସଭବନ ବାହାରର ଅଟେ । ସେଠାରେ ସେ ଆହତ ହୋଇଥିବା ଟିଏମସି କର୍ମୀମାନଙ୍କୁ ଗାଡ଼ି ସାହାଯ୍ୟରେ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରୁଥିଲେ । ଏହି ସମୟରେ ତାଙ୍କୁ ସୁରକ୍ଷା ଦେବା ପାଇଁ ତୃଣମୂଳ କଂଗ୍ରେସର ଅନେକ କର୍ମୀ ତାଙ୍କୁ ଚାରିପଟୁ ଘେରି ଯାଇଥିଲେ ଏବଂ ସେହି ଭିଡ଼ ଭିତରେ ହିଁ ମମତା ନିଜ ପାଖରେ ଠିଆ ହୋଇଥିବା ଜଣେ କର୍ମୀଙ୍କୁ ଥପ୍ପଡ଼ ମାରିଥିଲେ ।

ରାଲି ବେଳେ ମୁହାଁମୁହିଁ ଟିଏମସି-ବିଜେପି

ବାରୁଇପୁରଠାରେ ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ବୁଧବାର ଦିନ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ବାହାରିଥିଲା । ଏହି ରାଲି ଚାଲିଥିବା ସମୟରେ ବିଜେପି ଏବଂ ଟିଏମସି କର୍ମୀମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ ।

ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ବଢ଼ିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ବିଜେପି ସମର୍ଥକମାନେ ଉଦ୍ଦେଶ୍ୟମୂଳକ ଭାବେ ରାଲିରେ ବାଧା ସୃଷ୍ଟି କରିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ କର୍ମୀମାନଙ୍କୁ ମାଡ଼ ମାରିଛନ୍ତି ।

ଘଟଣା ସମ୍ପର୍କରେ ସେ କହିଛନ୍ତି, “ଉଚ୍ଚ ନ୍ୟାୟାଳୟ ଆମ ରାଲିକୁ ଅନୁମତି ଦେଇଥିଲେ, ମାତ୍ର ବିଜେପିର ଗୁଣ୍ଡାମାନେ ଏହାକୁ ଅଟକାଇଲେ । କୋର୍ଟଙ୍କ ଆଦେଶକୁ ପୋଲିସ କିପରି ଅଣଦେଖା କରିପାରିବ? ବିଜେପିର ଗୁଣ୍ଡାମାନେ ଆମ ଦଳର କର୍ମୀଙ୍କୁ ପିଟିଛନ୍ତି । କଣ ଏହା ହିଁ ଗଣତନ୍ତ୍ର?”

ପୋଲିସ ଉପରେ ବର୍ଷିଲେ ମମତା

ଏହି ହଙ୍ଗାମା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି । ସେ ଆରୋପ ଲଗାଇଛନ୍ତି ଯେ, ପୋଲିସ ନିରପେକ୍ଷ ଭାବେ ନିଜର ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛି ଏବଂ ପୋଲିସ ବାହିନୀ ‘ବିଜେପି ସଂଗଠନର ଏକ ଶାଖା’ ପରି କାମ କରୁଛି ।

ନଜରବନ୍ଦୀ ଅଭିଯୋଗ

ମମତା କହିଛନ୍ତି, “ପୋଲିସ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇପାରୁ ନାହିଁ, ବରଂ ଆମର କାର୍ଯ୍ୟକ୍ରମକୁ ଫ୍ଲପ୍ କରିବା ପାଇଁ ସେମାନଙ୍କୁ ବ୍ୟବହାର କରାଯାଉଛି । ମୋ ଉପରେ ମଧ୍ୟ ଲଗାତାର ନଜର ରଖାଯାଉଛି । ମତେ ପୋଲିସ ଏଭଳି ଭାବେ ଜଗି ରହିଛି, ଯେମିତି ମୁଁ ନିଜ ଘରେ ନଜରବନ୍ଦୀ ହୋଇ ରହିଛି ।” ଏହି ଘଟଣା ପରେ ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ଆହୁରି ସରଗରମ ହୋଇଯାଇଛି ।