ଘରୁ ବାହାରିଲା ସୁନାର ଲକ୍ଷ୍ମୀ, ସରସ୍ବତୀ ଓ ଗଣେଶ ମୂର୍ତ୍ତି!
ଲକରରୁ ୨ କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ସମ୍ପତି ଜବତ କରିଛି
ଭୁବନେଶ୍ଵର : ଶେଷରେ ବନ୍ଧାହେଲେ କୁବେର ଯନ୍ତ୍ରୀ। ବାଲିଗୁଡ଼ା ଆଇଟିଡିଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ଲକରରୁ ୨ କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ସମ୍ପତି ଜବତ କରିଛି।
ବାଲିଗୁଡ଼ା ଆଇଟିଡିଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଏହା ପରେ ଶନିବାର ଭିଜିଲାନ୍ସ ଯନ୍ତ୍ରୀଙ୍କ ୯ଟି ଠିକଣାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୁବନେଶ୍ବର ପଟିଆରେ ଥିବା ୨ ମହଲା ଘରୁ ମିଳିଛି ପୂଳା ପୂଳା ଟଙ୍କା।
ସୁନା ଗହଣା ସାଙ୍ଗକୁ ଦାମୀ ଆସବାବପତ୍ର। ଏଥିସହ ଦାମୀ କାର୍ ମଧ୍ୟ ମିଳିଥିଲା। ବୈକୁଣ୍ଠନାଥଙ୍କ ଘରୁ ହୀରା ଖଚିତ ରାଣୀ ହାର ଓ ସୁନା ହାର ମିଳିଛି। ଯାହା ଭିଜିଲାନ୍ସ କର୍ମଚାରୀଙ୍କୁ ଚକିତ କରିଥିଲା। ଲକ୍ଷ ଲକ୍ଷ ଟଙ୍କାରେ କିଣା ଯାଇଥିବା ଘଣ୍ଟା ସାଙ୍ଗକୁ ଦାମୀ ମୋବାଇଲ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।
ଚଢ଼ଉ ବେଳେ ନଗଦ ୨.୦୪ କୋଟି ଟଙ୍କା ମିଳିଥିଲା। ଏଥିସହ ସୁନାର ଲକ୍ଷ୍ମୀ, ସରସ୍ବତୀ ଓ ଗଣେଶଙ୍କ ମୂର୍ତ୍ତୀ ମଧ୍ୟ ମିଳିଥିଲା। ଚଢ଼ାଉ ବେଳେ ବାବୁ ବୈକୁଣ୍ଠଙ୍କ ଏହି ଘରୁ ବାହାରିଛି ବିଭିନ୍ନ ବ୍ୟାଙ୍କରେ ଥିବା ୧୧ଟି ପାସ୍ ବୁକ୍ ସାଙ୍ଗକୁ ଚେକ୍ ବୁକ୍। ଏବେ ସୁଦ୍ଧା ୫ଟି ବହୁତଳ ପ୍ରାସାଦ, ୧୪ ଦାମୀ ପ୍ଲଟ, ୪୫ ଲକ୍ଷ ଟଙ୍କା ଜମା ଠାବ କରିଛି ଭିଜାଲାନ୍ସ।

