ଆମେରିକା-ଇରାନ ମଧ୍ୟରେ ଘମାଘମ ହେଲା ଯୁଦ୍ଧର, ବଢ଼ିଲା ଅଶୋଧିତ ତେଲ, ଜାଣନ୍ତୁ ଭାରତ ପାଖରେ ଅଛି କେତେ ଦିନର ଷ୍ଟକ୍?
ଆମେରିକା-ଇରାନ ମଧ୍ୟରେ ଘମାଘମ ହେଲା ଯୁଦ୍ଧର, ବଢ଼ିଲା ଅଶୋଧିତ ତେଲ
Iran-US War: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ନିଆଁ ପୁଣି ଥରେ ଜଳିଉଠିଛି । ତୁର୍କୀର ରାଜଧାନୀ ଅଙ୍କାରାଠାରେ ଆୟୋଜିତ ନାଟୋ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଇରାନ ସହିତ ହୋଇଥିବା ଅସ୍ତ୍ରବିରତି ବା ସିଜ୍ଫାୟାର୍ ଚୁକ୍ତି ଏବେ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ।
ଏହା ସହ ଆମେରିକା ଏବେ ଇରାନ ସହ କୌଣସି ନୂଆ ଚୁକ୍ତି କରିବାକୁ ଚାହୁଁନାହିଁ ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ହର୍ମୁଜ୍ ଷ୍ଟ୍ରେଟରେ ଜାହାଜଗୁଡ଼ିକ ଉପରେ ହୋଇଥିବା ଆକ୍ରମଣର ଜବାବରେ ଆମେରିକୀୟ ସେନା ଇରାନର ୮୦ ରୁ ଅଧିକ ସାମରିକ ଘାଟି ଉପରେ ଏୟାରଷ୍ଟ୍ରାଇକ୍ କରିଛି ।
ଏହି ସାମ୍ପ୍ରତିକ ଉତ୍ତେଜନା କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି । ବ୍ରେଣ୍ଟ କ୍ରୁଡ୍ର ମୂଲ୍ୟ ପ୍ରାୟ ୬ ପ୍ରତିଶତ ବଢ଼ି ବ୍ୟାରେଲ ପିଛା ୭୮ ଡଲାର ପାର୍ ହୋଇଥିବା ବେଳେ ଡବ୍ଲୁଟିଆଇ କ୍ରୁଡ୍ ମଧ୍ୟ ୫.୮ ପ୍ରତିଶତ ବୃଦ୍ଧି ସହ ୭୪.୪୭ ଡଲାର ଉପରେ କାରବାର କରୁଛି । ଏଭଳି ସ୍ଥିତିରେ ବିଶ୍ୱରେ ପୁଣି ଥରେ ତେଲ ସଙ୍କଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି ।
ଭାରତ ପାଖରେ କେତେ ଦିନର ତେଲ ଅଛି?
ବିଶ୍ୱ ବଜାରରେ ତେଲ ସଙ୍କଟ ଗଭୀର ହେଲେ ଭାରତର ପ୍ରସ୍ତୁତି କଣ ଏବଂ ଦେଶ ପାଖରେ କେତେ ଦିନର ତେଲ ମହଜୁଦ ଅଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କମୋଡିଟି ଇଣ୍ଟେଲିଜେନ୍ସ ଫର୍ମ Kpler ର ଜୁଲାଇ ୩, ୨୦୨୬ ରିପୋର୍ଟ ଅନୁଯାୟୀ, ଜୁନ୍ ମାସରେ ରେକର୍ଡ ପରିମାଣର ତେଲ ଆମଦାନୀ ହେବା ଯୋଗୁଁ ଭାରତର ଅଶୋଧିତ ତେଲ ଭଣ୍ଡାର ପ୍ରାୟ ଏକ ବର୍ଷର ସବୁଠାରୁ ଉଚ୍ଚ ସ୍ତରରେ ପହଞ୍ଚିଛି ।
ମୋଟ୍ ଷ୍ଟକ୍
ଜୁନ୍ ଶେଷ ସୁଦ୍ଧା ଭାରତର ରଣନୈତିକ ଭଣ୍ଡାର, କମର୍ସିଆଲ୍ ଷ୍ଟୋରେଜ୍ ଏବଂ ରିଫାଇନେରୀଗୁଡ଼ିକରେ ମୋଟ୍ ୧୦.୪ କୋଟି ବ୍ୟାରେଲ୍ ଅଶୋଧିତ ତେଲ ମହଜୁଦ ଥିଲା । ଭାରତ ଦୈନିକ ପ୍ରାୟ ୫୦ ଲକ୍ଷ ବ୍ୟାରେଲ୍ ତେଲ ବ୍ୟବହାର କରୁଥିବାରୁ, ଏହି ମୋଟ୍ ଷ୍ଟକ୍ ଦେଶର ପ୍ରାୟ ୨୧ ଦିନର ଆବଶ୍ୟକତା ପୂରଣ କରିପାରିବ ।
ରଣନୈତିକ ପେଟ୍ରୋଲିୟମ ଭଣ୍ଡାର
ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭସ ଲିମିଟେଡ୍ (ISPRL) ଅଧୀନରେ ବିଶାଖାପାଟଣା, ମାଙ୍ଗାଲୋର ଏବଂ ପାଦୁରରେ ଥିବା ଭୂତଳ ଗୁଫାରେ ୫୩.୩ ଲକ୍ଷ ମେଟ୍ରିକ ଟନ୍ (ପ୍ରାୟ ୩.୯ କୋଟି ବ୍ୟାରେଲ୍) ତେଲ ସୁରକ୍ଷିତ ଅଛି, ଯାହା ପ୍ରାୟ ୮ ରୁ ୧୨ ଦିନର ତେଲ ଜରୁରୀ ଆବଶ୍ୟକତା ପୂରଣ କରିଥାଏ ।
କମର୍ସିଆଲ୍ ଏବଂ ରିଫାଇନେରୀ ଷ୍ଟକ୍
ଦେଶର ତେଲ ରିଫାଇନେରୀ ଏବଂ ଡିପୋଗୁଡ଼ିକରେ ପେଟ୍ରୋଲ, ଡିଜେଲ ଏବଂ ଏଟିଏଫ୍ ଭଳି ପେଟ୍ରୋଲିୟମ ଉତ୍ପାଦର ପ୍ରାୟ ୫୦-୬୦ ଦିନର ବ୍ୟବସାୟିକ ଷ୍ଟକ୍ ସର୍ବଦା ରୋଲିଂ ମୋଡ୍ରେ ପ୍ରସ୍ତୁତ ରହିଥାଏ ।


