ଆମେରିକା ପରମାଣୁ ମୁଖ୍ୟଙ୍କ ବଡ଼ ଖୁଲାସା: “ଇରାନ ନେତା ମୋଜତାବାଙ୍କୁ ମାରିଦେବୁ”
ଆମେରିକାର ପରମାଣୁ ସୁରକ୍ଷା ମୁଖ୍ୟ ଆଣ୍ଡ୍ରୁ ହଗ୍ଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଯେଉଁଥିରେ ସେ ସାଧାରଣ ସ୍ଥାନରେ ବସି ସେନାର ଗୋପନୀୟ ତଥ୍ୟ ଏବଂ ଇରାନ ସମ୍ପର୍କିତ ସମ୍ବେଦନଶୀଳ ସୂଚନା ସେୟାର କରୁଥିବା ଦେଖାଯାଉଛି।
ଓ୍ୱାଶିଂଟନ୍ : ଆମେରିକାର କେମିକାଲ୍ ନ୍ୟୁକ୍ଲିୟର ସିଓରିଟି (Chemical Nuclear Surety) ମୁଖ୍ୟ ଆଣ୍ଡ୍ରୁ ହଗ୍ଙ୍କ (Andrew Hugg) ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ଅଜଣା ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ଆମେରିକାର ସାମରିକ ଅପରେସନ୍ ଏବଂ ଅସ୍ତ୍ରଶସ୍ତ୍ର ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଦେଇଛନ୍ତି, ଯାହାକୁ ନେଇ ସାରା ଆମେରିକାରେ ଚିନ୍ତା ପ୍ରକଟ କରାଯାଇଛି। ସୂଚନା ଅନୁଯାୟୀ, ଏକ ସାଧାରଣ ରେଷ୍ଟୁରାଣ୍ଟରେ ଏକ ଲୁକ୍କାୟିତ କ୍ୟାମେରା (hidden camera) ସାହାଯ୍ୟରେ ଏହି ବରିଷ୍ଠ ସେନା ଅଧିକାରୀଙ୍କ କଥାବାର୍ତ୍ତାକୁ ରେକର୍ଡ କରାଯାଇଥିଲା।
ଜେମ୍ସ ଓ’କିଫ୍ଙ୍କ (James O’Keefe) ଦ୍ୱାରା ଏହି ଭିଡିଓଟି ସେୟାର କରାଯାଇଛି, ଯେଉଁଥିରେ ଆଣ୍ଡ୍ରୁ ହଗ୍ ଜାତୀୟ ନିରାପତ୍ତା, ସାମରିକ ଅପରେସନ୍ ଏବଂ ପରମାଣୁ ନୀତି ସହ ଜଡ଼ିତ ଅତି ସମ୍ବେଦନଶୀଳ ତଥ୍ୟ କହୁଥିବାର ଦେଖାଯାଉଛି। ଏହି ଘଟଣା ପରେ ତାଙ୍କର ନିଷ୍ପତ୍ତି ନେବା କ୍ଷମତା, ସୁରକ୍ଷା ନିୟମାବଳୀ ଏବଂ ଗୋପନୀୟ ତଥ୍ୟର ପରିଚାଳନାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଭିଡିଓରେ, ହଗ୍ ଆମେରିକା ସେନାର ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଖୋଲାଖୋଲି ଭାବେ କଥା ହେଉଥିବା ଦେଖାଯାଉଛି। ସେ ଅଭିଯୋଗ କରିଛନ୍ତି ଯେ ଆମେରିକା ପାଖରେ ଏବେ ମଧ୍ୟ ‘ନର୍ଭ ଏଜେଣ୍ଟ’ (ଏକ ପ୍ରକାର ବିଷାକ୍ତ ଗ୍ୟାସ୍) ମହଜୁଦ ଅଛି ଏବଂ ଏଭଳି ଏକ ପଦାର୍ଥର ସଂସ୍ପର୍ଶରେ ଆସିବା ପରେ ଆମେରିକା ସେନାର ଜଣେ ରସାୟନବିତ୍ (chemist) ପ୍ରାଣ ହରାଇଥିବା କଥା ସେ ପ୍ରକାଶ କରିଛନ୍ତି।
ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଇରାନରେ ଆମେରିକାର ବିମାନ ଆକ୍ରମଣ ଯୋଗୁଁ ‘ମିନାବ’ ସ୍କୁଲର ପିଲାମାନଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହାକୁ ସେ “କୋଲାଟେରାଲ୍ ଡ୍ୟାମେଜ୍” (ଅନିଚ୍ଛାକୃତ କ୍ଷତି) ବୋଲି ବର୍ଣ୍ଣନା କରିଥିଲେ। ଏହା ବ୍ୟତୀତ, ପରମାଣୁ ଆକ୍ରମଣ ପାଇଁ କିଭଳି ନିଷ୍ପତ୍ତି ନିଆଯାଏ, ସେ ବିଷୟରେ ଆଲୋଚନା କରି ସେ ସାମରିକ କ୍ଷେତ୍ରର ଅତି ଉଚ୍ଚସ୍ତରୀୟ ଗୋପନୀୟ ପ୍ରକ୍ରିୟା ବିଷୟରେ ସୂଚନା ଦେଇଥିଲେ। ଆଉ ଏକ ଚଞ୍ଚଲ୍ୟକର ଦାବିରେ ସେ ଇରାନର ନେତୃତ୍ୱ ବିଷୟରେ କହିଥିଲେ। ହଗ୍ଙ୍କ କହିବା ଅନୁଯାୟୀ, ଯଦି ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ ନିଜର ମାର୍ଗ ପରିବର୍ତ୍ତନ ନକରନ୍ତି, ତେବେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଆମେରିକା ତାଙ୍କୁ ମଧ୍ୟ ଟାର୍ଗେଟ୍ କରିପାରେ।
ଇରାନ ଏବଂ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ହୋଇଥିବା ଏହି କଥାବାର୍ତ୍ତାରେ ସେ ସ୍ପଷ୍ଟ କରିଥିଲେ ଯେ, ଯଦି ଜଣେ ଭବିଷ୍ୟତର ଇରାନ ନେତା ନିଜ ନୀତି ବଦଳାଇବେ ନାହିଁ, ତେବେ ଆମେରିକା ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇପାରେ। ସେ କହିଥିଲେ, “ଯଦି ମୋଜତାବା ଖାମେନେଇ ନିଜର ଢଙ୍ଗ ନବଦଳାନ୍ତି, ତେବେ ଆମେରିକା ତାଙ୍କୁ ମାରିଦେବ।” ଏଥିସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଆମେରିକାର ପରମାଣୁ ଅସ୍ତ୍ର ବ୍ୟବହାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ। ସେ କହିଥିଲେ, “ଆମେ କାହା ଉପରେ ପରମାଣୁ ଆକ୍ରମଣ କରିବାକୁ ଯାଉନାହୁଁ।” ଏହି ସମସ୍ତ ବୟାନ ସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି, କାରଣ ଏଥିରେ ଏକପଟେ ସଂଯମତା ଓ ଅନ୍ୟପଟେ ଯୁଦ୍ଧ ବଢ଼ିବାର ଆଶଙ୍କା ଉଭୟ ପ୍ରତିଫଳିତ ହେଉଛି।
ଇରାନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ସାମରିକ ବଳର ପ୍ରୟୋଗକୁ ନେଇ ତାଙ୍କର ଏହି ମନ୍ତବ୍ୟ ଚାଲିଥିବା ସଂଘର୍ଷର ପରିଚାଳନା ଶୈଳୀ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି କଥାବାର୍ତ୍ତା ଯେଉଁ ସ୍ଥାନରେ ହୋଇଥିଲା, ତାହା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ଏହି ଆଲୋଚନା ଏକ ସାଧାରଣ ରେଷ୍ଟୁରାଣ୍ଟରେ ହୋଇଥିଲା, ଯେଉଁଠାରେ ହଗ୍ ଜଣେ ମହିଳାଙ୍କ ସହ ଅତି ସାଧାରଣ ଭାବେ କଥା ହେଉଥିଲେ। ସେହି ମହିଳା ଜଣକ ଜଣେ ସାଧାରଣ ବ୍ୟକ୍ତି ବୋଲି ସେ ବିଶ୍ୱାସ କରୁଥିଲେ।
ଏହି କଥାବାର୍ତ୍ତା ସମୟରେ ସେ କିଛି ବ୍ୟକ୍ତିଗତ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଗୁପ୍ତ ତଥ୍ୟ କିପରି ସଂଗ୍ରହ କରାଯାଇପାରିବ, ସେ ବିଷୟରେ ସେ କହିଥିଲେ ଯେ ଜଣେ “ସୁନ୍ଦରୀ ଝିଅ” ପଠାଇବା ଏକ ପ୍ରଭାବଶାଳୀ ଉପାୟ ହୋଇପାରେ। ସେ କହିଥିଲେ, “ଗୁପ୍ତ ତଥ୍ୟ ପାଇବାର ସବୁଠାରୁ ସହଜ ଉପାୟ ହେଉଛି… ଜଣେ ସୁନ୍ଦରୀ ଝିଅକୁ ପଠାଅ, ସେହି ବ୍ୟକ୍ତି ସହ କଥା ହୁଅ… ମତେ ତୁମ ଆଖିର ପ୍ରଭାବରୁ ବଞ୍ଚିବାକୁ ପଡ଼ିବ।” “ତୁମ ଆଖି ମତେ ଏତେ ମୁଗ୍ଧ କରିଦେଇଛି ଯେ… ଲାଗୁଛି ଯେମିତି ତୁମେ ନିଜେ ଜଣେ ଗୁପ୍ତଚର।”
ଭିଡିଓଟି ସାମ୍ନାକୁ ଆସିବା ପରେ ଆମେରିକା ସେନା ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ହଗ୍ଙ୍କୁ ‘ଆଡମିନିଷ୍ଟ୍ରେଟିଭ୍ ଲିଭ୍’ (ପ୍ରଶାସନିକ ଛୁଟି)ରେ ପଠାଇ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ଭିଡିଓଟି ଭାଇରାଲ ହେବା ପରେ ତାଙ୍କୁ ପେଣ୍ଟାଗନରୁ ବାହାର କରିଦିଆଯାଇଛି। ଏହି ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ତଥ୍ୟର ଗମ୍ଭୀରତା ଏବଂ ଏଥିରେ ଜଡ଼ିତ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ମାମଲାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି।
ସରକାରୀ ଅଧିକାରୀମାନେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ବିସ୍ତୃତ ସାର୍ବଜନୀନ ପ୍ରତିକ୍ରିୟା ଦେଇନାହାନ୍ତି, କିନ୍ତୁ ପେଣ୍ଟାଗନ୍ ଏବଂ ଆମେରିକା ସେନା ଏହି ସ୍ଥିତିର ସମୀକ୍ଷା କରୁଥିବା କୁହାଯାଉଛି।
ଏହି ଘଟଣାଟି ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ଓ ପରିଚାଳନା ଶୈଳୀ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏକ ସାଧାରଣ ସ୍ଥାନରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଏଭଳି ଗୋପନୀୟ କଥାବାର୍ତ୍ତା କରିବା ଘଟଣାକୁ ସମସ୍ତେ ସମାଲୋଚନା କରିଛନ୍ତି। ଏଥିସହିତ, ଏହା ମଧ୍ୟ ଦର୍ଶାଉଛି ଯେ ସାଧାରଣ ପରିବେଶରେ ଅଧିକାରୀମାନେ ଅସାବଧାନତା ବଶତଃ ଆବଶ୍ୟକତାଠାରୁ ଅଧିକ କହିଦେବା ଦ୍ୱାରା କିଭଳି ବିପଦ ସୃଷ୍ଟି ହୋଇପାରେ।
