fbpx

ଦୁନିଆରେ ପ୍ରଥମ, କାନପୁରରେ ୨ ବର୍ଷର ଶିଶୁଙ୍କ ଉପରେ ହେବ ଭ୍ୟାକ୍ସିନ ଟ୍ରାଏଲ

କାନପୁର : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଉପରେ କିଛିଟା ବ୍ରେକ୍ ଲାଗିଛି । ହେଲେ ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଯଦି ତୃତୀୟ ଲହର ଆସେ ତେବେ ଏହା ଶିଶୁଙ୍କ ପାଇଁ ଘାତକ ହୋଇପାରେ ବୋଲି ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଟିକାକରଣ ଉପରେ ଅଗ୍ରାଧିକାର ଦିଆଯାଉଛି । ଏହି କ୍ରମରେ କାନପୁରରେ ଦୁଇ ବର୍ଷର ଶିଶୁଙ୍କ ଶରୀରରେ କରୋନା ଭ୍ୟାକ୍ସିନର ପରୀକ୍ଷଣ କରାଯାଉଛି । ଏ ପର୍ଯ୍ୟନ୍ତ ଦୁନିଆରେ ଏତେ କମ ବୟସର ଶିଶୁଙ୍କ ଠାରେ ଭ୍ୟାକ୍ସିନର ପରୀକ୍ଷଣ କରାଯାଇ ନାହିଁ । ଏହି ସବୁ ଶିଶୁଙ୍କୁ ତିନୋଟି ଗ୍ରୁପରେ ବିଭକ୍ତ କରାଯାଇ ପରୀକ୍ଷଣ କରାଯାଉଛି । ଏଥିରେ ସକରାତ୍ମକ ଫଳାଫଳ ଆସୁଥିବା କୁହାଯାଇଛି ।

ଭାରତ ବାୟୋଟେକ କାନପୁରର ଏକ ହସ୍ପିଟାଲରେ ଗତ ମଙ୍ଗଳବାର କୋଭାକ୍ସିନ ଟିକାର ପରୀକ୍ଷଣ ଶିଶୁଙ୍କଠାରେ କରିଛି । ଶିଶୁଙ୍କୁ ତିନୋଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରଥମ ଗ୍ରୁପରେ ଦୁଇ ବର୍ଷରୁ ଛଅ ବର୍ଷ, ଦ୍ୱିତୀୟ ଗ୍ରୁପରେ ୬ ରୁ ୧୨ ବର୍ଷ ଏବଂ ତୃତୀୟ ଗ୍ରୁପରେ ୧୨ ବର୍ଷରୁ ୧୮ ବର୍ଷର ପିଲାଙ୍କୁ ରଖାଯାଇଛି ।

ଏମିତି ହେଲା ଭ୍ୟାକ୍ସିନର ଟ୍ରାଏଲ

ଭ୍ୟାକ୍ସିନ ଟ୍ରାଏଲର ପ୍ରଥମ ଦିନ ୧୨ ରୁ ୧୮ ବର୍ଷର ୪୦ ପିଲାଙ୍କ ସ୍କ୍ରିନିଂ କରାଯାଇଥିଲା । ଏଥିରେ ୨୦ ଜଣ ପରୀକ୍ଷଣ ପାଇଁ ଫିଟ୍ ଘୋଷିତ ହୋଇଥିଲେ। ସେହି ପିଲାଙ୍କୁ ଟିକା ଲଗାଯାଇଥିଲା । ଏହା ପରେ ଗତ ବୁଧବାର ଛଅରୁ ୧୨ ବର୍ଷର ୧୦ ପିଲାଙ୍କ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଗଲା । ଏଥିରେ ଟିକାକରଣ ପାଇଁ ଫିଟ୍ ୫ ପିଲାଙ୍କୁ ଟିକା ଦିଆଯାଇଥିଲା । ଏହା ପରେ ୪୫ ମିନିଟ୍ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ନୀରିକ୍ଷଣରେ ରଖାଯାଇଥିଲା । ଏଥିରୁ ଦୁଇ ଜଣଙ୍କଠାରେ ଇଞ୍ଜେକ୍ସନ ଲଗାଯାଇଥିବା ସ୍ଥାନରେ ହାଲୁକା ଲାଲ ଚିହ୍ନ ପଡିଥିଲା, ଯାହା ଏକ ସାଧାରଣ କଥା ।

ଭ୍ୟାକ୍ସିନ ପରୀକ୍ଷଣର ମୁଖ୍ୟ ଅନୁସନ୍ଧନକାରୀ ଶିଶୁ ରୋଗ ବିଶେଷଜ୍ଞ ଭିଏନ ତ୍ରିପାଠୀ କହିଛନ୍ତି, ଦୁଇ ବର୍ଷର ଶିଶୁଙ୍କଠାରେ କରୋନା ଭ୍ୟାକ୍ସିନ ପରୀକ୍ଷଣ ଦୁନିଆରେ ପ୍ରଥମ ଥର ହେଉଛି । ଏତେ ଛୋଟ ବୟସର ଶିଶୁଙ୍କଠାରେ କେଉଁଠି ବି ଆଜି ପର୍ଯ୍ୟନ୍ତ ପରୀକ୍ଷଣ ହୋଇନାହିଁ । ଏବେ ଦୁଇ ବର୍ଷର ଶିଶୁଙ୍କ ପାଳି, ଯାହାଙ୍କ ଉପରେ ଭ୍ୟାକ୍ସିନର ପରୀକ୍ଷଣ କରାଯିବ । ଏ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣର ଫଳାଫଳ ସକରାତ୍ମକ ରହିଥିବା ସେ କହିଛନ୍ତି ।

Get real time updates directly on you device, subscribe now.