ଇରାନକୁ ସହଯୋଗ କରିବା ପଡ଼ିଲା ମହଙ୍ଗା, ଭାରତୀୟଙ୍କ ସମେତ ତୁର୍କୀ କମ୍ପାନୀ ଉପରେ ଆମେରିକାର କଟକଣା
ଆମେରିକାର ଅଭିଯୋଗ ଅନୁସାରେ, ଇରାନର ତୈଳ ପରିବହନରେ ସାମିଲ ଜାହାଜଗୁଡ଼ିକୁ ଜାଲ୍ ପଞ୍ଜୀକରଣ ଓ ସାମୁଦ୍ରିକ ପ୍ରମାଣପତ୍ର ଯୋଗାଉଥିଲେ ଭାରତୀୟ ଦମ୍ପତି।
ନୂଆଦିଲ୍ଲୀ: ଇରାନକୁ ସହଯୋଗ କରିବା ଏବେ ମହଙ୍ଗା ପଡ଼ିଛି। ଇରାନକୁ ଆର୍ଥିକ ଓ ବ୍ୟବସାୟିକ ସହାୟତା ଯୋଗାଇବା ଅଭିଯୋଗରେ ଭାରତ ଓ ତୁର୍କୀର ଏକାଧିକ କମ୍ପାନୀ ଏବଂ ବ୍ୟକ୍ତିଙ୍କ ବିରୋଧରେ କଡ଼ା କଟକଣା ଲଗାଇଛି ଆମେରିକା।
ବୁଧବାର ଆମେରିକାର ଅର୍ଥ ମନ୍ତ୍ରଣାଳୟ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ସହ ଇରାନ ସରକାରଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଆଗକୁ ମଧ୍ୟ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛି ଆମେରିକା।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ୍ ଇକୋନୋମିକ୍ ଆଉଟକାଷ୍ଟ’ର ଏହା ଏକ ଅଂଶ। ଇରାନର ତୈଳ ବିକ୍ରିରୁ ହେଉଥିବା ଆୟକୁ ରୋକିବା ଏବଂ ଏହାର ଆର୍ଥିକ କାରବାର ଉପରେ ଚାପ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
୪ ଜଣଙ୍କ ଉପରେ କଟକଣା: ଆମେରିକାର ଅର୍ଥ ମନ୍ତ୍ରଣାଳୟ ଅନୁସାରେ, ଭାରତରେ ରହୁଥିବା ସୁନୀଲ କୁମାର ଶର୍ମା, ତାଙ୍କ ପତ୍ନୀ ଜସପ୍ରୀତ ପ୍ରୀତି ସାହିଦ ଏବଂ ଅନ୍ୟ ଦୁଇ ଜଣ ଭାରତୀୟ ନାଗରିକଙ୍କୁ କଟକଣା ତାଲିକାରେ ସାମିଲ କରାଯାଇଛି।
ଇରାନର ପେଟ୍ରୋଲିୟମ ପରିବହନରେ ସାମିଲ ଥିବା କଟକଣାଭୁକ୍ତ ଜାହାଜଗୁଡ଼ିକୁ ଜାଲ୍ ପତାକା ଓ ସାମୁଦ୍ରିକ ପ୍ରମାଣପତ୍ର ଯୋଗାଇ ଦେବାରେ ଏମାନଙ୍କର ଭୂମିକା ଥିବା ଆମେରିକା ଅଭିଯୋଗ କରିଛି।
କେବଳ ଏହି ଚାରି ଜଣ ନୁହନ୍ତି, ସୁନୀଲ କୁମାର ଶର୍ମାଙ୍କ ସହ ଜଡ଼ିତ ଆଉ ୯ଟି ସଂସ୍ଥାକୁ ମଧ୍ୟ ଆମେରିକାର କଟକଣା ତାଲିକାରେ ରଖାଯାଇଛି।
ଜାଲ୍ ପଞ୍ଜୀକରଣ ଜରିଆରେ ଚାଲୁଥିଲା ଜାହାଜ: ଆମେରିକାର ଅଭିଯୋଗ ଅନୁସାରେ, ଚଣ୍ଡିଗଡ଼ରେ ରହୁଥିବା ସୁନୀଲ କୁମାର ଶର୍ମା ଓ ତାଙ୍କ ପତ୍ନୀ ଗୁୟାନା, ଇସ୍ୱାତିନି ଏବଂ ଲାଓସ୍ ଭଳି ଦେଶର ପ୍ରତିନିଧି ଭାବେ ନିଜକୁ ଦର୍ଶାଇ ଜାହାଜଗୁଡ଼ିକ ପାଇଁ ଜାଲ୍ ପଞ୍ଜୀକରଣ ଓ ପ୍ରମାଣପତ୍ର ଜାରି କରୁଥିଲେ।
ଏହି ଜାଲ୍ କାଗଜପତ୍ର ମାଧ୍ୟମରେ ଇରାନର ସାମରିକ ପ୍ରତିଷ୍ଠାନ ଏବଂ ସେମାନଙ୍କ ସହ ଜଡ଼ିତ ସଂଗଠନ ପାଇଁ କାମ କରୁଥିବା ଜାହାଜଗୁଡ଼ିକ ଅନ୍ତର୍ଜାତୀୟ କଟକଣାକୁ ଏଡ଼ାଇ ନିଜର କାରବାର ଜାରି ରଖିପାରୁଥିଲେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।
ତୁର୍କୀ କମ୍ପାନୀ ଉପରେ ମଧ୍ୟ ଆମେରିକାର ଆକ୍ସନ୍: ଅନ୍ୟପଟେ ତୁର୍କୀର ଫୁଗୋ ଗ୍ରାଉଣ୍ଡ ସର୍ଭିସେସ୍ ଇଙ୍କ୍ (Fugo Ground Services Inc.) ନାମକ କମ୍ପାନୀ ଉପରେ ମଧ୍ୟ ଆମେରିକା କଟକଣା ଲଗାଇଛି।
ଏହି କମ୍ପାନୀ ଇରାନର କଟକଣାଭୁକ୍ତ ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ସମେତ ଅନ୍ୟାନ୍ୟ ସେବା ଯୋଗାଇ ଦେଉଥିବା ଅଭିଯୋଗ ରହିଛି।
ଟ୍ରମ୍ପ ପ୍ରଶାସନର କଡ଼ା ଚେତାବନୀ: ଏହି କାର୍ଯ୍ୟାନୁଷ୍ଠାନ ପରେ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ, ଇରାନ ସରକାରଙ୍କୁ ସମର୍ଥନ କରୁଥିବା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଛଡ଼ାଯିବ ନାହିଁ।
ସ୍ଥଳପଥ, ସମୁଦ୍ରପଥ କିମ୍ବା ଆକାଶପଥ ଦେଇ ଇରାନକୁ ସହାୟତା ଯୋଗାଉଥିବା ଲୋକଙ୍କ ବିରୋଧରେ ଆଗକୁ ମଧ୍ୟ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।


