ତାଣ୍ଡବ ରଚିଲା ମେଘ ପବନ; ୧୫ ଲୋକଙ୍କ ଜୀବନ ଗଲା, ଅନେକ ଆହତ
କାଳବୈଶାଖୀରେ ବିଭିନ୍ନ ଜିଲ୍ଲାରେ ବହୁ କଚ୍ଚା ଘର ନଷ୍ଟ ହୋଇଯାଇଛି। ବଡ଼ବଡ଼ ଗଛ ପଡ଼ିଥିବା ଦେଖିବାକୁ ମିଳିଛି
ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ତାଣ୍ଡବ ରଚିଛି କାଳବୈଶାଖୀ। ବର୍ଷା ଓ ପବନ ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମିଳିଥିବା ସୂଚନା ଅନୁସାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କାଳବୈଶାଖୀରେ ବିଭିନ୍ନ ଜିଲ୍ଲାରେ ବହୁ କଚ୍ଚା ଘର ନଷ୍ଟ ହୋଇଯାଇଛି। ବଡ଼ବଡ଼ ଗଛ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁଛି।
ଉତ୍ତରପ୍ରଦେଶରେ ହୋଇଥିବା କାଳବୈଶାଖୀରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଭିତରୁ ବଦାୟୁରେ କେବଳ ୫ ଜଣ ଅଛନ୍ତି। ଏହାଛଡ଼ା ଫତେହପୁରରେ ଅଲଗା ଅଲଗା ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଭଦୋହୀରେ ଏକ ଘର ଉପରେ ବିରାଟକାୟ ନିମ ଗଛ ଉପୁଡ଼ି଼ି ପଡ଼ିଥିଲା। ଯାହାଫଳରେ ୪ ଜଣଙ୍କ ଜୀବନ ଯାଇଛି।
ଠିକ ସେମିତି ଉନ୍ନାୱରେ ପ୍ରବଳ ବର୍ଷା ସହିତ ପବନ ହୋଇଛି। ଏଥିରେ କାହାର ମୃତ୍ୟୁ ହୋଇନଥିଲେ ମଧ୍ୟ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ସମ୍ଭଲ, ମେରଠ ଓ ବରେଲିରେ ପ୍ରବଳ ବର୍ଷା ହୋଇଥିଲା। ଶାହାଜାହାପୁର, ବରେଲି ଓ ରାମପୁରରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବୋହିଥିଲା।
ଶିଗୁପୁର ଗାଁରେ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ ୭୦ ବର୍ଷୀୟ ଶ୍ରୀରାମ। ଠିକ୍ ସେହି ସମୟରେ ହୋଇଥିବା ପବନ ଯୋଗୁଁ ଆମ୍ବ ଗଛଟି ଉପୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଉତ୍ତରପ୍ରଦେଶ ପରି ରାଜଧାନୀ ନୂଆଦିଲ୍ଲୀରେ ପାଗର ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ହେବା ସହିତ ପବନ ବୋହିଛି। ଯାହାଫଳରେ ଯାତାୟତ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଏପରି ପରିସ୍ଥିତି ଉପୁଜିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

