fbpx

ଟିମ୍ ଇଣ୍ଡିଆରୁ ବାହାରେ ଥିବା ବିଜୟ ଶଙ୍କର ବଖାଣିଲେ ନିଜ ଯନ୍ତ୍ରଣା, ନିଜକୁ ଏହି ଅଲରାଉଣ୍ଡରଙ୍କ ସହ କଲେ ତୂଳନା

ନୂଆଦିଲ୍ଲୀ ୧୬ ।୦୫: ଦୁଇ ବର୍ଷ ପୂର୍ବେ ବିଜୟ ଶଙ୍କରଙ୍କୁ ୨୦୧୯ ବିଶ୍ୱ କପ୍ ପାଇଁ ଭାରତୀୟ ଦଳରେ ଚୟନ କରାଯାଇଥିଲା । ମନୋନୟନକାରୀ କମିଟି ତାଙ୍କୁ ଅମ୍ବତି ରାୟୁଡୁଙ୍କ ସ୍ଥାନରେ ସୁଯୋଗ ଦେଇଥିଲେ । ମାତ୍ର ବିଶ୍ୱ କପ ପରଠୁ ଆଜି ପର୍ଯ୍ୟନ୍ତ ବିଜୟ ଶଙ୍କର ଭାରତୀୟ ଦଳରୁ ବାହାରେ ଅଛନ୍ତି । ଶଙ୍କର କେବଳ ମନୋନୟନ କମିଟିଙ୍କ ନଜରରୁ ଗାଏବ ହୋଇ ନାହାନ୍ତି ବରଂ ଆଇପିଏଲରେ ପ୍ରଦର୍ଶନ ଆଧାରରେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଟ୍ରୋଲିଂର ଶିକାର ହେଉଛନ୍ତି। କ୍ରିକେଟ୍ ପ୍ରଶଂସକ ତାଙ୍କୁ ତାତ୍ସଲ୍ୟ କରୁଛନ୍ତି ଯେ, ଏହି ଥ୍ରୀଡି ଖେଳାଳିଙ୍କୁ କେମିତି ବିଶ୍ୱ କପ୍ ପାଇଁ ଚୟନ କରାଯାଇଥିଲା । କଣ ବିଜୟ ଶଙ୍କର ଏତେ ନିମ୍ନମାନର ଖେଳାଳି, ଯେତିକି ତାଙ୍କ ନିନ୍ଦୁକ ସମାଲୋଚନା କରୁଛନ୍ତି ?

ବିଜୟ ଶଙ୍କର ବର୍ତମାନ କ୍ୟାରିୟରର ଏମିତି ମୋଡରେ ଅଛନ୍ତି, ଯେଉଁଠି ତାଙ୍କୁ ସ୍ଥିର କରିବାକୁ ପଡିବ ସେ କେଉଁ ରାସ୍ତାରେ ଯିବେ । ସେ କହିଛନ୍ତି ଯେ, ଖେଳ ପ୍ରତି ମୋର ନୈତିକତା ରହିଛି । ମୋତେ ସଠିକ୍ ଦିଗରେ କଠୋର ପରିଶ୍ରମ କରିବା ଉଚିତ୍ । ଯେବେଠୁ ମୁଁ କ୍ରିକେଟ୍ ଖେଳିବା ଆରମ୍ଭ କରିଛି, ଏହି ଦୁଇଟି କଥା ପ୍ରତି ଅଧିକ ଗୁରୁତ୍ୱ ଦେଇ ଆସିଛି । ଆଗାମୀ ଦିନରେ ମଧ୍ୟ ଏହାକୁ ଜାରି ରଖିବି ଏବଂ ଦଳରେ ସ୍ଥାନ ପାଇବା ଦିଗରେ ପ୍ରୟାସ କରି ଚାଲିଥିବି ।

ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ବିଜୟ ଶଙ୍କରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ଟପ୍ ଅର୍ଡରରେ ଖେଳିବାକୁ ଚାହାନ୍ତି । ମାତ୍ର ଭାରତୀୟ ଦଳରେ ଆପଣଙ୍କ ଚୟନ ନମ୍ବର ପାଂଚ କିମ୍ବା ୬ ନମ୍ବରରେ ବ୍ୟାଟିଂ ପ୍ରଦର୍ଶନ ଆଧାରରେ କରାଯାଇଥିଲା । ଏହା ଉପରେ ବିଜୟ ଶଙ୍କର କହିଛନ୍ତି, ମୋତେ ଯେବେ ବି ନମ୍ବର ପାଂଚରେ ବ୍ୟାଟିଂ କରିବାକୁ ସୁ୍‌ଯୋଗ ଦିଆଯିବ ମୁଁ ସେଥିପାଇଁ ପ୍ରସ୍ତୁତ । ଯଦି ଘରୋଇ କ୍ରିକେଟରେ ମୋର ବ୍ୟାଟିଂକ୍ରମ ଅଲଗା ଅର୍ଡରରେ ବ୍ୟାଟିଂ ପାଇଁ ସ୍ଥିର ହୋଇଛି, ତେବେ ସେଥିପାଇଁ ମଧ୍ୟ ମୁଁ ପ୍ରସ୍ତୁତ । ଯଦି ଆଇପିଏଲ୍ ଉପରେ ଆଲୋଚନା କରାଯାଏ, ମୁଁ ଅଲଗା ଅଲଗା କ୍ରମରେ ବ୍ୟାଟିଂ କରିଛି । ଅଧିକାଂଶ ନମ୍ବର ୬ରେ ବ୍ୟାଟିଂ କରିବାର ସୁଯୋଗ ମିିଳିଛି । ଏମିତି କ୍ରମରେ ବ୍ୟାଟିଂ କଲେ ବ୍ୟାଟିଂ ପାଇଁ ଅଧିକ ସମୟ ମିଳିନଥାଏ କି ଅଧିକ ଓଭର ମଧ୍ୟ ନଥାଏ । ଦ୍ରୁତ ବ୍ୟାଟିଂ କରି ୩୦/୪୦ ରନ କରିବାକୁ ପଡିଥାଏ । ମୋତେ ଲାଗୁନାହିଁ ଯେ, ଏହି ପ୍ରଦର୍ଶନ ଦମରେ ମୁଁ ଭାରତୀୟ ଦଳରେ ନିଜକୁ ସାମିଲ କରି ପାରିବି ।

ଅଲରାଉଣ୍ଡର ପାଇଁ ୬ କିମ୍ବା ୭ ନମ୍ବରରେ ବ୍ୟାଟିଂ କରିବା ଜରୁରୀ ନୁହେଁ

ଏହି ଅଲରାଉଣ୍ଡର କହିଛନ୍ତି, ମୁଁ କହୁନାହିଁ ଯେ ମୋତେ ଓପନିଂ ପାଇଁ ସୁଯୋଗ ଦିଆଯାଉ । ଯଦି ମୁଁ ଘରୋଇ କ୍ରିକେଟରେ ଚାରି କିମ୍ବା ପାଂଚ ନମ୍ବରରେ ବ୍ୟାଟିଂ କରି ପାରୁଛି ଏବଂ ରନ କରି ପାରୁନାହିଁ ତେବେ ମୋତେ ଦଳରୁ ବାଦ୍ ଦେବା ଉଚିତ୍ । ଏଥିରେ ମୋତେ କୌଣସି ସମସ୍ୟା ନାହିଁ । ମୁଁ ଜଣେ ଅଲରାଉଣ୍ଡର, ମାତ୍ର ମୋର ପରିଚୟ ବ୍ୟାଟିଂକୁ ନେଇ ରହିଛି । କେବଳ ଜଣେ ଅଲରାଉଣ୍ଡର ହୋଇଥିବାରୁ ମୋତେ କେବଳ ନମ୍ବର ୬ କିମ୍ବା ୭ରେ ବ୍ୟାଟିଂ କରିବାକୁ ସୁଯୋଗ ଦେବା ଠିକ୍ ନୁହେଁ । ମୁଁ ମଧ୍ୟ ଜ୍ୟାକ୍ କାଲିସ କିମ୍ବା ସେନ ୱାଟସନ ହୋଇ ପାରିବି। ଏହି ଦୁଇ ବ୍ୟାଟସମ୍ୟାନ ଓପନିଂରେ ବ୍ୟାଟିଂ କରିବା ସହ ନମ୍ବର ୩ରେ ମଧ୍ୟ ବ୍ୟାଟିଂ କରି ସାରିଛନ୍ତି । ଏହା ଜରୁରୀ ନୁହେଁ ଯେ, କୌଣସି ଅଲରାଉଣ୍ଡରଙ୍କୁ କେବଳ ନମ୍ବର ୬ କିମ୍ବା ୭ରେ ହିଁ ବ୍ୟାଟିଂ କରିବାକୁ ପଡିବ । ଯଦି ମୁଁ ଟପ୍ ଅର୍ଡରରେ ଆସି ରନ କରି ପାରିବି ଏବଂ ୱିକେଟ୍ ନେଇ ପାରିବି ତେବେ ତାହା ଦଳ ପାଇଁ ଭଲ ରହିବ ବୋଲି ବିଜୟ ଶଙ୍କର କହିଛନ୍ତି ।

ସୂଚନାଯୋଗ୍ୟ, ବିଜୟ ଶଙ୍କର ଭାରତ ପାଇଁ ୧୨ଟି ଦିନିକିଆ ଓ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ସେ ୩୧ ହାରରେ ୨୨୩ ରନ ଏବଂ ଟି-୨୦ରେ ୧୦୧ ରନ କରିଛନ୍ତି । ଦୁଇ ଫର୍ମାଟରେ ଏହି ଅଲରାଉଣ୍ଡରଙ୍କ ନାମରେ ଗୋଟିଏ ହେଲେ ଅର୍ଦ୍ଧଶତକ ନାହିଁ । ଶଙ୍କର ଭାରତ ପକ୍ଷରୁ ଶେଷ ଦିନିକିଆ ମ୍ୟାଚ୍ ୨୦୧୯ ଜୁନରେ ଖେଳିଥିଲେ ।

Get real time updates directly on you device, subscribe now.