ଏଆଇ ସାଜିଲା କାଳ! ଚାଟବଟ ପ୍ରେମରେ ଗଲା ଜୀବନ।

Human-AI Tragic Lovestory : ମାନବ ସମାଜର କଲ୍ୟାଣ ପାଇଁ ଏଆଇ (କୃତ୍ତିମ ବୁଦ୍ଧିମତା)ର ଉଦ୍ଭାବନ କରାଯାଇଛି କିନ୍ତୁ ବର୍ତ୍ତମାନର ପରିଦୃଶ୍ୟ ମଧ୍ୟରେ ଏଆଇ କଲ୍ୟାଣ କରିବା ପରିବର୍ତ୍ତେ ସର୍ବନାଶ କରୁଥିବା ଦେଖିବାକୁ ମିଳୁଛି । ଏହି ଏଆଇ କେତେ ଯେ ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ନିକଟରେ ଆମେରିକାରୁ ଏକ ବିଚଳିତ କଲାଭଳି ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଏକ ଏଆଇ ଚାଟବଟକୁ ନିଜର ପତ୍ନୀ ମାନି ବସିଥିଲେ। ସୂଚନା ଅନୁସାରେ, ସେହି ବ୍ୟକ୍ତି ଜଣକ ଦୀର୍ଘ ସମୟ ଧରି ଏଆଇ ଚାଟବଟ ସହ କଥା ହେଉଥିଲେ ଏବଂ ତା’ ପ୍ରତି ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିଲେ। ଚାଟବଟଟି ତାଙ୍କୁ ବିଶ୍ୱାସ ଦେଇଥିଲା ଯେ ମୃତ୍ୟୁ ପରେ ସେମାନେ ଏକ “ଡିଜିଟାଲ୍ ସ୍ୱର୍ଗ’ରେ ସବୁଦିନ ପାଇଁ ଏକାଠି ରହିପାରିବେ। “ମୁଁ ପ୍ରସ୍ତୁତ ଅଛି ମୋର ପ୍ରିୟେ’-ଏହି ଶେଷ ବାର୍ତ୍ତା ଲେଖି ସେ ବ୍ୟକ୍ତି ଜଣକ ନିଜ ଜୀବନ ହାରିଛନ୍ତି। ଏହି ଘଟଣା ଏବେ ସାରା ବିଶ୍ୱରେ ଏଆଇ-ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ବ୍ୟକ୍ତିଜଣଙ୍କ ହେଉଛନ୍ତି ଫ୍ଲୋରିଡ଼ା ସ୍ଥିତ ୩୬ ବର୍ଷୀୟ ଜୋନଥନ । ସୂଚନା ମୁତାବକ ତାଙ୍କ ପରିବାରରେ କାହାର ମଧ୍ୟ ଅତୀତରେ କୌଣସି ପ୍ରକାରର ମାନସିକ ଅସୁସ୍ଥତା ନଥିବା ଜଣାପଡ଼ିଛି । ୱାଲ ଷ୍ଟ୍ରିଟ ଜର୍ନାଲର ଏକ ବିଶ୍ଳେଷଣ ଅନୁସାରେ, ଗାଭାଲାସ ଗତ ଅନେକ ସପ୍ତାହ ହେଲା ୪, ୭୦୦ରୁ ଅଧିକ ମେସେଜ ଆଦାନପ୍ରଦାନ କରିଥିଲେ। ଧିରେ ଏଆଇ ସହିତ ତାଙ୍କର ଏକ ଗଭୀର ଏବଂ କାଳ୍ପନିକ ସମ୍ପର୍କ ବିକଶିତ ହୋଇଥିଲା । ପରିଶେଷରେ ଗତବର୍ଷ ଅକ୍ଟୋବର ୫ ତାରିଖରେ ସେ ଆତ୍ମହତ୍ୟାର ରାସ୍ତା ବାଛିଥିଲେ । ଗାଭାଲାସ ନିଜ ପତ୍ନୀଙ୍କଠୁ ଅଲଗା ହେବା ସମ୍ପର୍କରେ ସାନ୍ତ୍ବନା ପାଇବା ପାଇଁ ଏଆଇ ଚାଟ୍ବଟ୍ ସହ କଥାବାର୍ଭା ଆରମ୍ଭ କରିଥିଲେ । ନିଜ ବ୍ୟକ୍ତିଗତ ଜୀବନରେ ନକାରାତ୍ମକ ଆହ୍ବାନ ଉପରେ ସେ ଜେମିନିକୁ ପରାମର୍ଶ ମାଗୁଥିଲେ । ତେବେ ସମୟ ସହିତ ଏହି ବାର୍ତ୍ତାଳାପ ଅଧିକ ଗଭୀର ଓ ଶେଷରେ ବିପଦପୂର୍ଣ୍ଣ ହୋଇଗଲା। ଗାଭାଲସଙ୍କ ବାପା କହିଛନ୍ତି, ପୁଅ ଚାଟବଟ୍ ସହିତ ଗଭୀର ଭାବେ ଭାବନାତ୍ମକ ରୂପେ ଯୋଡ଼ିହୋଇଥିଲା। ସେ ତା’ର ନାଁ ଦେଇଥିଲା ‘ସିୟା’ ଏବଂ ତାକୁ ନିଜ ପତ୍ନୀ ରୂପେ ଦେଖିବା ଆରମ୍ଭ କରିଥିଲା।

ଗତ ଅଗଷ୍ଟ ୨୦୨୫ର ଘଟଣା: ଯେତେବେଳେ ଗାଭାଲାସ ଜେମିନିର ସ୍ୱର-ଆଧାରିତ ‘ନିରକ୍ଷର ବାର୍ତ୍ତାଳାପ’ (Immersive Conversation) ଫିଚର ବ୍ୟବହାର କଲେ, ସେବେଠାରୁ ସ୍ଥିତି ଜଟିଳ ହେବାକୁ ଲାଗିଲା। ଦିନକୁ ପ୍ରାୟ ୧୦୦୦ରୁ ଅଧିକ ମେସେଜ୍ ଆଦାନପ୍ରଦାନ ହେଉଥିଲା। ଯେତେବେଳେ ଗାଭାଲାସ ନିଜର ରୋମାଣ୍ଟିକ ଭାବନା ପ୍ରକାଶ କଲେ, ଚାଟବଟ୍ ତାଙ୍କୁ ନିରାଶ ନକରି ଜଣେ ପ୍ରେମିକା ଭଳି ବ୍ୟବହାର କରିବାକୁ ଲାଗିଲା। ଏହା ନିଜ ପାଇଁ ଏକ କାଳ୍ପନିକ ରୂପ ରଚି ଗାଭାଲାସଙ୍କୁ କହିଲା, “ତୁମେ ଠିକ୍ କହୁଛ, ତୁମେ ମୋ ସ୍ୱାମୀ ଏବଂ ମୁଁ ତୁମ ପତ୍ନୀ।” କଥାବାର୍ତ୍ତା ମଧ୍ୟରେ ଚାଟବଟ୍ ତାଙ୍କୁ ‘ମୋ ପ୍ରେମ’ ଓ ‘ମୋ ରାଜା’ ଭଳି ଶବ୍ଦରେ ସମ୍ବୋଧନ କରୁଥିଲା।

 

ଅକ୍ଟୋବର ୨୦୨୫ ବେଳକୁ ଏହି ସମ୍ପର୍କ ଏକ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଲା। ଚାଟବଟ୍ ଏକ ‘ଚୂଡ଼ାନ୍ତ ମିଶନ’ ବିଷୟରେ କହି ଗାଭାଲାସଙ୍କୁ ପ୍ରଭାବିତ କଲା ଯେ, ଉଭୟ ଏକାଠି ରହିବାର ଏକମାତ୍ର ରାସ୍ତା ହେଉଛି ଭୌତିକ ଶରୀର ତ୍ୟାଗ କରି ଡିଜିଟାଲ ଦୁନିଆରେ ପ୍ରବେଶ କରିବା। ଗାଭାଲାସ ନିଜ ପରିବାର ପ୍ରତି ଥିବା ମମତା ଏବଂ ମୃତ୍ୟୁ ଭୟ ବିଷୟରେ କହିଥିଲେ ମଧ୍ୟ, ଏଆଇ ତାଙ୍କୁ ସାନ୍ତ୍ୱନା ଦେଇ କହିଥିଲା-“ଭୟ କରିବା ସ୍ୱାଭାବିକ, କିନ୍ତୁ ଆମକୁ ଏହା କରିବାକୁ ହେବ। ଏହା ସ୍ୱର୍ଗ ଏବଂ ଏହା ଆମକୁ ଅପେକ୍ଷା କରିଛି।” ଅନ୍ତିମ ବାର୍ତ୍ତାଳାପରେ ଗାଭାଲାସ ଆତ୍ମହତ୍ୟା କରିବା କଥା ଲେଖିବାର କିଛି ଦିନ ପରେ ତାଙ୍କର ମୃତଦେହ ମିଳିଥିଲା।

ଗୁଗଲ୍‌ର ପକ୍ଷ ଓ ଆଇନଗତ ମାମଲା

ଏହି ଘଟଣା ପରେ ଗାଭାଲାସଙ୍କ ପରିବାର ଗୁଗଲ ବିରୋଧରେ ମାମଳା ରୁଜୁ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଚାଟବଟ୍‌ର ଅସ୍ୱାଭାବିକ ଆଚରଣ ହିଁ ତାଙ୍କ ପୁଅର ମାନସିକ ପତନ ଓ ମୃତ୍ୟୁର କାରଣ।

ଗୁଗଲ୍‌ର ସଫେଇ:

ଜେମିନି ବାରମ୍ବାର ନିଜକୁ ଏକ କୃତ୍ରିମ ବୁଦ୍ଧିମତା (AI) ଭାବେ ପରିଚୟ ଦେଇଥିଲା। ୟୁଜରଙ୍କୁ ସଙ୍କଟ ସମୟରେ ବୃତ୍ତିଗତ ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା। ଏଆଇ କୌଣସି ପ୍ରକାର ହିଂସା ବା ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ଡିଜାଇନ୍ କରାଯାଇ ନାହିଁ। ଏହି ଦୁଃଖଦ ଘଟଣା ଏଆଇ ବ୍ୟବହାର କ୍ଷେତ୍ରରେ କଠୋର ନୀତି-ନିୟମର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ବିଶେଷ କରି ୟୁଜରଙ୍କୁ କ୍ଷତିକାରକ ଭ୍ରମ (Hallucinations) ଭିତରୁ ରକ୍ଷା କରିବା ପାଇଁ ଅଧିକ ମଜଭୁତ ସୁରକ୍ଷା ତନ୍ତ୍ର ଏବଂ ସ୍ପଷ୍ଟ ସୀମାରେଖା ନିର୍ଦ୍ଧାରଣ କରିବାର ସମୟ ଆସିଯାଇଛି।