ବିଷଧର ‘ରଣା’ ସାପ ସହ ସାରା ରାତି ଶୋଇଥିଲେ ଯୁବକ, ଆଉ ତାପରେ ..

ଅନୁଗୁଳ ଜିଲ୍ଲାରେ ବିଷଧର ରଣା ସାପ ସହ ଜଣେ ପ୍ରାଣୀ ବିଜ୍ଞାନ ଛାତ୍ର ସାରା ରାତି ଗୋଟିଏ ବିଛଣାରେ ଶୋଇଥିବା ଭଳି ଏକ ଚମକାଇ ଦେଲା ଭଳି ଘଟଣା ଘଟିଛି।

ଅନୁଗୁଳ: ଆପଣ ଭାବନ୍ତୁ ତ, ଆପଣ ଯେଉଁ ଖଟରେ ଆରାମରେ ଶୋଇଛନ୍ତି, ଆଉ ଆପଣଙ୍କ କମ୍ବଳ ଭିତରେ ଯଦି ଏକ ସାଙ୍ଘାତିକ ବିଷଧର ସାପ ଗୁଡ଼େଇ ହୋଇ ଶୋଇଥାଏ, ତେବେ କଣ ହେବ? ଏମିତି ଏକ ଦେହ ଶିହରଣକାରୀ ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରୁ। ଜଣେ +୩ ପ୍ରାଣୀ ବିଜ୍ଞାନ (Zoology)ର ଛାତ୍ର ଉଦୟ କୁମାର ମାଝୀଙ୍କ ସହ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା।

ଘଟଣା ମୁତାବକ, ଗତ ୩ ଦିନ ଧରି ଲଗାତାର ବର୍ଷା ଯୋଗୁଁ ପାଗ ବେଶ୍ କୋହଲା ଓ ଥଣ୍ଡା ଥିଲା। ଏଥିପାଇଁ ଉଦୟ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ପତଳା କମ୍ବଳ ଘୋଡ଼େଇ ହୋଇ ନିଜ ଖଟ ଉପରେ ଶୋଇବାକୁ ଯାଇଥିଲେ। ସେ ଜାଣିନଥିଲେ ଯେ ଥଣ୍ଡା ଯୋଗୁଁ କମ୍ବଳର ଉଷୁମ ପାଇବା ପାଇଁ ଏକ ଅତି ବିଷଧର ‘ରଣା’ (Banded Krait) ସାପ ମଧ୍ୟ ତାଙ୍କ ଶେଯ ଭିତରକୁ ପଶି ଆସିଛି।

ଭୋର୍ ପ୍ରାୟ ୪ଟା ବେଳେ ଉଦୟ ବାଥ୍‌ରୁମ୍ ଯିବା ପାଇଁ ନିଦରୁ ଉଠିଥିଲେ। ସେ ଘରର ଲାଇଟ୍ ଅନ୍ କରିବା ମାତ୍ରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡ଼ିଗଲା। କମ୍ବଳ ଭିତରେ କୁଣ୍ଡଳୀ ପକାଇ ଶୋଇଥିଲା ହଳଦୀ-କଳା ପଟା ପଟା ଦାଗ ଥିବା ରଣା ସାପ। ପ୍ରାଣୀ ବିଜ୍ଞାନର ଛାତ୍ର ହୋଇଥିବାରୁ ସାପଟିକୁ ଚିହ୍ନିବାରେ ତାଙ୍କର ଟିକେ ବି ଭୁଲ ହୋଇନଥିଲା। ଭୟରେ ସେ ଜୋରରେ ଚିତ୍କାର କରି ଉଠିଥିଲେ। ତାଙ୍କ ପାଟି ଶୁଣି ପଡ଼ିଶା ଘର ଲୋକେ ଦୌଡ଼ି ଆସିଥିଲେ ଏବଂ ଯେନତେନ ପ୍ରକାରେ ସାପଟିକୁ ଉଦ୍ଧାର କରି ବାହାରେ ଛାଡ଼ିଥିଲେ।

ଏହା ପରେ ଆରମ୍ଭ ହୋଇଥିଲା ଆତଙ୍କ। ରଣା ସାପ ଅତ୍ୟନ୍ତ ବିଷଧର ହୋଇଥିବାରୁ ସମସ୍ତେ ଚିନ୍ତାରେ ପଡ଼ିଗଲେ। ଉଦୟଙ୍କ ସାରା ଶରୀର ଖୋଜାଖୋଜି କରାଗଲା, କିନ୍ତୁ କୌଣସି କାମୁଡ଼ା ଦାଗ ମିଳିନଥିଲା। ତେବେ ‘କ୍ରେଟ୍’ (Krait) ପ୍ରଜାତିର ସାପ କାମୁଡ଼ିଲେ ଅନେକ ସମୟରେ ଦାଗ ଜଣାପଡ଼େ ନାହିଁ। ତେଣୁ ଆଉ କାଳ ବିଳମ୍ବ ନକରି ସ୍ଥାନୀୟ ଲୋକେ ଉଦୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେଠାରେ ଡ୍ୟୁଟିରେ ଥିବା ମେଡିସିନ ସ୍ପେସାଲିଷ୍ଟ ଡାକ୍ତର କୁମାର ବିଶୋୟୀ ଉଦୟଙ୍କୁ ଭଲଭାବେ ଯାଞ୍ଚ କରିଥିଲେ। ତାଙ୍କ ଶରୀରରୁ କୌଣସି କାମୁଡ଼ା ଚିହ୍ନ ମିଳିନଥିବା ବେଳେ ୨୦ ମିନିଟ୍‌ର WBCT (Whole Blood Clotting Test) ମଧ୍ୟ ନର୍ମାଲ ଆସିଛି। ତେବେ ରଣା ସାପର ବିଷାକ୍ତ ଲକ୍ଷଣ ବହୁତ ବିଳମ୍ବରେ ପ୍ରକାଶ ପାଉଥିବାରୁ, କୌଣସି ବିପଦ ନେବାକୁ ଚାହିଁନାହାନ୍ତି ଡାକ୍ତର। ବର୍ତ୍ତମାନ ଉଦୟଙ୍କୁ ମେଡିକାଲରେ ୨୪ ଘଣ୍ଟା ପାଇଁ କଡ଼ା ନଜର (Observation) ରେ ରଖାଯାଇଛି। ସୌଭାଗ୍ୟବଶତଃ ଉଦୟ ଏବେ ସୁସ୍ଥ ଅଛନ୍ତି, କିନ୍ତୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।