ରକ୍ତ ବୋହୁଛି, ମୁଣ୍ଡ ଗଡ଼ୁଛି; ତଥାପି ଯୁଦ୍ଧରେ ହେଉନି ଅନ୍ତ
ଜବାବରେ ରୁଷ ମଧ୍ୟ ମିଶାଇଲ ମାଡ଼ କରୁଛି। ଉଭୟଙ୍କ ଟାର୍ଗେଟରେ ସାଧାରଣ ଜନତା। ଆକ୍ରମଣରେ ଉଭୟ ଦେଶରେ ବୋହୁଛି ରକ୍ତ, ଗଡ଼ୁଛି ମୁଣ୍ଡ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଯୁଦ୍ଧ ଥମିବାର ନାଁ ଧରୁନି। ୟୁକ୍ରେନ୍ ଡ୍ରୋନ ଓ ମିଶାଇଲରେ ଆକ୍ରମଣ କରୁଛି।
ଜବାବରେ ରୁଷ ମଧ୍ୟ ମିଶାଇଲ ମାଡ଼ କରୁଛି। ଉଭୟଙ୍କ ଟାର୍ଗେଟରେ ସାଧାରଣ ଜନତା। ଆକ୍ରମଣରେ ଉଭୟ ଦେଶରେ ବୋହୁଛି ରକ୍ତ, ଗଡ଼ୁଛି ମୁଣ୍ଡ। ହେଲେ ସାଧାରଣ ଜନତାଙ୍କ ଉପରେ ହେଉଥିବା ଆକ୍ରମଣକୁ ଉଭୟ ଦେଶ ଅସ୍ୱୀକାର କରିଛନ୍ତି।
ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କରିଛନ୍ତି; ୟୁକ୍ରେନ ରୁଷର ଦୁଇଟି ତୈଳ ବିଶୋଧନାଗାର (ଅଏଲ୍ ରିଫାଇନେରୀ) ଉପରେ ଆକ୍ରମଣ କରିଛି। ୟୁକ୍ରେନ ସେନା ୟାରୋସ୍ଲାଭଲ୍ର ସ୍ଲାଭନେଫ୍ଟ-ୟାନୋସ୍ ରିଫାଇନେରୀ ଓ ବାଶ୍କୋର୍ତ୍ତୋସ୍ତାନର ବାଶନେଫ୍ଟ-ନୋଭୋଏଲ୍ ରିଫାଇନେରୀକୁ ଟାର୍ଗେଟ କରିଛି। ଆଉ ଟାର୍ଗେଟ ସଫଳ ହୋଇଛି। ବ୍ୟାପକ କ୍ଷୟକ୍ଷତି ଘଟିଛି। ୟୁକ୍ରେନର ଡ୍ରୋନରେ ଏହି ଆକ୍ରମଣ କରିଛି। ୟୁକ୍ରେନ କଳା ସାଗରରେ ରୁଷର ଦୁଇଟି ସାମରିକ ନୌକା ଓ କେତେକ ଜାହାଜକୁ ଲକ୍ଷ୍ୟ କରି ଆକ୍ରମଣ କରିଛି।
Uttarakhand Govt.
ରୁଷର ୟାରୋସ୍ଲାଭଲ୍ରେ ୪ ଜଣ ଆହତ: ୟୁକ୍ରେନ୍ ଆକ୍ରମଣ କରିଥିବା ରୁଷ ସ୍ୱୀକାର କରିଛି। ଆକ୍ରମଣକୁ ନେଇ ୟାରୋସ୍ଲାଭଲ୍ର ଗଭର୍ଣ୍ଣର ମିଖାଇଲ ଏଭ୍ରାଏଭ କହିଛନ୍ତି; ସ୍ଲାଭନେଫ୍ଟ-ୟାନୋସ୍ ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ହୋଇଥିବା ଟାର୍ଗେଟକୁ ପଣ୍ଡ କରାଯାଇଛି। ୟୁକ୍ରେନ୍ର ଡ୍ରୋନକୁ ଖସାଇ ଦିଆଯାଇଛି। ଡ୍ରୋନ୍ ଭଗ୍ନାବଶେଷ ପଡ଼ି ୩ଟି ଘର ପୋଡ଼ି ଯାଇଛି। ଯେଉଁଥିରେ ୪ ଜଣ ଆହତ ହୋଇଛନ୍ତି। ଏହାଛଡ଼ା ତୈଳ ବିଶୋଧନାଗାରର ଏକ ଷ୍ଟୋରେଜ ଟ୍ୟାଙ୍କ କ୍ଷତିଗ୍ରସ୍ତ ହେବାରୁ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ ନିଆଁ ଆୟତ୍ତ କରିଥିଲେ।
ରୁଷର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ, ୮ ଆହତ: ୟୁକ୍ରେନର ଖାର୍କିଭ ଅଞ୍ଚଳର ଏକ ରେଳ ଷ୍ଟେସନ୍ ଉପରେ ହୋଇଥିବା ରୁଷର ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏହି ସୂଚନା ସେଠାକାର ଆଞ୍ଚଳିକ ଗଭର୍ଣ୍ଣର ଦେଇଛନ୍ତି।
ଖାର୍କିଭ୍ର ଗଭର୍ଣ୍ଣର ଓଲେହ ସିନିହୁବୋଭ ଟେଲିଗ୍ରାମରେ କରିଥିବା ପୋଷ୍ଟରେ କହିଛନ୍ତି; ରୁଷର ପୃଥକ ପୃଥକ ଆକ୍ରମଣରେ ଖାର୍କିଭ୍ର ବାଲାକାଲିଆ ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଉ କେତେକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।
ସୂଚନାରୁ ପ୍ରକାଶ; ଗତ କିଛି ସପ୍ତାହ ଧରି ୟୁକ୍ରେନର ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ଆକ୍ରମଣ ଜୋରଦାର କରିଛି ରୁଷ। ଅନ୍ୟପଟେ ୟୁକ୍ରେନ ମଧ୍ୟ ରୁଷର ନାଗରିକ ଭିତ୍ତିଭୂମି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିଛି। ତେବେ ଉଭୟ ଦେଶ ସାଧାରଣ ନାଗରିକଙ୍କୁ ଜାଣିଶୁଣି ଟାର୍ଗେଟ କରୁଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

