ଜାଲ୍ ରସିଦରେ ଚାନ୍ଦା ଆଦାୟ କରୁଥିଲେ; ସେହି ଟଙ୍କାରେ କିଏ କିଣିଲା କାର, କିଏ ଦେଇଥିଲା ପତ୍ନୀଙ୍କୁ ଉପହାର

ଯଦି କୌଣସି ଶ୍ରଦ୍ଧାଳୁ ମନ୍ଦିରକୁ ଦାନ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ; ସେତେବେଳେ ଅଭିଯୁକ୍ତମାନେ ସେହି ଜାଲ୍ ରସିଦ କାଟି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ

ଅଯୋଧ୍ୟ: ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଦାନ ଅର୍ଥ ଚୋରି ଘଟଣାର ଆଉ ଗୋଟିଏ ଦିଗ ସାମ୍ନାକୁ ଆସିଛି। ପୋଲିସ୍ ତଦନ୍ତ ବେଳେ ଜଣାପଡ଼ିଛି, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନାଁରେ ଜାଲ୍ ରସିଦ ଦେଖାଇ ଟଙ୍କା ଆଦାୟ କରାଯାଇଛି। ଯେଉଁ ଟଙ୍କାକୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ଭାଗବଣ୍ଟା କରି ନେଇଯାଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଜାଲ୍ ରସିଦ୍ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ଗିରଫ ଅଭିଯୁକ୍ତଙ୍କ ପାଖରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ପୁରୁଣା ଜାଲ୍ ରସିଦ୍ ବହି ମିଳିଛି। ଯଦି କୌଣସି ଶ୍ରଦ୍ଧାଳୁ ମନ୍ଦିରକୁ ଦାନ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ; ସେତେବେଳେ ଅଭିଯୁକ୍ତମାନେ ସେହି ଜାଲ୍ ରସିଦ କାଟି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ।

ଆଉ ସେହି ଟଙ୍କାକୁ ପରସ୍ପର ଭିତରେ ବାଣ୍ଟି ନେଇଯାଇଥିଲେ। ହେଲେ ମନ୍ଦିରକୁ ଟଙ୍କାଟିଏ ଦେଉନଥିଲେ। ଏହି ବେଆଇନ୍ କାମ ଟିନ୍ନୁ ଯାଦବ, ଲଭ କୁଶ, କରୁଣେଶ, ଅନୁକଳ୍ପ ପ୍ରମୁଖ କରୁଥିଲେ।

ପୋଲିସ ଜେରା ବେଳେ ଲଭ୍‌କୁଶ ଓ କରୁଣେଶ ସ୍ୱୀକାର କରିଛନ୍ତି; ରମାଶଙ୍କର ଯାଦବ ଓରଫ ଟିନ୍ନୁ ଓ ଅବିନାଶ ଶୁକ୍ଲା ଏହି ଚୋରି ର‌୍ୟା କେଟ୍‌ର ମୁଖ୍ୟ ଅଭିଯୁକ୍ତ। ଅବିନାଶ ଶୁକ୍ଲାଙ୍କ ପାଖରୁ ଏକ ଗାଡ଼ି ମଧ୍ୟ ଜବତ କରାଯାଇଛି। ଯାଞ୍ଚରୁ ଜଣାପଡ଼ିଛି; ୧୪ କୋଶୀ ପରିକ୍ରମା ମାର୍ଗରେ ଚୋରି ଟଙ୍କାର ଭାଗବଣ୍ଟା ହେଉଥିଲା।

ଅଭିଯୁକ୍ତ ଅନୁକଳ୍ପ ଚୋରି ଟଙ୍କାରେ ଏକ ଡିଜାୟାର୍ ଗାଡ଼ି କିଣିଥିଲା। ଏକ ସ୍କର୍ପିଓ ମଧ୍ୟ ବୁକ୍ କରିଥିଲା। ସେହିପରି ଅନ୍ୟତମ ଅଭିଯୁକ୍ତ ଲଭ୍‌କୁଶ ନିଜ ପତ୍ନୀ ସୁପ୍ରିୟା ମିଶ୍ରାଙ୍କ ନାଁରେ ଜମି କିଣି ସେଥିରେ ଏକ ତିନି ମହଲା କୋଠା ତିଆରି କରୁଥିଲା। ପୋଲିସ ଏବେ ଏହି ସବୁ ଅଭିଯୁକ୍ତମାନଙ୍କ ସମ୍ପତ୍ତି, ପ୍ରସାଦ ଓ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଖୋଳତାଡ଼ କରୁଛି। ପଚରାଉଚରା ପରେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ଲୁଚିବା ସ୍ଥାନଗୁଡ଼ିକୁ ନିଆଯାଇପାରେ।