ଆମେରିକା ମିଡ୍‌ଟର୍ମ ନିର୍ବାଚନ ଫଳାଫଳ: କେମିତି ହାରିଲେ ଟ୍ରମ୍ପ, ଜାଣନ୍ତୁ ୧୦ଟି ବଡ଼ ପରିବର୍ତ୍ତନ

୨୦୨୮ ନିର୍ବାଚନ ପୂର୍ବରୁ ଆମେରିକାରେ ବଦଳିଲା ରାଜନୈତିକ ପାଣିପାଗ, ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ।

ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ବଡ଼ ଓଲଟପାଲଟ! ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନକୁ ଦୁଇ ବର୍ଷ ପୂରିବା ପରେ ମତଦାତାଙ୍କ ରାୟ ତାଙ୍କ ଦଳ ପାଇଁ ଶକ୍ତ ଝଟକା ଆଣିଛି।

୨୦୨୬ ମିଡ୍‌ଟର୍ମ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ପଛରେ ପକାଇ ଡେମୋକ୍ରାଟିକ୍ ପାର୍ଟି ଆମେରିକାର ଉଭୟ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଓ ସିନେଟ୍‌ରେ ବହୁମତ ହାସଲ କରିଛି।

ଏହାଦ୍ୱାରା ଟ୍ରମ୍ପଙ୍କ ଆଗାମୀ ଦୁଇ ବର୍ଷର ଶାସନ ପାଇଁ ରାଜନୈତିକ ଚ୍ୟାଲେଞ୍ଜ ବଢ଼ିଛି। ତେବେ ଏହି ନିର୍ବାଚନର ୧୦ଟି ବଡ଼ ପରିବର୍ତ୍ତନ ଉପରେ ନଜର ପକାନ୍ତୁ।

୧. ଉଭୟ ସଦନରେ ଡେମୋକ୍ରାଟ୍‌ଙ୍କ ବହୁମତ: ସିନେଟ୍‌ର ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟ୍‌ଙ୍କ ସଂଖ୍ୟା ଦୁଇ ଜଣ ସମର୍ଥକ ସ୍ୱାଧୀନ ସଦସ୍ୟଙ୍କ ସହ ୫୪ରେ ପହଞ୍ଚିଛି। ରିପବ୍ଲିକାନ୍‌ଙ୍କ ପାଖରେ ୪୪ ଆସନ ରହିଛି। ହାଉସ୍‌ରେ ମଧ୍ୟ ଡେମୋକ୍ରାଟ୍‌ ୨୨୮ଟି ଆସନ ହାସଲ କରିଛନ୍ତି। ହକିମ୍ ଜେଫ୍ରିଜ୍ ଆମେରିକାର ପ୍ରଥମ କୃଷ୍ଣକାୟ ହାଉସ୍ ସ୍ପିକର ହେବାର ସମ୍ଭାବନା ରହିଛି।

୨. ରିପବ୍ଲିକାନ୍‌ଙ୍କ ଗଡ଼ରେ ଡେମୋକ୍ରାଟ୍‌ଙ୍କ ବିଜୟ: ଟେକ୍ସାସ୍, କାନସାସ୍, ଆଇଓୱା, ଓହାୟୋ, ମେନ୍, ନର୍ଥ କାରୋଲିନା ଓ ସାଉଥ୍ କାରୋଲିନା ଭଳି ରାଜ୍ୟରେ ଡେମୋକ୍ରାଟ୍‌ମାନେ ସିନେଟ୍ ଆସନ ଛଡ଼ାଇ ନେଇଛନ୍ତି। ଏହା ରିପବ୍ଲିକାନ୍‌ଙ୍କ ପାରମ୍ପରିକ ରାଜନୈତିକ ଗଡ଼ରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି।

୩. ଟ୍ରମ୍ପଙ୍କ ଶାସନ ଉପରେ ଜନମତ: ଟ୍ରମ୍ପ ନିଜ କାର୍ଯ୍ୟକାଳକୁ ନେଇ ଏହି ନିର୍ବାଚନକୁ ଏକ ପ୍ରକାର ଜନମତ ସଂଗ୍ରହ ବୋଲି କହିଥିଲେ। କିନ୍ତୁ ଫଳାଫଳ ତାଙ୍କ ଦଳ ସପକ୍ଷରେ ଯାଇନାହିଁ। ହାର ପରେ ସେ କହିଛନ୍ତି, ଯଦି ସେ ନିଜେ ନିର୍ବାଚନ ଲଢ଼ିଥାନ୍ତେ, ତେବେ ବଡ଼ ବିଜୟ ମିଳିଥାନ୍ତା।

୪. ମହଙ୍ଗା ମାଡ଼ରେ ବିଗିଡ଼ିଲା ଖେଳ: ମୁଦ୍ରାସ୍ଫୀତି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବଂ ଦୈନନ୍ଦିନ ଖର୍ଚ୍ଚ ଆମେରିକୀୟଙ୍କ ମୁଖ୍ୟ ଚିନ୍ତା ପାଲଟିଥିଲା। ଟ୍ରମ୍ପଙ୍କ ଟାରିଫ୍ ନୀତି ଯୋଗୁଁ ଆମଦାନୀ ଖର୍ଚ୍ଚ ବଢ଼ିବା ମଧ୍ୟ ବ୍ୟବସାୟୀ ଓ ଗ୍ରାହକଙ୍କ ଚିନ୍ତା ବଢ଼ାଇଥିଲା।

୫. ଇରାନ୍ ଯୁଦ୍ଧର ପ୍ରଭାବ: ଇରାନ୍ ସହ ସଂଘର୍ଷ ଓ ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ଯୋଗୁଁ ଶକ୍ତି ଦର ବଢ଼ିଥିଲା। ବିଦେଶୀ ଯୁଦ୍ଧରୁ ଦୂରେଇ ରହିବାର ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପଙ୍କ ବିଦେଶ ନୀତି ମଧ୍ୟ ନିର୍ବାଚନରେ ଚର୍ଚ୍ଚାର ବିଷୟ ହୋଇଥିଲା।

୬. ଯୁବ ଓ ହିସ୍ପାନିକ୍ ଭୋଟରଙ୍କ ମତ ବଦଳ: ଯୁବ ଭୋଟର ଓ ହିସ୍ପାନିକ୍ ସମୁଦାୟର ଏକ ବଡ଼ ଅଂଶ ଏଥର ଡେମୋକ୍ରାଟ୍‌ଙ୍କୁ ସମର୍ଥନ କରିଥିଲେ। ଏହା ରିପବ୍ଲିକାନ୍‌ଙ୍କ ପାଇଁ ଏକ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ହୋଇଛି।

୭. ଗଭର୍ଣ୍ଣର ନିର୍ବାଚନରେ ବି ବଡ଼ ପରିବର୍ତ୍ତନ: ଜର୍ଜିଆ, ଓହାୟୋ, ଆଇଓୱା ଓ ଟେକ୍ସାସ୍‌ରେ ଡେମୋକ୍ରାଟ୍‌ମାନେ ରିପବ୍ଲିକାନ୍‌ଙ୍କଠାରୁ ଗଭର୍ଣ୍ଣର ପଦ ଛଡ଼ାଇ ନେଇଛନ୍ତି। ଜର୍ଜିଆରେ କେଇଶା ଲାନ୍ସ ବଟମ୍ସ, ଓହାୟୋରେ ଏମି ଆକ୍ଟନ୍, ଆଇଓୱାରେ ରବ୍ ସ୍ୟାଣ୍ଡ ଓ ଟେକ୍ସାସ୍‌ରେ ଜିନା ହିନୋଜୋସା ବିଜୟୀ ହୋଇଛନ୍ତି।

୮. ଭାରତୀୟ-ଆମେରିକୀୟଙ୍କ ଗୁରୁତ୍ୱପୂର୍ଣ୍ଣ ବିଜୟ: ଏହି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ନେତାଙ୍କ ମଧ୍ୟରୁ ପିଆ ଡାଣ୍ଡିଆ, ସୁହାସ ସୁବ୍ରମଣ୍ୟମ୍ ଓ ଅରୁଣା ମିଲର୍ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଓହାୟୋ ଗଭର୍ଣ୍ଣର ନିର୍ବାଚନରେ ଟ୍ରମ୍ପଙ୍କ ସମର୍ଥିତ ବିବେକ ରାମାସ୍ୱାମୀ ପରାଜିତ ହୋଇଛନ୍ତି।

୯. ହ୍ୱାଇଟ୍ ହାଉସ୍ ଓ କଂଗ୍ରେସ ମଧ୍ୟରେ ବଢ଼ିବ ଟଣାଓଟରା: ଉଭୟ ସଦନ ଡେମୋକ୍ରାଟ୍‌ଙ୍କ ନିୟନ୍ତ୍ରଣକୁ ଯିବା ପରେ ଟ୍ରମ୍ପଙ୍କ ନୀତି ଓ ନିଷ୍ପତ୍ତି ଉପରେ କଡ଼ା ନଜର ରହିବ। ସରକାରୀ ଖର୍ଚ୍ଚ, ଇରାନ୍ ନୀତି ଓ ନିଯୁକ୍ତି ନେଇ ଯାଞ୍ଚ ଏବଂ ଶୁଣାଣି ହୋଇପାରେ। ଅନ୍ୟପଟେ ଟ୍ରମ୍ପ ନିଜର ରାଷ୍ଟ୍ରପତି ଭିଟୋ କ୍ଷମତା ବ୍ୟବହାର କରିପାରନ୍ତି।

୧୦. ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂଆ ସମୀକରଣ: ଏହି ଫଳାଫଳ ୨୦୨୮ ରାଷ୍ଟ୍ରପତି ନିର୍ବାଚନର ରାଜନୈତିକ ସମୀକରଣକୁ ପ୍ରଭାବିତ କରିପାରେ। ରିପବ୍ଲିକାନ୍ ପାର୍ଟି ମଧ୍ୟରେ ଟ୍ରମ୍ପଙ୍କ ପ୍ରଭାବ ଓ ଭବିଷ୍ୟତ ନେତୃତ୍ୱକୁ ନେଇ ଚର୍ଚ୍ଚା ବଢ଼ିବ। ସେପଟେ ଡେମୋକ୍ରାଟ୍‌ଙ୍କ ନୂଆ ନେତା ଓ ଗଭର୍ଣ୍ଣରମାନେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦୌଡ଼ରେ ଆଗକୁ ଆସିପାରନ୍ତି।