fbpx

କେରଳରେ ବିଜେପି ଓ ଏସଡିପିଆଇ ନେତାଙ୍କ ହତ୍ୟା, ୨୪ ଘଣ୍ଟାରେ ଦୁଇ ମର୍ଡର, ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ : ବିଜେପି ସମେତ ଦୁଇ ପାର୍ଟିର ନେତାଙ୍କ ହତ୍ୟା କେରଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ରବିବାର ସକାଳେ ଅଲପ୍ପୁଝା ଜିଲ୍ଲାରେ ଘଟିଛି । ହତ୍ୟାକାଣ୍ଡ ପରେ ଉତ୍ତେଜନାମୂଳକ ସ୍ଥିତିର ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘଟଣାର କଡା ନିନ୍ଦା କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟନ ସାମାଜିକ ସଦଭାବ ବିଗାଡିବାକୁ ଉଦ୍ୟମ କରୁଥିବା ଅପରାଧୀଙ୍କ ବିରୋଧରେ ଏକଜୁଟ ହେବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି । ଘଟଣା ପଛରେ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରାଯାଉଥିବା ବିରୋଧୀ ଦଳର ନେତାମାନେ କହିଛନ୍ତି ।

ଅଲପ୍ପୁଝା ଜିଲ୍ଲାର ଅଧିକାରୀ କହିଛନ୍ତି, ଏସଡିପିଆଇର ରାଜ୍ୟ ସଂପାଦକଙ୍କ ହତ୍ୟାର ପ୍ରାୟ ୧୨ ଘଣ୍ଟା ପରେ ବିଜେପି ନେତାଙ୍କ ହତ୍ୟା କରାଯାଇଛି । ଏହା ପରେ ରବିବାର ସମଗ୍ର ଅଲପ୍ପୁଝା ଜିଲ୍ଲାରେ ଦଣ୍ଡ ପ୍ରକ୍ରିୟା ସଂହିତା(ସିଆରପିସି)ର ଧାରା ୧୪୪ ସମେତ ନିଷେଧାଦେଶ ଜାରି କରିଛନ୍ତି । ଏସଡିପିଆଇର ରାଜ୍ୟ ସଂପାଦକ କେଏସ ଶାନ ଶନିବାର ରାତିରେ ଘରକୁ ଫେରିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା ।

ଶାନଙ୍କ ପାର୍ଟି ଏସଡିପିଆଇ ଏହି ଘଟଣା ପଛରେ ଆରଏସଏସର ହାତ ଥିବା ଅଭିଯୋଗ କରିଥିଲା । ତେବେ ଏହାର କିଛି ଘଣ୍ଟା ପରେ ରବିବାର ସକାଳେ କିଛି ଆକ୍ରମଣକାରୀ ବିଜେପିର ଓବିସି ମୋର୍ଚ୍ଚାର ରାଜ୍ୟ ସଂପାଦକ ରଞ୍ଜିତ ଶ୍ରୀନିବାସଙ୍କ ଘରେ ପଶି ତାଙ୍କର ହତ୍ୟା କରିଛନ୍ତି । ପୋଲିସ ସନ୍ଦେହ କରୁଛି ଯେ, ଶାନଙ୍କ ହତ୍ୟା ପ୍ରତିଶୋଧରେ ଶ୍ରୀନିବାସଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଶ୍ରୀନିବାସ ବିଜେପି ରାଜ୍ୟ କମିଟିର ସଦସ୍ୟ ଥିଲେ । ଦୁଇ ଦୁଇଟି ହତ୍ୟା ଘଟଣା ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ଆସିଛି । ଜିଲ୍ଲାରେ ଉତ୍ତେଜନାମୂଳକ ମାହୋଲ ଲାଗି ରହିଛି ।

Get real time updates directly on you device, subscribe now.