ଗୋଦାମରେ ମାଳମାଳ ଅସରପା-ଝିଟିପିଟି-ମୂଷା, ୩ କ୍ୱିକ୍ କମର୍ସ କମ୍ପାନୀ ଉପରେ ଆକ୍ସନ୍
ସାମ୍ନାକୁ ଆସିଲା ବଡ଼ ସ୍କାମ, କ୍ୱିକ୍ କମର୍ସର କଳା ସତ, ଗୋଦାମ ଘରେ ଖାଲି ଅସରପା-ଝିଟିପିଟି-ମୂଷା ସାଲୁବାଲୁ, FDAର ଚଢ଼ାଉରେ ବ୍ଲିଙ୍କିଟ୍, ଜେପ୍ଟୋ, ଇନଷ୍ଟାମାର୍ଟର ଲାଇସେନ୍ସ ରଦ୍ଧ।
ମୁମ୍ବାଇ: ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନଶୈଳୀ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ପୂର୍ବରୁ କିଛିବି ଜିନିଷ କିଣିବାକୁ ହେଉ ଲୋକଙ୍କୁ ବଜାର ଯାଇ ଆଣିବାକୁ ପଡୁଥିଲା। କିନ୍ତୁ ମାର୍କେଟରେ ଯେବେ ଠାରୁ କ୍ୱିକ୍ ଡେଲିଭେରି ଉପାୟ ଆସିଲାଣି ସମସ୍ତେ ପ୍ରାୟ ଏହା ଉପରେ ନିର୍ଭର ହୋଇଗଲେଣି।
ସାମାନ୍ୟ ପରିବା ହେଉକି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଏବେ ସବୁ ଡେଲିଭେରି ମାଧ୍ୟମରେ ଆସି ଆପଣଙ୍କ ଘର ଆଗରେ ପହଞ୍ଚି ଯାଉଛି ସିଏ ଫୁଣି ମାତ୍ର କିଛି ମିନିଟର ବ୍ୟବଧାନରେ। ତେବେ ଏହା ଯେତେ ସହଜ ଲାଗୁଛି ସତରେ କ’ଣ ଏହା ଏମିତି ହିଁ ସହଜ ଆଉ ଭଲ?
ବର୍ତ୍ତମାନ ଏ ପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି ସ୍ତବ୍ଧ ହୋଇଯିବେ। ଘର ଦୁଆରେ ମାତ୍ର କିଛି ମିନିଟରେ ଖାଦ୍ୟ ଓ ଗ୍ରୋସରୀ ପହଞ୍ଚାଇବାର ଦାବି କରୁଥିବା ବ୍ଲିଙ୍କିଟ୍, ଜେପ୍ଟୋ ଓ ଇନଷ୍ଟାମାର୍ଟ ଭଳି କ୍ୱିକ୍-କମର୍ସ କମ୍ପାନୀମାନଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ଏହି ଡେଲିଭରି କମ୍ପାନୀ ଉପରେ ମହାରାଷ୍ଟ୍ରର ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ବଡ଼ ପଦକ୍ଷେପ ନେଇଛନ୍ତି।
ମହାରାଷ୍ଟ୍ରରେ ଖାଦ୍ୟ ଓ ଔଷଧ ପ୍ରଶାସନ (FDA)ର ରାଜ୍ୟବ୍ୟାପୀ ଚଢ଼ାଉ ଚାଲିଥିଲା । ଖାଦ୍ୟ ଓ ଔଷଧ ପ୍ରଶାସନ(FDA)ର ଅଧିକାରୀମାନେ ମହାରାଷ୍ଟ୍ରର ୮୬ଟି ଗୋଦାମ ଓ ଡିଲିଭରି କେନ୍ଦ୍ରରେ ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ଅସରପା, ଝିଟିପିଟି, ମୂଷାର ମଳ, ପଚା ଖାଦ୍ୟ ସାମଗ୍ରୀ, ଅପରିଷ୍କାର ପରିବେଶ ଓ ଗୋଦାମରେ ତାପମାତ୍ରା ନିୟନ୍ତ୍ରଣରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା। ଏହିପରି ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିୟମର ଉଲ୍ଲଂଘନ ଧରାପଡ଼ିବା ପରେ ୧୪ଟି ପ୍ରତିଷ୍ଠାନର ଲାଇସେନ୍ସ ସସପେଣ୍ଡ କରାଯାଇଛି।
FDAର ଯାଞ୍ଚ ବେଳେ ମୁମ୍ବାଇର ମାଲାଡ଼ ଓ ଘାଟକୋପରର ବ୍ଲିଙ୍କିଟ୍ ଗୋଦାମରେ ଚିଲର୍ ରୁମର ତାପମାତ୍ରା ନିୟମ ଅନୁଯାୟୀ ନଥିଲା, କର୍ମଚାରୀଙ୍କ ମେଡିକାଲ୍ ରେକର୍ଡ ନିଖୋଜ ଥିଲା ଓ ସେମାନେ ସୁରକ୍ଷା ସାମଗ୍ରୀ ବିନା ସେଠାରୁ କାମ କରୁଥିବା ଦେଖାଯାଇଥିଲା। ଏହାସହ ଅସରପା ଉପଦ୍ରବ, ଭାଙ୍ଗିଥିବା ଛାତ ଓ ଗୋଦାମ କେବଳ ଅପରିଷ୍କାର ହୋଇ ପଡ଼ିଥିଲା।
ମୁମ୍ବାଇର ପୁଣେର ଲୋହେଗାଓଁ ସ୍ଥିତ ଜେପ୍ଟୋ ଗୋଦାମରେ ଅନେକ ଖାଦ୍ୟ ସାମଗ୍ରୀର “Use By” ତାରିଖ ସରିଯାଇଥିଲା। FIFO ଓ FEFO ନିୟମ ଉଲଙ୍ଘନ ହେବା ସହିତ କୋଲ୍ଡ ଷ୍ଟୋରେଜରେ ଗୁରୁତର ତ୍ରୁଟି ସହ ସ୍ୱଚ୍ଛତାର ଅଭାବ ଦେଖାଯାଇଥିଲା। FDA ଅନୁଯାୟୀ କମ୍ପାନୀର ଉତ୍ତର ସନ୍ତୋଷଜନକ ନ ଥିଲା, ସେଥିଲି ଏହାର ଲାଇସେନ୍ସ ସସପେଣ୍ଡ କରାଯାଇଛି।
ମୁମ୍ବାଇ ଓ ପୁଣେରେ ଇନଷ୍ଟାମାର୍ଟ ସହ ଜଡ଼ିତ ଥିବା କେନ୍ଦ୍ରରେ ଅସରପା ଉପଦ୍ରଵ, ମୂଷାର ମଳ ଓ ଝିଟିପିଟି ଭର୍ତ୍ତି ହୋଇଥିଲା। କେତେକ ସ୍ଥାନରେ ପଚା ଚିକେନ ଭୁଲ ଭାବରେ ସଂରକ୍ଷଣ କରାଯାଇଥିବା ଦେଖାଯାଇଥିଲା। ଯେଉଁଥିପାଇଁ FDA ତୁରନ୍ତ ସେହି ସାମଗ୍ରୀକୁ ନଷ୍ଟ କରିଦେଇଥିଲା।
FDA ମୁମ୍ବାଇର ଦାଦାସାହେବ ଫାଲକେ ଫିଲ୍ମ ସିଟି ଭିତରେ ଥିବା ବଲିଉଡ୍ କାଫେରେ ମଧ୍ୟ ଚଢ଼ାଉ କରିଥିଲା। ସେଠାରେ ମାଛି ଉପଦ୍ରବ, ଅପରିଷ୍କାର ନାଳ ଓ ଜଙ୍କ ଲାଗିଯାଇଥିବା ଉପକରଣରେ ଖାଦ୍ୟ ତିଆରି ହେଉଥିବା ଦେଖାଯାଇଥିଲା।
ଚିନ୍ତାରେ ଉପୋଭୋକ୍ତା, ସୋସିଆଲ ମିଡିଆରେ ହଇଚଇ: ଏହି ଘଟଣା ସାମ୍ନାକୁ ଆସିବା ପରେ ଅନଲାଇନରେ ଖାଦ୍ୟ ଓ ଗ୍ରୋସରୀ ଅର୍ଡର କରୁଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କ ମନରେ ଖାଦ୍ୟ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ ଉଠିଛି। ଫାଷ୍ଟ ଡେଲିଭରିର ଦୌଡ଼ରେ କମ୍ପାନୀମାନେ ସ୍ୱଚ୍ଛତା ଓ ଗୁଣବତ୍ତାକୁ ଅବହେଳା କରୁଛନ୍ତି କି? FDAର ଏହି କାର୍ଯ୍ୟାନୁଷ୍ଠାନ ପରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


