ଆମେରିକା ସଂସଦରେ ଝଡ଼, ଟ୍ରମ୍ପଙ୍କୁ ବିରୋଧ କଲେ ନିଜର ଦଳର ୪ ସାଂସଦ
ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ସଂସଦରେ ଉପସ୍ଥାପନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଯେ ରାଷ୍ଟ୍ରପତି ସଂସଦର ଅନୁମତି ବିନା କୌଣସି ବଡ଼ ସୈନ୍ୟ ଅଭିଯାନ କିମ୍ବା ଯୁଦ୍ଧ ଆରମ୍ଭ କରିପାରିବେ ନାହିଁ
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ଝଟକା । ନିଜ ଦଳ ରିପବ୍ଲିକାନ ପାର୍ଟିର ୪ ଜଣ ସାଂସଦ ତାଙ୍କୁ ବିରୋଧ କରିଛନ୍ତିି । ଇରାନ୍ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ସଂସଦର ନିମ୍ନ ସଦନ ‘ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ସ’ ଏକ ପ୍ରସ୍ତାବ ପାରିତ ହୋଇଛି। ଯେଉଁ ପ୍ରସ୍ତାବ ସପକ୍ଷରେ ୨୧୫ ଓ ବିରୋଧରେ ୨୦୮ ଭୋଟ ପଡ଼ିଛି। ସବୁଠାରୁ ମଜାଦାର କଥା ହେଉଛି, ଏହି ପ୍ରସ୍ତାବକୁ ୪ ଜଣ ରିପବ୍ଲିକାନ ସାଂସଦଙ୍କ ସମର୍ଥନ ଦେଇଛନ୍ତି । ଏହି ପ୍ରସ୍ତାବ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ରାଷ୍ଟ୍ରପତିଙ୍କ ଅଧିକାରକୁ ନିୟନ୍ତ୍ରିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଟ୍ରମ୍ପଙ୍କୁ ନିଜ ଦଳରୁ ମିଳିଲା ଝଟକା
ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ସଂସଦରେ ଉପସ୍ଥାପନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଯେ ରାଷ୍ଟ୍ରପତି ସଂସଦର ଅନୁମତି ବିନା କୌଣସି ବଡ଼ ସୈନ୍ୟ ଅଭିଯାନ କିମ୍ବା ଯୁଦ୍ଧ ଆରମ୍ଭ କରିପାରିବେ ନାହିଁ। ପ୍ରସ୍ତାବ ସମର୍ଥନରେ ୨୧୫ ଜଣ ସାଂସଦ ଭୋଟ ଦେଇଛନ୍ତି । ବିପକ୍ଷରେ ୨୦୮ ଭୋଟ ପଡ଼ିଛି। ଯାହାଫଳରେ ୭ ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରସ୍ତାବ ପାରିତ ହୋଇଛି।
ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ରାଷ୍ଟ୍ରପତି ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର କେତେକ ସାଂସଦ ମଧ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି। ୪ ଜଣ ରିପବ୍ଲିକାନ ସାଂସଦ ଡେମୋକ୍ରାଟମାନଙ୍କୁ ସମର୍ଥନ କରିଛନ୍ତି । ଫଳରେ ଏହି ପ୍ରସ୍ତାବ ନିମ୍ନ ସଦନରେ ପାରିତ ହୋଇଯାଇଛି । ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଇରାନ ସହ ସମ୍ଭାବ୍ୟ ଯୁଦ୍ଧକୁ ନେଇ ଆମେରିକୀୟ ସାଂସଦମାନଙ୍କ ମଧ୍ୟରେ ଚିନ୍ତା ବଢ଼ୁଛି।
ଏହି ପ୍ରସ୍ତାବର ଯୁଦ୍ଧ ଉପରେ କ’ଣ ପଡ଼ିବ ପ୍ରଭାବ?
ଏ ପର୍ଯ୍ୟନ୍ତ ଏହି ପ୍ରସ୍ତାବ ଆଇନରେ ପରିଣତ ହୋଇନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ହେଲେ ଆମେରିକା ସଂସଦର ଉଚ୍ଚ ସଦନ ‘ସିନେଟ’ରେ ପାରିତ କରିବାକୁ ପଡ଼ିବ । ଯଦି ସିନେଟରୁ ପ୍ରସ୍ତାବ ପାରିତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏହା ଉପରେ ଭିଟୋ ଲଗାଇ ଦିଅନ୍ତି, ତେବେ ଏହି ଭିଟୋକୁ ଖାରଜ କରିବା ପାଇଁ ଉଭୟ ସଦନରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ହେବ । ଯାହା ବର୍ତ୍ତମାନ ବହୁତ କଷ୍ଟକର ମନେ କରାଯାଉଛି।
ସଂସଦରେ ପୂର୍ବରୁ ମଧ୍ୟ ଆସିଛି ଏପରି ପ୍ରସ୍ତାବ
ରାଜନୈତିକ ବିଶେଷଜ୍ଞମାନଙ୍କ ମତରେ ଯଦିଓ ଏହି ପ୍ରସ୍ତାବ ତୁରନ୍ତ ଆଇନଗତ ପ୍ରଭାବ ପକାଇବ ନାହିଁ, କିନ୍ତୁ ଏହା ଟ୍ରମ୍ପ ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ ରାଜନୈତିକ ସନ୍ଦେଶ। ଏଥିରୁ ଏହି ସଂକେତ ମିଳୁଛି ଯେ କଂଗ୍ରେସର ଅନେକ ସଦସ୍ୟ ଆମେରିକାକୁ ଆଉ ଏକ ବଡ଼ ଯୁଦ୍ଧରେ ସାମିଲ କରିବା ସପକ୍ଷରେ ନାହାଁନ୍ତି। ଜଣାଇଦେବାକୁ ଚାହୁଁଛୁ ଯେ ଏହା ପୂର୍ବରୁ ମଧ୍ୟ ଯୁଦ୍ଧ ସମ୍ବନ୍ଧୀୟ ଅଧିକାରକୁ ସୀମିତ କରିବା ଭଳି ଅନେକ ପ୍ରସ୍ତାବ ସଂସଦରେ ଉପସ୍ଥାପନ କରାଯାଇଥିଲା, କିନ୍ତୁ ସେଗୁଡ଼ିକ ପାରିତ ହୋଇପାରି ନଥିଲା। ସେହିପରି ଆମେରିକୀୟ ସିନେଟରେ ମଧ୍ୟ ନିକଟରେ ଏହି ପ୍ରକାରର ପ୍ରସ୍ତାବକୁ ଆଗକୁ ବଢ଼ାଇବାରେ ସଫଳତା ମିଳିଥିଲା।

