ଭୁଶୁଡ଼ିଲା କୋଠା, ଭଗ୍ନାବଶେଷ ତଳେ ଫସିଛି ୧୬ ଜୀବନ!

ପୋଲିସ ସୂଚନା ଅନୁସାରେ, ପ୍ରଥମ ମହଲାରେ ଏବେ ପ୍ରାୟ ୧୬ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି

ମୁମ୍ବାଇ: ଗତ ଦୁଇ ଦିନ ହେଲା ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେଉଛି। ଯେଉଁଥିପାଇଁ ଆଜି ପିମ୍ପରି-ଚିଞ୍ଚୱାଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆବର୍ଜନା ଡିପୋରେ ଥିବା ୱେଷ୍ଟ-ଟୁ-ଏନର୍ଜି ପ୍ରକଳ୍ପ କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। କୋଠାର ଭଙ୍ଗାବଶେଷ ତଳେ ୧୬ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

କୋଠା ଭୁଶୁଡ଼ିଥିବା ଖବର ପାଇ ପୋଲିସ, ଦମକଳ ବାହିନୀ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଆବର୍ଜନାର ଏକ ବଡ଼ ଅଂଶ ବିଲ୍ଡିଂ ଉପରେ ପଡ଼ିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବିଲ୍ଡିଂର ଦ୍ୱିତୀୟ ମହଲାରେ ଫସି ରହିଥିବା କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି।

ପୋଲିସ ସୂଚନା ଅନୁସାରେ, ପ୍ରଥମ ମହଲାରେ ଏବେ ପ୍ରାୟ ୧୬ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଭଗ୍ନାବଶେଷ ହଟାଇବା କାମ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାରକାରୀ ଦଳ ସମସ୍ତ ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଘଟଣାସ୍ଥଳରେ ଭିଡ଼ ନକରିବା ପାଇଁ ଲୋକଙ୍କୁ ଅପିଲ୍ କରାଯାଉଛି।

ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପିମ୍ପରି-ଚିଞ୍ଚୱାଡ ମହାନଗର ନିଗମର କମିଶନର ବିଜୟ ସୂର‌୍ୟ୍ୟବଂଶୀ କହିଛନ୍ତି, ପ୍ରଶାସନିକ ବିଲ୍ଡିଂଟି ଆବର୍ଜନା ଗଦା ପାଖରେ ତିଆରି ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ଆବର୍ଜନା ଗଦା ବିଲ୍ଡିଂ ଉପରେ ପଡ଼ିଗଲା। ଯାହାଫଳରେ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏକ ବେସରକାରୀ କମ୍ପାନୀର ପ୍ରାୟ ୧୬ ଜଣ କର୍ମଚାରୀ ବିଲ୍ଡିଂ ଭିତରେ ଥିବା ଆଶଙ୍କା କରାଯାଉଛି।