ସରକାରୀ ବିଜ୍ଞାପନକୁ ନେଇ TMC-CPMର ପ୍ରଶ୍ନ: ବିଜେପି କହିଲା- ମା’ ଆହୁରି ଶକ୍ତିଶାଳୀ ହୋଇଗଲେ

ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ପାଇଁ ବୈଠକ ହେଉଛି। ଏଥିରେ କିନ୍ତୁ କିଛି ନୂତନତ୍ୱ ନାହିଁ। ହେଲେ ବୈଠକ ପାଇଁ ବାହାରିଥିବା ବିଜ୍ଞାପନକୁ ନେଇ ଏବେ ବିବାଦ ଦେଖାଦେଇଛି

କୋଲକାତା: ଆମେ ଜାଣିଛୁ ମାଆ ଦୁର୍ଗା ଦଶଭୁଜା। ହେଲେ ପଶ୍ଚିମବଙ୍ଗ ବିଜେପି ସରକାର ପ୍ରକାଶ କରିଥିବା ବିଜ୍ଞାପନରେ ମାଆ ଦୁର୍ଗାଙ୍କର ରହିଛି ଏଗାର ଭୁଜା। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଓ ସିପିଏମ୍ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ବିଜେପି ଜବାବ ଦେଇଛି। ଆଉ କହିଛନ୍ତି, ମା’ ଆହୁରି ଶକ୍ତିଶାଳୀ ହୋଇଗଲେ!!!

ପଶ୍ଚିମବଙ୍ଗରେ ଧୂମଧାମ୍‌ରେ ପାଳନ ହୋଇଥାଏ ଦୁର୍ଗା ପୂଜା। ଚଳିତବର୍ଷ ପୂଜାକୁ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ପୂଜା କମିଟିଗୁଡ଼ିକଙ୍କ ସହ ହେବାକୁ ଥିବା ବୈଠକ ପାଇଁ ରାଜ୍ୟର ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗ ବିଜ୍ଞାପନ ପ୍ରକାଶ କରିଛି। ମିଲନ ମେଳାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଯୋଗଦେବାର ସମ୍ଭାବନା ରହିଛି।

ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ପାଇଁ ବୈଠକ ହେଉଛି। ଏଥିରେ କିନ୍ତୁ କିଛି ନୂତନତ୍ୱ ନାହିଁ। ହେଲେ ବୈଠକ ପାଇଁ ବାହାରିଥିବା ବିଜ୍ଞାପନକୁ ନେଇ ଏବେ ବିବାଦ ଦେଖାଦେଇଛି। ବିଜ୍ଞାପନରେ ମାଆ ଦୁର୍ଗାଙ୍କର ଦଶଭୁଜା ବଦଳରେ ୧୧ ହାତ ଭୁଜ ଥିବା ଚିତ୍ରରେ ଦେଖିବାକୁ ମିଳିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଦଶ ଭୁଜାରେ ମାଆ ଦୁର୍ଗା ପୂଜା ପାଉଥିବା ବେଳେ ଚଳିତବର୍ଷ ୧୧ ଭୁଜା କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଛି।

ଟିଏମ୍‌ସି ବିଧାୟକଙ୍କ ତୀବ୍ର ପ୍ରଶ୍ନ: ମାଆ ଦୁର୍ଗାଙ୍କ ୧୧ ଭୁଜା ବିଜ୍ଞାପନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ତୃଣମୂଳ କଂଗ୍ରେସ(ଟିଏମ୍‌ସି)। ବିଧାୟକ କୁନାଲ ଘୋଷ ସରକାରୀ ବିଜ୍ଞାପନର ଚିତ୍ର ସେୟାର କରି ଲେଖିଛନ୍ତି, ସାଧାରଣତଃ ମା’ ଦୁର୍ଗାଙ୍କୁ ଦଶଭୁଜା ରୂପରେ ପୂଜା ପାଆନ୍ତି। ତେବେ ୨୦୨୬ରେ ମା’ ଦୁର୍ଗା ଏକାଦଶଭୁଜା କିପରି ହେଲେ? ସରକାର ଥିମ ଓ ପ୍ରତିମାରେ ପରିବର୍ତ୍ତନକୁ ନେଇ କଠୋର ନିୟମର କଥା କହୁଛି। କିନ୍ତୁ ସରକାରୀ ବିଜ୍ଞାପନରେ ହିଁ ମା’ଙ୍କୁ ୧୧ ହାତରେ ଦେଖାଯାଉଛି ବୋଲି ସେ କଟାକ୍ଷ କରିଛନ୍ତି।

ସିପିଏମ୍‌ର କଟାକ୍ଷ, ବିଜେପିକୁ ମଧ୍ୟ ଟାଣିଲା: ସିପିଏମ୍ ନେତା ଶତରୂପ ଘୋଷ ମଧ୍ୟ ବିଜ୍ଞାପନକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଅସୁର ବଧ ପାଇଁ ଦେବତାମାନେ ମା’ ଦୁର୍ଗାଙ୍କୁ ୧୦ଟି ହାତରେ ଅସ୍ତ୍ର ଦେଇଥିଲେ। ବିଜେପିକୁ କଟାକ୍ଷ କରି ଶ୍ରୀ ଘୋଷ କହିଛନ୍ତି; “ବିଜେପି ସରକାର ଦେବୀଙ୍କୁ ଆଉ ଗୋଟିଏ ହାତ ଦେଇଦେଲା।”

ଜବାବ ଦେଲା ବିଜେପି: ଟିଏମ୍‌ସି ଓ ସିପିଏମ୍ ନେତାଙ୍କୁ ଜବାବ ଦେଇଛନ୍ତି ବିଜେପି ନେତା ସମିକ ଭଟ୍ଟାଚାର୍ଯ୍ୟ। ସେ ଏହି ବିବାଦକୁ ନେଇ ଭିନ୍ନ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି; ମା’ ଦୁର୍ଗା ଆହୁରି ଶକ୍ତିଶାଳୀ ହୋଇଗଲେ।

ସେ ସ୍ପଷ୍ଟ କରିଛନ୍ତି; ମୁଁ ଏପର୍ଯ୍ୟନ୍ତ ବିଜ୍ଞାପନ ଦେଖିନାହିଁ। ଯଦି କୌଣସି ଏଜେନ୍ସି ଦ୍ୱାରା ଭୁଲ ହୋଇଥାଏ, ତେବେ ଏହାକୁ ରାଜନୈତିକ ପ୍ରସଙ୍ଗ କରିବାର ଆବଶ୍ୟକତା ନାହିଁ। ଭୁଲ୍ ସୁଧାରି ଦିଆଯିବ ବୋଲି ସେ କହିଛନ୍ତି।