ଭୁବନେଶ୍ୱରରେ ପହଞ୍ଚିଲେ ସି.ପି. ରାଧାକ୍ରିଷ୍ଣନ, OUAT ଓ NISER କାର୍ଯ୍ୟକ୍ରମରେ ହେବେ ସାମିଲ

ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଗୁରୁବାର ଦିନ ଏକଦିବସୀୟ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି।

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଗୁରୁବାର ଦିନ ଗୋଟିଏ ଦିନ ପାଇଁ ଓଡ଼ିଶା ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର OUAT ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଜାତୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରେ ସେ ଗଭୀର ସମୁଦ୍ରରେ ମାଛ ଚାଷ ଓ ମତ୍ସ୍ୟ ସମ୍ପଦର ସଠିକ୍ ଉପଯୋଗ ପାଇଁ ‘ଲେଟର ଅଫ୍ ଅଥରାଇଜେସନ୍’ (LoAs) ବାଣ୍ଟିବେ ଏବଂ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟଚାଷ ମିଶନ’ ବହିର ଉନ୍ମୋଚନ କରିବେ। ଏହାପରେ ଅପରାହ୍ନରେ ଉପରାଷ୍ଟ୍ରପତି ଭୁବନେଶ୍ୱର ପାଖରେ ଥିବା ନାଇଜର (NISER) ଅନୁଷ୍ଠାନର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଂପାଧିତ କରିବେ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ନିମ୍ନଲିଖିତ ରାସ୍ତାଗୁଡ଼ିକରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି:

  • ପୂର୍ବାହ୍ନ ୧୦.୨୫ ରୁ ୧୦.୪୫ ପର୍ଯ୍ୟନ୍ତ: ଏୟାରପୋର୍ଟ ଛକ – ଲୋକସେବା ଭବନ ଛକ – କ୍ୟାପିଟାଲ ହସ୍ପିଟାଲ ଛକ – ଏଜି ଛକଠାରୁ ବାମ ମୋଡ଼ – ଗୋପବନ୍ଧୁ ଛକ – OUAT ଛକ।
  • ମଧ୍ୟାହ୍ନ ୧୨.୨୫ ରୁ ୧୨.୪୦ ପର୍ଯ୍ୟନ୍ତ: OUAT ଛକ – ଗୋପବନ୍ଧୁ ଛକ – ଲୋକସେବା ଭବନ ଛକ।
  • ଅପରାହ୍ନ ୧.୪୦ ରୁ ୨.୩୦ ପର୍ଯ୍ୟନ୍ତ: ଲୋକସେବା ଭବନ ଛକଠାରୁ ବାମ ମୋଡ଼ – ପାୱାର ହାଉସ୍ ଛକ – ୧୨୦ ବାଟାଲିୟନ ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକଠାରୁ ବାମ ମୋଡ଼ – ଜାତୀୟ ରାଜପଥ (NH-16) – ଖୋର୍ଦ୍ଧା ବାଇପାସ୍ ସର୍ଭିସ୍ ରୋଡ୍ – କାର୍ମେଲ ସ୍କୁଲ ଛକ – ଖୋଲାଦ୍ୱାର ଛକ – ପଦନପୁର ଛକ – ନାଇଜର (NISER)।
  • ଅପରାହ୍ନ ୩.୫୫ ରୁ ୫.୨୫ ପର୍ଯ୍ୟନ୍ତ: ନାଇଜର (NISER) – ପଦନପୁର ଛକ – ଖୋଲାଦ୍ୱାର ଛକ – କାର୍ମେଲ ସ୍କୁଲ ଛକ – ଖୋର୍ଦ୍ଧା ବାଇପାସ୍ ସର୍ଭିସ୍ ରୋଡ୍ – NH-16 – ଜୟଦେବ ବିହାରଠାରୁ ବାମ ମୋଡ଼ – ପାଲ୍ ହାଇଟ୍ସ କଟ୍ – ‘ୟୁ’ (U) ଟର୍ଣ୍ଣ – ଜୟଦେବ ବିହାର ଛକ – ବେହେରା ସାହି ଛକ – ଶାସ୍ତ୍ରୀନଗର ଛକ – ୧୨୦ ବାଟାଲିୟନ ଛକ – ପାୱାର ହାଉସ୍ ଛକ – ଲୋକସେବା ଭବନ ଛକଠାରୁ ବାମ ମୋଡ଼ – ଏଜି ଛକଠାରୁ ଡାହାଣ ମୋଡ଼ – କ୍ୟାପିଟାଲ ହସ୍ପିଟାଲ ଛକ – ଏୟାରପୋର୍ଟ ଛକ।

ଟ୍ରାଫିକ୍‌ର ସୂଚାରୁ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ସମସ୍ତ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଉପରୋକ୍ତ ରୁଟ୍ ଗୁଡ଼ିକୁ ଏଡ଼ାଇବା ସହ ଯଥାସମ୍ଭବ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରିଛି। ଏହା ସହିତ ନିଜର ଯାତ୍ରା ପାଇଁ ପୂର୍ବରୁ ଯୋଜନା କରିବା, ଅଧିକ ସମୟ ହାତରେ ରଖି ବାହାରିବା ଏବଂ ଟ୍ରାଫିକ୍ କର୍ମଚାରୀଙ୍କୁ ସହଯୋଗ କରି ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ତେବେ ଏହି କଟକଣା ଜରୁରୀକାଳୀନ ଗାଡ଼ି (ନିଆଁଲିଭା ଗାଡ଼ି ଓ ଆମ୍ବୁଲାନ୍ସ) ପାଇଁ ଲାଗୁ ହେବ ନାହିଁ।