fbpx

ଏଣିକି ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା, ସରକାର ପ୍ରସ୍ତୁତ କଲେ ନୂଆ ଯୋଜନା

ନୂଆଦିଲ୍ଲୀ: ଏଣିକି ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ । କେନ୍ଦ୍ର ସରକାର ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ପାଠ୍ୟକ୍ରମରେ ଦକ୍ଷତା କାର୍ଯ୍ୟକଳାପ ଏବଂ ଉଚ୍ଚ ଶିକ୍ଷାରେ ଆଧୁନିକ ସମୟକୁ ସୁହାଇଲା ଭଳି ଦକ୍ଷତା ବିକାଶଯୁକ୍ତ ପାଠ୍ୟକ୍ରମକୁ ସାମିଲ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲିଛି । ଷଷ୍ଠ ଶ୍ରେଣୀ ଠାରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷାର ଏକ ଢାଞ୍ଚା ଲାଗୁ କରାଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କୌଶଳ ଭାରତ ମିଶନ ଅଧୀନରେ ନବମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଯୋଜନା ଲାଗୁ କରାଯାଉଛି । ଏଥିସହିତ ମାଧ୍ୟମିକ ସ୍କୁଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକରେ ଆଇଟିଆଇ, ପଲିଟେକନିକକୁ ମଧ୍ୟ ସାମିଲ କରାଯିବ । ଆସନ୍ତା ୨୦୨୫ ମଧ୍ୟରେ ସ୍କୁଲ ଓ ଉଚ୍ଚ ଶିକ୍ଷା ପ୍ରଣାଳୀରେ ୫୦ ପ୍ରତିଶତ ଛାତ୍ରଙ୍କୁ ଧନ୍ଦାମୂଳକ ଶିକ୍ଷା ଯୋଗାଇଦେବା ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।

ଶିକ୍ଷା ପରେ ରୋଜଗାର ସମସ୍ୟାକୁ ଦୂର କରିବା ପାଇଁ ଏହି ଯୋଜନା ଲାଗୁ କରାଯାଇଛି । ସ୍କୁଲ ଶିକ୍ଷାରେ ନୂଆ ଜମାନାର କୌଶଳ ବିକାଶଯୁକ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରିବା ତଥା ଶୈକ୍ଷିକ ପ୍ରଶିକ୍ଷଣ ଉପରେ ଧ୍ୟାନ ଦେବାକୁ ନିକଟରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଏହି ପାଠ୍ୟକ୍ରମରେ କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, କୋଡିଂ, ଡାଟା ସାଇନ୍ସ ପରି ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ । ତେବେ ବର୍ତ୍ତମାନ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ଲ୍ୟାବ ପ୍ରତିଷ୍ଠା କରିବାର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଦକ୍ଷତା ବିକାଶ ଯୋଜନାରେ ୧୩ ଲକ୍ଷ ୫୦ ହଜାର ୧୭୫ ଜଣ ବେନିଫିଟ୍ ପାଇଥିବା ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.