fbpx

ହ୍ରାସ ପାଉଛି ବିଭିନ୍ନ ନଦୀର ଜଳସ୍ତର, ତଥାପି ପାଣିଘେରରେ ଲୋକେ : ହୀରାକୁଦ ଜଳଭଣ୍ଡାରୁ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଏବେ ବର୍ଷା କମିବା ପରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମହାନଦୀରେ ବନ୍ୟା ଆଶଙ୍କା ସମ୍ପୂର୍ଣ୍ଣ ରୂପେ ଟଳିଥିବାବେଳେ ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ସମେତ ପ୍ରାୟ ସବୁ ନଦୀର ଜଳସ୍ତର ହ୍ରାସ ପାଉଛି । ହୀରାକୁଦର ଜଳସ୍ତର ହ୍ରାସ ପାଉଥିବାରୁ ରବିବାର ଜଳଭଣ୍ଡାରର ଆଉ ୪ଟି ଗେଟ୍‌କୁ ଛାଡ଼ି ଅନ୍ୟ ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳଭଣ୍ଡାର ଭିତରକୁ ବନ୍ୟା ଜଳ ପ୍ରବେଶ କମିଛି ।

ରବିବାର ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦର ୪ଟି ଗେଟ୍‌ ଖୋଲା ରହିଥିଲା । ତେବେ ସେତେବେଳେ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ଲକ୍ଷ ୨୩ହଜାର ୬୪୦ କ୍ୟୁସେକ ଜଳ ପ୍ରବେୀଶ କରୁଥିବାବେଳେ ୯୫ହଜାର ୨୮୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା । ତେବେ ବିଭିନ୍ନ ନଦୀରେ ଜଳପତ୍ତନ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ବିଭିନ୍ନ ଗାଁକୁ ଏବେ ବି ଯୋଗାଯୋଗ ବିଚ୍ଛିନ୍ନ ହୋଇପଡୁଛି । କେତେକ ସ୍ଥାନରେ ଏବେ ବି ଲୋକେ ଜଳବନ୍ଦୀ ହୋଇ ରହିବା ସହ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଅଧିକାଂଶଙ୍କ ଘରେ ଚୁଲି ଜଳିବା ସମ୍ଭବ ହେଉନାହିଁ । ବିଶେଷ କରି ନଦୀକୂଳରେ ରହିଥିବା ବହୁ ଗାଁ ପାଣିଘେରରେ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାପକ ଅଞ୍ଚଳରେ ଚାଷଜମି ପ୍ରଭାବିତ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଲଗାଣ ବର୍ଷା ଓ ବନ୍ୟା ଫଳରେ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଧାନ ଓ ପନିରିବା ଚାଷ ନଷ୍ଟ ହୋଇଯାଇଛି । ଏପରିକି ବିଲରେ ପେଟେ ଲେଖାଁଏ ପାଣି ଜମିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ରେମୁଣା, ବାଲିଆପାଳ, ବସ୍ତା, ଭୋଗରାଇ ଓ ବାଲେଶ୍ୱର ସଦର ବ୍ଲକ୍‌ରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.