ସୁରକ୍ଷା କର୍ମୀଙ୍କ ଉପରେ ଗୁଳିମାଡ଼, ମହିଳା ପୋଲିସ ଅଧିକାରୀଙ୍କ ସହ ୫ ଆହତ
ଗୁଳିକାଣ୍ଡ ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଗୁଳି ମାଡ଼ କରିଥିବା ସନ୍ଦୀଗ୍ଧଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି
କୋଲକାତା: ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ସୋଚନୀୟ ପରାଜୟ ହୋଇଛି। ଯାହାଫଳରେ ଟିଏମ୍ସି ପ୍ରତିହିଂସା ପରାୟଣା ହୋଇପଡ଼ିଛି। ପରାଜୟ ପାଇଁ ସୁରକ୍ଷା କର୍ମୀଙ୍କୁ ଦାୟୀ କରିଛି। ସେଥିପାଇଁ ଆଜି ୨୪ ପ୍ରଗଣାରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ୫ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କୁ ଟିଏମ୍ସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ନର୍ଥ ୨୪ ପ୍ରଗଣାର ସନ୍ଦେଶଖଲୀ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା କର୍ମୀ ଓ ପୋଲିସ ମିଳିତ ଭାବେ ପାଟ୍ରୋଲିଂ କରୁଥିଲେ। ଠିକ୍ ସେତିକି ବେଳେ ସେମାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଜଣେ ମହିଳା ପୋଲିସ ଅଧିକାରୀଙ୍କ ଦେହରେ ଗୁଳି ବାଜିଥିଲା। ଏହାଛଡ଼ା ୪ରୁ ଅଧିକ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ସମସ୍ତଙ୍କୁ ମୀନାଖା ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋଲକାତା ସ୍ଥାନାନ୍ତରିତ କରାଯାଇଛି।
ଗୁଳିକାଣ୍ଡ ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଗୁଳି ମାଡ଼ କରିଥିବା ସନ୍ଦୀଗ୍ଧଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରୁ ବୋମା ଓ ବହୁ ମାରଣାସ୍ତ୍ର ଜବତ କରାଯାଇଛି।
ନିର୍ବାଚନ ପରେ ହୋଇଥିବା ହିଂସାରେ ୨ ମୃତ
ପଶ୍ଚିମବଙ୍ଗା ନିର୍ବାଚନ ପରେ ଅଲଗା ଅଲଗା ସ୍ଥାନରେ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯେଉଁଥିରେ ଜଣେ ବିଜେପିରୁ ଓ ଅନ୍ୟ ଜଣେ ଟିଏମ୍ସିରୁ ଅଛନ୍ତି। ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ନ୍ୟୁ ଟାଉନ୍ ଅଞ୍ଚଳରେ ବିଜେପି ବିଜୟ ଉତ୍ସବ ଶୋଭାଯାତ୍ରା ବାହାର କରିଥିଲା। ଯାହାକୁ ବିରୋଧ କରିଥିଲା ଟିଏମ୍ସି। ଯେଉଁଥିପାଇଁ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ବିଜେପି କର୍ମୀ ମଧୁ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା। ଟିଏମ୍ସି କର୍ମୀମାନେ ମଧୁଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ବୀରଭୂମିରେ ହୋଇଥିବା ଗଣ୍ଡଗୋଳରେ ଟିଏମ୍ସି କାର୍ଯ୍ୟକର୍ତ୍ତା ଅୱିର ଶେଖଙ୍କ ମୃତ୍ୟୁ ଘଟିଥିଲା। ନିର୍ବାଚନୀ ପରବର୍ତ୍ତୀ ହିଂସାରେ ତାଙ୍କର ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି।
ନିର୍ବାଚନ ପରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିର୍ବାଚନ କମିଶନର। ହିଂସାକାଣ୍ଡ ଘଟଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାରୁ ପ୍ରକାଶ, ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ହୋଇଛି। ବିଜେପିରୁ ୨୦୮ ବିଧାୟକ ଜିତିଛିି। ଯାହାଫଳରେ ଟିଏମ୍ସିର ଶୋଚନୀୟ ପରାୟ ହୋଇଛି। ହେଲେ ଏହି ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ୧୦୦ଟି ନିର୍ବାଚନମଣ୍ଡଳୀରେ ଧୋକା କରି ବିଜୟୀ ହୋଇଥିବା ଅଭିଯୋଗ କରିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ ବୋଲି କହିଥିଲେ। ଏହାକୁ ନେଇ ମଙ୍ଗଳବାର ଦିନ ତମାମ ନାଟକ ଚାଲିଥିଲା।
ଅନ୍ୟପକ୍ଷରେ ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ବହୁମତ ପାଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ସସ୍ପେନ୍ସ ଜାରି ରହିଛି। ଚର୍ଚ୍ଚାରେ ସବୁଠାରୁ ଆଗରେ ସୁଭେନ୍ଦୁ ଅଧିକାରୀ ଅଗରେ ରହିଛନ୍ତି। ସେ ଦିଲ୍ଲୀ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି।
