ଟିଏମ୍‌ସି ଭାଙ୍ଗିବା ଟେନ୍‌ସନରୁ ବାହାରି ନାହାନ୍ତି ମମତା; ପୁଣି ଆସିଲାଣି ମଦ ଦୁର୍ନୀତି!

ଅଭିଯୋଗ ଅନୁସାରେ ୨୦୨୧ ରୁ ୨୦୨୫ ମଧ୍ୟରେ ମଦ ବ୍ୟବସାୟୀଙ୍କଠାରୁ ବେଆଇନ ପରିବହନ ଓ ହ୍ୟାଣ୍ଡଲିଂ ଚାର୍ଜ ନାମରେ ପ୍ରାୟ ୩୦୦ କୋଟି ଟଙ୍କା ଆଦାୟ କରାଯାଇଛି

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦୁଇ ଫାଳ ହୋଇଗଲାଣି। ଯାହାକୁ ନେଇ ଟେନ୍‌ସନ୍‌ରେ ଅଛନ୍ତି ସୁପ୍ରିମୋ ମମତା ବାନାର୍ଜୀ। ସେଥିରୁ ମୁକୁଳିବା ପାଇଁ ଚେଷ୍ଟା କରୁଥିବା ବେଳେ ଆସିଛି ସଙ୍ଗୀନ ଅଭିଯୋଗ। ତାଙ୍କ ସମୟରେ ମଦ ବ୍ୟବସାୟୀଙ୍କଠାରୁ ବେଆଇନ୍ ଭାବେ ୩୦୦ କୋଟିରୁ ଅଧିକ ଟଙ୍କା ବେଆଇନ୍ ଭାବେ ଆଦାୟ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରିବା ପାଇଁ ମଦ ବ୍ୟବସାୟୀ ସଂଘ ଅବକାରୀ ବିଭାଗକୁ ଚିଠି କରିଛି।

ଅଭିଯୋଗ ଅନୁସାରେ ୨୦୨୧ ରୁ ୨୦୨୫ ମଧ୍ୟରେ ମଦ ବ୍ୟବସାୟୀଙ୍କଠାରୁ ବେଆଇନ ପରିବହନ ଓ ହ୍ୟାଣ୍ଡଲିଂ ଚାର୍ଜ ନାମରେ ପ୍ରାୟ ୩୦୦ କୋଟି ଟଙ୍କା ଆଦାୟ କରାଯାଇଛି। ଯଦିଓ ରାଜ୍ୟ ନୀତି ଅନୁଯାୟୀ ଏହି ଖର୍ଚ୍ଚ ବିତରକମାନଙ୍କୁ ବହନ କରିବାକୁ ପଡ଼ିଥାଏ। କିନ୍ତୁ ବେଆଇନ୍ ଭାବେ ରାଜ୍ୟ ସରକାର ଏହି ଟଙ୍କା ଆଦାୟ କରିଥିଲେ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ବ୍ୟବସାୟୀମାନଙ୍କ କହିବାନୁସାରେ, ଏହି ଟଙ୍କା ନଗଦ ଆକାରରେ ନିଆଯାଇଥିଲା। ଏହାର କୌଣସି ରସିଦ ମଧ୍ୟ ଦିଆଯାଇ ନଥିଲା। ଏହି ଘଟଣାର ତଦନ୍ତ କରିବାକୁ ଅବକାରୀ ବିଭାଗକୁ ଅନୁରୋଧ କରିଛନ୍ତି। ଏଥିସହ ଏହି ପ୍ରଥାକୁ ବନ୍ଦ କରିବାକୁ ଦାବି କରିଛି ସଂଘ।

୨୦୧୭ ମସିହାରେ ତତ୍କାଳୀନ ମମତା ସରକାର ମଦ ନୀତିରେ ଏକ ବଡ଼ ପରିବର୍ତ୍ତନ କରିଥିଲେ। ଗଠନ କରିଥିଲେ ୱେଷ୍ଟ ବେଙ୍ଗଲ ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ୍ ଲିମିଟେଡ୍। ଯେଉଁଥିରେ ମଦ ଯୋଗାଣର ଦାୟିତ୍ୱ ରାଜ୍ୟ ସରକାର ନେଇଥିଲେ। ୨୦୨୧ ମସିହାରେ ଏଥିରେ ଆହୁରି ପରିବର୍ତ୍ତନ କରାଯାଇଥିଲା। ଡିଷ୍ଟ୍ରିବ୍ୟୁଟର୍ସଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା ଆରମ୍ଭ ହୋଇଥିଲା।

ବ୍ୟବସାୟୀମାନଙ୍କ ଅଭିଯୋଗ, ଏହି ପରିବର୍ତ୍ତନ ପରେ ଡିଷ୍ଟ୍ରିବ୍ୟୁଟର୍ସମାନେ ନିଜ କ୍ଷମତାର ଅପବ୍ୟବହାର କରି ରିଟେଲର୍ସଙ୍କ ଉପରେ କ୍ରେଟ୍ ପିଛା ୧୦ ରୁ ୧୩ ଟଙ୍କାର ଅତିରିକ୍ତ ଚାର୍ଜ ଲଦି ଦେଇଥିଲେ। ଲୋଡିଂ-ଅନଲୋଡିଂ ନାମରେ ମଧ୍ୟ କ୍ରେଟ୍ ପିଛା ୩ ଟଙ୍କା ଅଲଗା ଭାବେ ଆଦାୟ କରାଯାଉଥିଲା।

ଏ ସମ୍ପର୍କରେ ‘ସୋସାଇଟି ଫର୍ ଦି ୱେଲଫେୟାର ଅଫ୍ ୱେଷ୍ଟ ବେଙ୍ଗଲ ଫରେନ୍ ଲିକର୍ ଲାଇସେନ୍ସିଜ୍’ର ସେକ୍ରେଟେରୀ ବିଜନ କୁମାର ପାତ୍ର ଅବକାରୀ କମିଶନରଙ୍କୁ ଚିଠି ଲେଖି ଏହି ସବୁ ବିଷୟ ଜଣାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି; ଟଙ୍କା ଆଦାୟ ନେଇ ଆମେ ଯେତେବେଳେ ଅଭିଯୋଗ କରିଛୁ, ସେତେବେଳେ ଅଧିକାରୀମାନେ ଗୁରୁତ୍ୱ ଦେଇନାହାନ୍ତି। ଯୋଗାଣ ବନ୍ଦ କରିଦେବାକୁ ଧମକ ଦିଆଯାଉଥିଲା। ସେଥିପାଇଁ ବାଧ୍ୟ ହୋଇ ଟଙ୍କା ଦେବାକୁ ପଡ଼ୁଥିଲା ବୋଲି ଶ୍ରୀ ପାତ୍ର ଲେଖିଛନ୍ତି।

ସୂଚନାରୁ ପ୍ରକାଶ; ରାଜ୍ୟରେ ପ୍ରାୟ ୬୦୦୦ ମଦ ଦୋକାନ ରହିଛି। ଏହି ସଂଗଠନରେ ୭୦୦ ଦୋକାନୀ ସଦସ୍ୟ ଅଛନ୍ତି। ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, କେବଳ ଏହି ସଦସ୍ୟମାନଙ୍କର ଆନୁମାନିକ କ୍ଷତି ଶହ ଶହ କୋଟିରେ ପହଞ୍ଚୁଛି। ସମଗ୍ର ରାଜ୍ୟର ଏହି ଆକଳନ ପ୍ରାୟ ୩୦୦ କୋଟି ଟଙ୍କା ବୋଲି କୁହାଯାଉଛି।

ରାଜ୍ୟର ଡିଷ୍ଟ୍ରିବ୍ୟୁଟର-ଡିପୋ ଯୋଗାଣ ବ୍ୟବସ୍ଥାରେ ପରିବହନ ଖର୍ଚ୍ଚ ଡିଷ୍ଟ୍ରିବ୍ୟୁଟର୍ସଙ୍କ ଉପରେ ଥାଏ। ଦୋକାନରେ ମାଲ ପହଞ୍ଚିବା ପରେ ରିଟେଲର୍ସଙ୍କ ଦାୟିତ୍ୱ ଆରମ୍ଭ ହୋଇଥାଏ। କିନ୍ତୁ ବାସ୍ତବ କ୍ଷେତ୍ରରେ ସବୁ ଓଲଟା ହୋଇଗଲା। ଡିଷ୍ଟ୍ରିବ୍ୟୁଟର୍ସମାନେ ନିଜ ବୋଝ ରିଟେଲର୍ସଙ୍କ ଉପରେ ଲଦି ଦେଲେ।