ବିଜୟଙ୍କ TVK ଧରିଲା ‘ଇଣ୍ଡିଆ ମେଣ୍ଟର’ ହାତ: ସିଇସିଙ୍କ ବିରୋଧରେ ଦେବେ ରଣହୁଙ୍କାର!
ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦଳ TVK, INDI ମେଣ୍ଟ ସହ ହାତ ମିଳାଇଥିବା ଖବର। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ଅକ୍ଟୋବର ୧୫ରେ ଚେନ୍ନାଇରେ ବଡ଼ ପ୍ରଦର୍ଶନ ପାଇଁ ବିରୋଧୀ ଦଳଙ୍କ ପ୍ରସ୍ତୁତି।
ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଏକ ବଡ଼ ଧରଣର ରାଜନୈତିକ ସମୀକରଣ ବଦଳି ଯାଉଛି। ସୁପରଷ୍ଟାରରୁ ରାଜନେତା ପାଲଟିଥିବା ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲନାଡୁ ଭେଟ୍ରି କାଝାଗମ୍’ ଦଳ ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହେବା ନେଇ ନିଜର ନିଷ୍ପତ୍ତି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।
ଚେନ୍ନାଇସ୍ଥିତ କଂଗ୍ରେସ ମୁଖ୍ୟାଳୟ ‘ସତ୍ୟମୂର୍ତ୍ତି ଭବନ’ରେ ଶନିବାର ଦିନ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମେଣ୍ଟ ବୈଠକରେ ଯୋଗଦେଇ TVKର ଦୁଇଜଣ ପ୍ରତିନିଧି ଆନୁଷ୍ଠାନିକ ଭାବେ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ବୈଠକରେ TVKର ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ଆଧାର ଅର୍ଜୁନ ଏବଂ ଅର୍ଥମନ୍ତ୍ରୀ ମେରୀ ୱିଲସନ୍ ଦଳର ପ୍ରତିନିଧିତ୍ୱ କରିଥିଲେ।
ତାମିଲନାଡୁ କଂଗ୍ରେସ କମିଟି ସଭାପତି ମାଣିକମ୍ ଟାଗୋର ଏହି ଅନ୍ତର୍ଭୁକ୍ତିକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଏହି ନିଷ୍ପତ୍ତି ମେଣ୍ଟକୁ ଆହୁରି ସୁଦୃଢ଼ ଓ ମଜବୁତ କରିବ।
ଉଲ୍ଲେଖନୀୟ ଯେ, ତାମିଲନାଡୁରେ DMK ‘INDIA’ ମେଣ୍ଟର ଏକ ଅଂଶ ଥିଲା, ତଥାପି, ନିର୍ବାଚନ ଫଳାଫଳ ଏବଂ TVKର ଉତ୍ଥାନ ପରେ ରାଜନୈତିକ ସମୀକରଣ ବଦଳିଗଲା, ବିଶେଷକରି ଯେତେବେଳେ TVK ମୁଖ୍ୟ ବିଜୟ ଥାଲାପତି କଂଗ୍ରେସର ସମର୍ଥନ ହାସଲ କଲେ। ଏହି ଘଟଣାକ୍ରମରେ ଅସନ୍ତୁଷ୍ଟ ହୋଇ DMK ମୁଖ୍ୟ ଏମ୍.କେ. ଷ୍ଟାଲିନ୍ କଂଗ୍ରେସ ଏବଂ ‘INDIA’ ମେଣ୍ଟଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କଲେ। ଫଳସ୍ୱରୂପ, ଷ୍ଟାଲିନ୍ଙ୍କ ସହ ସମ୍ପର୍କ ଛିନ୍ନ କରି(କୌଣସି ସରକାରୀ ପୃଷ୍ଟିର ଖବର ନାହିଁ ରାଜନୈତିକ ପରିବର୍ତ୍ତନରୁ ବାରି ହେଉଥିବା ଏକ ଅନୁମାନ) ବିଜୟଙ୍କ ସହ ମେଣ୍ଟ କରିବାର ପଦକ୍ଷେପ ବର୍ତ୍ତମାନ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି।
ଅନ୍ୟପଟେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଜିଲ୍ଲା ସ୍ତରରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମେଣ୍ଟ ଅଭିଯୋଗ କରିଛି ଯେ, ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ପ୍ରକ୍ରିୟା ସମୟରେ ନିର୍ବାଚନ କମିଶନ ବେଆଇନ ଓ ମନମୁଖୀ ଭାବେ କାର୍ଯ୍ୟ କରି ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ ବାଦ୍ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ, ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପଦରୁ ହଟାଇବା ଦାବିରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ଚେନ୍ନାଇରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହେବ। ଏହି ବିକ୍ଷୋଭ ସମାବେଶରେ କଂଗ୍ରେସ, VCK, CPI, CPM, IUML, MDMK ଏବଂ CPI(ML) ଭଳି ମେଣ୍ଟ ସହଯୋଗୀ ଦଳଗୁଡ଼ିକ TVK ସହିତ ଏକାଠି ମଞ୍ଚ ସେୟାର କରିବେ। ଏହି ପ୍ରସଙ୍ଗରେ ମତ ରଖି MDMK ନେତା ଭାଇକୋ କହିଛନ୍ତି ଯେ, ଶନିବାର ଦିନର ବୈଠକରେ ଯୋଗଦେବା ଥିଲା କେବଳ ପ୍ରଥମ ପଦକ୍ଷେପ;,ଆଗାମୀ ଦିନରେ TVK ‘INDIA’ ମେଣ୍ଟର ଜାତୀୟ ସ୍ତରୀୟ ବୈଠକଗୁଡ଼ିକରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବ। ତେବେ, ଦେଖା ଯାଉ ଏହି ବଦଳିଥିବା ସମ୍ମିକରଣ ଆଗକୁ କେତେ ଫଳପ୍ରଦ ହେବ!

