ଲାଞ୍ଚ ନେଇ ଧରାପଡ଼ିଲେ; ଏବେ ତାଙ୍କ ସମ୍ପତ୍ତି ଖୋଳୁଛି ଭିଜିଲାନ୍ସ
ରବିବାର ଯୋଜନା ଅନୁସାରେ ଶ୍ରମ ଅଧିକାରୀ ଶ୍ରୀ ବିଷୋୟୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ପକାଇଥିଲେ
ଭୁବନେଶ୍ୱର: ଜାଲରେ ପଡ଼ିଲା କୁବେର ଜିଲ୍ଲା ଶ୍ରମ ଅଧିକାରୀ(ଡିଏଲ୍ଓ)। ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହିତ ସୁନା ଓ ୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଛି। ରବିବାର ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ।
ଅଭିଯୋଗ ଅନୁସାରେ ବିଦ୍ୟୁତ ବିଭାଗର ଜଣେ ଠିକାଦାର ଶ୍ରମ ଲାଇସେନ୍ସ ପାଇଁ ଅନ୍ଲାଇନ୍ରେ ଆବେଦନ କରିଥିଲେ। ହେଲେ ତାଙ୍କ ଫାଇଲ୍ ଆଗକୁ ବଢ଼ୁନଥିଲା। ତେବେ ସେ ଗତ ୧୬ ତାରିଖରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଅଭିଯୋଗ ଅନୁସାରେ ସେହି ସମୟରେ ଶ୍ରୀ ବିଷୋୟୀ ୨୦ ହଜାର ଟଙ୍କା ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣକ ବାଲେଶ୍ୱର ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ରବିବାର ଯୋଜନା ଅନୁସାରେ ଶ୍ରମ ଅଧିକାରୀ ଶ୍ରୀ ବିଷୋୟୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ପକାଇଥିଲେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଶ୍ରୀ ବିଷୋୟୀଙ୍କ ଘରୁ ୩୦୦ ଗ୍ରାମ ସୁନା ଗହଣା ଓ ୭ ଲକ୍ଷ ୨୯ ହଜାର ନଗଦ ଟଙ୍କା ଜବତ କରାଯାଇଛି ଜବତ କରିଥିଲା। ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


