fbpx

କାଠପୋଲ ଭରସାରେ ଢେପାଗୁଡ଼ା ଗାଁଲୋକେ, ସରପଞ୍ଚ ଗଢ଼ିଲେ ଅସ୍ଥାୟୀ ବାଟ, ଶୁଣୁନି ପ୍ରଶାସନ

ଭଞ୍ଜନଗର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସବୁଠି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ପ୍ରଶାସନିକ ସ୍ତରରେ ନିଆଯାଉଛି ଅନେକ ଉଦ୍ୟମ । କିନ୍ତୁ ଏଭଳି ସଂକଟ କାଳରେ ବଣ-ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ସମସ୍ୟା ପ୍ରତି କାହାର ମଧ୍ୟ ଦୃଷ୍ଟି ପଡୁନି । ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନଥିବାବେଳେ ବଡ଼ ନଦୀ ଘେରି ରହିଛି ଚାରିପାଖକୁ । ବର୍ଷା ଦିନ ଆସିଲେ ଗାଁ ଲୋକଙ୍କ ସମସ୍ୟା ବଢ଼ିଯାଏ । ଜଳବନ୍ଦି ହୋଇପଡ଼ନ୍ତି ଗାଁ ଲୋକେ । ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇପଡ଼େ ଗାଁ । କିନ୍ତୁ ପୋଲଟିଏ ପାଇଁ ଯେତେ ଦାବି କଲେ ମଧ୍ୟ ହୋଇପାରୁନି । ଶୁଣୁନି ପ୍ରଶାସନ । ଏଭଳି ସ୍ଥିତିରେ ସରପଞ୍ଚଙ୍କ ଉଦ୍ୟମରେ ହୋଇପାରିଛି ଏକ କାଠପୋଲ । ଫଳରେ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ମୁଜାଗଡ଼ ପଞ୍ଚାୟତର ଅନେକ ଗାଁ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି । ତେବେ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଉକ୍ତ ପଞ୍ଚାୟତର ଢେପାଗୁଡ଼ା ନାହିଁ ନଥିବା ସମସ୍ୟା ଭୋଗୁଛି । ଗାଁକୁ ଘେରିରହିଛି ବଡ଼ନଦୀ । ବର୍ଷା ହେଲେ ସମସ୍ୟା ଆହୁରି ଭୋଗନ୍ତି ଗାଁ ଲୋକେ । ଗାଁରୁ ବାହାରକୁ ଯାଇପାରନ୍ତିନି କି ବାହାରକୁ ଯାଇଥିଲେ ଗାଁକୁ ଆସିବା ସମ୍ଭବ ହୋଇପାରେନି । ତେବେ ନଦୀରେ ସେତୁଟିଏ ନିର୍ମାଣ ପାଇଁ ବ୍ଲକ୍ ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ସରପଞ୍ଚ ଶିବ ପ୍ରଧାନ । କିନ୍ତୁ କିଛି ମଧ୍ୟ ସୁଫଳ ମିଳିନି । ତେବେ କେମିତି ହେଉ ଉକ୍ତ ଗାଁ ଲୋକଙ୍କ ସମସ୍ୟା ଦୂର ପାଇଁ ଚେଷ୍ଟା ଚଳାଇଥିଲେ ସରପଞ୍ଚ । ଆଉ କାଠ ବାଉଁଶ ଯୋଗାଡ଼ କରି ବଡ଼ନଦୀ ଉପରେ ଏକ କାଠର ପୋଲ ନିର୍ମାଣ କରିଛନ୍ତି । ତେବେ ଏକ ସ୍ଥାୟୀ ପୋଲ ପାଇଁ ଆମେ ଗୁହାରି କରୁଛୁ ବୋଲି ଗାଁର ବାସନ୍ତୀ ନାୟକଙ୍କ ସମେତ ଅନେକ ଲୋକ ପ୍ରଶାସନକୁ ନିବେଦନ ଜଣାଇଛନ୍ତି । ସେହପରି ସରପଞ୍ଚ ମଧ୍ୟ ଆଶା ଦୂରାଇ ନାହାନ୍ତି।

Get real time updates directly on you device, subscribe now.