ଦିନିକିଆରୁ ବିଦାୟ ନେବେ କୋହଲି! ଏମିତି ଦେଲେ ଇସାରା, ଇଡେନ୍ ପାର୍କରେ ବ୍ୟାଟ୍ ଉଠାଇ ଫ୍ୟାନ୍ସଙ୍କୁ ଜଣାଇଲେ କୃତଜ୍ଞତା
ବିରାଟ କୋହଲି ଖେଳିଦେଲେ କି ଶେଷ ଦିନିକିଆ! ଇଡେନ୍ ପାର୍କରେ ବ୍ୟାଟ୍ ଉଠାଇ ଫ୍ୟାନ୍ସଙ୍କୁ ଜଣାଇଲେ କୃତଜ୍ଞତା।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ରନ୍ ମେସିନ୍ ବିରାଟ କୋହଲି। ତାଙ୍କ ବ୍ୟାଟ୍ରୁ ରନ୍ ବର୍ଷା ହେଲେ ଷ୍ଟାଡିୟମରେ ଗୁଞ୍ଜିଉଠେ ଦର୍ଶକଙ୍କ କରତାଳି। କିନ୍ତୁ ଏଥର ତାଙ୍କର ଏକ ଛୋଟିଆ ଇସାରା କ୍ରିକେଟ୍ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ଉଠାଇଛି।
ଆଉଟ୍ ହୋଇ ପାଭିଲିୟନ ଫେରିବା ସମୟରେ ହଠାତ୍ ବ୍ୟାଟ୍କୁ ଉପରକୁ ଉଠାଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ କୋହଲି। ତାଙ୍କର ଏହି ଅନ୍ଦାଜ ଦେଖି ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହା କ’ଣ ଇଡେନ୍ ପାର୍କରେ ବିରାଟଙ୍କ ଶେଷ ମ୍ୟାଚ୍ର ସଙ୍କେତ?
ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ ନିଜ ବ୍ୟାଟ୍ର ଯାଦୁ ଦେଖାଇଥିଲେ। ମାତ୍ର ୫୧ଟି ବଲ୍ରେ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନ୍ର ଦମଦାର ଇନିଂସ୍ ଖେଳିଥିଲେ।
ତାଙ୍କର ଏହି ଧୂଆଁଧାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା। ରନ୍ ଚେଜ୍ ସମୟରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ ଥିଲେ କୋହଲି।
କିନ୍ତୁ ତାଙ୍କ ଇନିଂସ୍ଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ଆଉଟ୍ ହେବା ପରର ସେହି ଦୃଶ୍ୟ। ପାଭିଲିୟନ ଫେରିବା ବେଳେ ବିରାଟ ନିଜ ବ୍ୟାଟ୍କୁ ଆକାଶ ଆଡ଼କୁ ଉଠାଇ ଦର୍ଶକଙ୍କ ଭଲପାଇବା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।
ତାଙ୍କର ଏହି ଦୃଶ୍ୟ ଅଷ୍ଟ୍ରେଲିଆ ଗସ୍ତର ସେହି ମୁହୂର୍ତ୍ତକୁ ମନେ ପକାଇ ଦେଇଥିଲା, ଯେତେବେଳେ ଟେଷ୍ଟ କ୍ରିକେଟ୍ରୁ ଅବସର ନେବା ପୂର୍ବରୁ ସେ ଠିକ୍ ଏହିଭଳି ବ୍ୟାଟ୍ ଉଠାଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ।
ଦିନିକିଆରୁ ବିଦାୟ ନେବେ କି କୋହଲି: ଉଲ୍ଲେଖଯୋଗ୍ୟ ଯେ, ବିରାଟ କୋହଲି ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ଏବେ କେବଳ ଦିନିକିଆ ଫର୍ମାଟ୍ରେ ସେ ଭାରତ ପାଇଁ ଖେଳୁଛନ୍ତି। ଏଭଳି ସ୍ଥିତିରେ ୨୦୨୭ ଦିନିକିଆ ବିଶ୍ୱକପ୍ ପରେ ସେ ଏହି ଫର୍ମାଟ୍ରୁ ମଧ୍ୟ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସମ୍ଭବତଃ ଅକଲାଣ୍ଡର ଇଡେନ୍ ପାର୍କରେ ଆଗାମୀ ବିଶ୍ୱକପ୍ ପୂର୍ବରୁ ଆଉ ମ୍ୟାଚ୍ ଖେଳିବାର ସୁଯୋଗ ନ ମିଳିବାରୁ ବିରାଟ ଏଭଳି ଭାବପ୍ରବଣ ଢଙ୍ଗରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥାଇପାରନ୍ତି। ଏପରିକି ମ୍ୟାଚ୍ର କମେଣ୍ଟେଟରମାନେ ମଧ୍ୟ ଏହା ଇଡେନ୍ ପାର୍କରେ କୋହଲିଙ୍କ ଶେଷ ମ୍ୟାଚ୍ ହୋଇପାରେ ବୋଲି ଚର୍ଚ୍ଚା କରିଥିଲେ।
ତେବେ ଏଥିପାଇଁ ଏବେଠାରୁ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ କୋହଲି ଏବେ ଅବସର ନେବା ମୁଡ୍ରେ ନାହାନ୍ତି। ୨୦୨୭ ବିଶ୍ୱକପ୍ ତାଙ୍କର ଏକ ବଡ଼ ଲକ୍ଷ୍ୟ ରହିଛି।
ଏହି ସିରିଜ୍ର ଦ୍ୱିତୀୟ ଦିନିକିଆ ନଭେମ୍ବର ୭ ତାରିଖରେ ୱେଲିଂଟନ୍ରେ ଖେଳାଯିବ। ଏହି ମ୍ୟାଚ୍ରେ ମଧ୍ୟ ବିରାଟ କୋହଲିଙ୍କୁ ଆକ୍ସନରେ ଦେଖିବାକୁ ମିଳିବ।


