ବିପଦରେ ଶାନ୍ତି ଚୁକ୍ତି : ଇରାନ ଉପରେ ଆମେରିକାରର ଘନଘନ ମିସାଇଲ ମାଡ
ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ଅନୁସାରେ, ହରମୁଜ ପ୍ରଣାଳୀ ଦେଇ ଯାଉଥିବା ତିନୋଟି ବ୍ୟବସାୟିକ ଜାହାଜ ଉପରେ ଇରାନ ଆକ୍ରମଣ କରିଥିଲା ଏବଂ ଆମେରିକା ଏହାର ଜବାବରେ ଏହି ପାଲଟା ଆକ୍ରମଣ କରିଛି।
ୱାଶିଂଟନ୍: ହର୍ମୁଜ ପ୍ରଣାଳୀରେ ତିନୋଟି ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ବୁଧବାର ସକାଳୁ ଇରାନ ଉପରେ ବଡ଼ ଧରଣର ଓ ପାଲଟା ଆକ୍ରମଣ କରିଛି। ଏହି ଘଟଣା ଯୋଗୁଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବା ପାଇଁ ହୋଇଥିବା ଅସ୍ଥାୟୀ ଚୁକ୍ତି ଏବେ ବିପଦରେ ପଡ଼ିଯାଇଛି। ଆମେରିକା ସେନା ଏହି ଆକ୍ରମଣରେ ଇରାନର ସାମରିକ ଘାଟି ଏବଂ ବନ୍ଦରଗୁଡ଼ିକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଏହି ନୂଆ ବିବାଦ କାରଣରୁ ସାମୁଦ୍ରିକ ପଥକୁ ସମ୍ପୂର୍ଣ୍ଣ ସ୍ୱାଭାବିକ କରିବା, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ଏବଂ ଗତ ଫେବୃଆରୀ ୨୮ ରୁ ଚାଲିଥିବା ଯୁଦ୍ଧର ସ୍ଥାୟୀ ସମାଧାନ ପାଇଁ ଚାଲିଥିବା ଆଲୋଚନା ଏବେ ଆହୁରି ଜଟିଳ ହୋଇଯାଇଛି।
ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ସେନା ବିଶେଷ କରି ଇରାନର ଆକାଶମାର୍ଗ ସୁରକ୍ଷା ବ୍ୟବସ୍ଥା (ଏୟାର ଡିଫେନ୍ସ), ଉପକୂଳ ଉପରେ ନଜର ରଖୁଥିବା ସିଷ୍ଟମ ଏବଂ ମିସାଇଲ୍ ଓ ଡ୍ରୋନ୍ ଛଡ଼ାଯାଉଥିବା କେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରୁଛି। ଏହା ସହ ଇରାନର ମୁଖ୍ୟ ବନ୍ଦରଗୁଡ଼ିକ ଉପରେ ମଧ୍ୟ ବୋମାମାଡ଼ କରାଯାଉଛି।
ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛି ଯେ, ଆନ୍ତର୍ଜାତୀୟ ସାମୁଦ୍ରିକ ରାସ୍ତାରେ ନିରୀହ ନାଗରିକ ଥିବା ବ୍ୟବସାୟିକ ଜାହାଜଗୁଡ଼ିକୁ ଆକ୍ରମଣ କରାଯାଉଥିବାରୁ ଇରାନକୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ତିନୋଟି ଜାହାଜ ଉପରେ ଇରାନର ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭୁଲ୍ ଏବଂ ବିପଜ୍ଜନକ ଥିଲା। ଏହା ସିଧାସଳଖ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ ବୋଲି ଆମେରିକା ସେନା କହିଛି।
Uttarakhand Govt.
ସୂଚନା ଅନୁସାରେ, ଦକ୍ଷିଣ ଇରାନର ସିରିକ୍ ଏବଂ କ୍ୟୁଶମ ଦ୍ୱୀପ ନିକଟରେ କେତେକ ବଡ଼ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ବାନ୍ଦର ଅବ୍ବାସ ସହରର ଆଖପାଖ ଅଞ୍ଚଳରେ ମଧ୍ୟ ବୋମାମାଡ଼ ହୋଇଛି। ସିରିକ୍ ବନ୍ଦରର ବ୍ୟବସାୟିକ ଓ ମାଛଧରା କେନ୍ଦ୍ରଗୁଡ଼ିକରେ ମିସାଇଲ୍ ବାଜିବା ପରେ ସେଠାରେ ନିଆଁ ଲାଗିଯାଇଛି। ଗତ ମାସ ଶେଷରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଏମିତି ଆକ୍ରମଣ ଓ ପାଲଟା ଆକ୍ରମଣ ହୋଇଥିଲା। ତେବେ ଏହି ନୂଆ ଆକ୍ରମଣ ସେତେବେଳେ ହୋଇଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ବୈଠକ ପାଇଁ ତୁର୍କୀ ଗସ୍ତରେ ଅଛନ୍ତି।
ଜାହାଜଗୁଡ଼ିକ ଉପରେ ଆକ୍ରମଣ ହେବାର ମାତ୍ର କିଛି ଘଣ୍ଟା ଭିତରେ ଆମେରିକା ଇରାନର ତେଲ ବିକ୍ରି କରିବା ଲାଇସେନ୍ସକୁ ବାତିଲ କରିଦେଇଛି। ପୂର୍ବରୁ ହୋଇଥିବା ଚୁକ୍ତି ଅନୁସାରେ ଇରାନକୁ ଏହି ଅନୁମତି ମିଳିଥିଲା।
ଜାତିସଂଘ ସାମୁଦ୍ରିକ ସଂଗଠନ ଅନୁସାରେ, ଗତ ଏପ୍ରିଲ ମାସ ପରେ ଏହି ମୁଖ୍ୟ ଜଳପଥରେ ଗୋଟିଏ ଦିନରେ ଏହା ସବୁଠାରୁ ବଡ଼ ଆକ୍ରମଣ। ଏହା ଯୋଗୁଁ ସେହି ସାମୁଦ୍ରିକ ରାସ୍ତାରେ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ରହିଛି। ବିଶ୍ୱର ବିଭିନ୍ନ ଦେଶ ଯେତେବେଳେ ଯୁଦ୍ଧ ଯୋଗୁଁ ଭାଙ୍ଗିପଡ଼ିଥିବା ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି, ଏହି ସମୟରେ ଏଭଳି ଆକ୍ରମଣ ସଙ୍କଟ ବଢ଼ାଇ ଦେଇଛି। ଆମେରିକା ଅଧିକାରୀ କହିଛନ୍ତି ଯେ ଇରାନର ଏହି ବେଆଇନ କାର୍ଯ୍ୟ ପାଇଁ ତାକୁ ଶାସ୍ତି ମିଳିବା ଦରକାର, ତେଣୁ ଏହି ଲାଇସେନ୍ସ ବାତିଲ କରାଯାଇଛି। ଏହି ଲାଇସେନ୍ସ ବଳରେ ଇରାନ ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ ତେଲ ଉତ୍ପାଦନ ଓ ବିକ୍ରି କରିପାରିଥାନ୍ତା।

